ଗରଦପୁର, ୧୧/୧୨/୨୦୨୧(ଓଡ଼ିଶା ସମାଚାର)- ଚଳିତ ବର୍ଷ ଚାଷୀଙ୍କର ଦୁର୍ଦ୍ଧଶା ପିଛା ଛାଡୁନି । ସାମୁଦ୍ରିକ ବାତ୍ୟା ‘ଜୱାଦ’ ପ୍ରଭାବରେ ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ଅଂଚଳର ଶତାଧିକ ଏକର ପାଚିଲା ଧାନ ଜମି ବର୍ଷା ପାଣିରେ ବୁଡି ରହିଛି । ବର୍ଷା ପାଣିରେ ପାଚିଲା ଧାନ ଶୋଇ ରହିଥିଲେ ମଧ୍ୟ ଜମିରୁ ପାଣି କମିବାର ନାଁ ଧରୁନି । କେତେକ ଜମିରେ ଅଧିକ ପାଣି ଜମି ରହିଥିବାରୁ ଚାଷୀମାନେ ପାଣି ମଧ୍ୟରୁ ଧାନ କାଟିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି । ଅନ୍ୟକେତେକ ସ୍ଥାନରେ ପାଚିଥିବା ଧାନ ପାଣିରେ ପଚି ଅଧିକ ନଷ୍ଟ ହୋଇଯାଉଥିବା ଦେଖି ଚାଷୀମାନେ ପାଣିଭର୍ତି ଜମିରୁ ଧାନ କାଟି ବୋହି ଆଣି ଉଚ୍ଚ ହିଡ ଓ ରାସ୍ତା ପାଶ୍ୱର୍ମାନଙ୍କରେ ଶୁଖାଉଥିବାର ଦେଖାଯାଉଛି । କେତେକ ଜମିରେ ଧାନ ଗଛର ନଡା ପଚିଯାଇ ନଷ୍ଟ ହୋଇଯାଇଥିବାର ଦେଖାଯାଇଛି । ଜମିରେ ପାଣି ଅଧିକ ରହିଥିବାରୁ ଧାନ ଗଛର ନଡା ପଚିଯାଇ ନଷ୍ଟ ହୋଇଥିବା ଜମିରୁ ଚାଷୀମାନଙ୍କର ଧାନଅମଳ ଆଶା ମଉଳି ଯାଇଛି । ବର୍ଷା ପ୍ରଭାବରେ ଅଂଚଳରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ କୃଷି ବିଭାଗ,ରାଜସ୍ୱ ବିଭାଗ ଆଦିକୁ ଦେଇ ଗଠିତ ମିଳିତ ଅଧିକାରୀମାନେ କ୍ଷେତ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବା ପାଇଁ ସରକାର ଘୋଷଣା କରିଛନ୍ତି । ଏପରିସ୍ଥଳେ ଏହି କ୍ଷୟକ୍ଷତି ଆକଳନ କରୁଥିବା କମିଟି ଆସି ନ ଥିବାରୁ ଜମିରେ ପାଚିଥିବା ଧାନକୁ ଚାଷୀମାନେ କାଟିବା ପାଇଁ ବିଳମ୍ବ କରୁଛନ୍ତି । ଫଳରେ ବର୍ଷା ପାଣିରେ ବୁଡ଼ିରହି କ୍ଷତି ଘଟିଥିବା ଧାନ ଫସଲ ଅଧିକ ଦିନ ପାଣିରେ ବୁଡ଼ି ରହିବାରୁ ଅଧିକ କ୍ଷତି ଘଟୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । କେତେକ ଚାଷୀ ଜମିରୁ କାଟୁଥିବା ଧାନ ଗଛରେ ଗଜା ହୋଇଥିବା ପ୍ରକାଶ କରିଛନ୍ତି । ଚଳିତ ବର୍ଷ ବିଳମ୍ବିତ ମୌସୁମୀ ଯୋଗୁଁ ଚାଷ କାର୍ଯ୍ୟରେ ବିଳମ୍ବ,କମ୍ ବୃଷ୍ଟିପାତ ଯୋଗୁଁ ଢିପ ଚାଷ ଜମିରେ ଫସଲ ହାନି ଓ ଅଦିନିଆ ବର୍ଷା ଯୋଗୁଁ ପାଚିଲା ଧାନ ଜମି ପାଣିରେ ବୁଡି ରହିବା ଫଳରେ ଚଳିତ ବର୍ଷ ଫସଲ ଅମଳ ହେବା ଆଶା କ୍ଷୀଣ ହୋଇପଡିଛି । କରୋନା ମହାମାରୀ ସମୟରେ ଚାଷୀ ନିଜର ସମସ୍ତ ଅର୍ଥ ଓ ଧାର କରଜ କରି ଅର୍ଥକୁ ଚାଷ କାର୍ଯ୍ୟରେ ବିନିଯୋଗ କରି ଅକ୍ଳାନ୍ତ ପରିଶ୍ରମ ଶେଷରେ ବୃଥା ହେବାକୁ ବସିଛି ବୋଲି କେତେକ ଚାଷୀମାନେ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର