ଭୁବନେଶ୍ୱର,୧୧/୧୨/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଆଉ ୪ ମାସ ମାଗଣାରେ ମିଳିବ ଚାଉଳ । କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଆସନ୍ତା ବର୍ଷ ମାର୍ଚ୍ଚ ପର୍ୟ୍ୟନ୍ତ ଚାରିମାସ ପାଇଁ ମାଗଣାରେ ଅତିରିକ୍ତ ୫ କିଲୋ ଚାଉଳ ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, କୋଭିଡ୍ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀଙ୍କୁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ମିଳିବ। ଡିସେମ୍ବର ୨୦୨୧ରୁ ମାର୍ଚ୍ଚ ୨୦୨୨ ପର୍ୟ୍ୟନ୍ତ ଏହି ଚାଉଳ ମିଳିବ । ଏହି ଯୋଜନା ଅଧୀନରେ ୨,୮୮,୫୨୮ ପରିବାରର ୯,୧୫,୫୩୨ ସଦସ୍ୟ ଉପକୃତ ହେବେ।
ଏଥିପାଇଁ ମାସକୁ ୪,୫୭୮ ଟନ୍ ଚାଉଳ ହିସାବରେ ୪ମାସରେ ୧୮,୩୧୦.୬୪୦ ଟନ୍ ଚାଉଳ ଯୋଗାଇ ଦିଆଯିବ । ଏଥିପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୮୮.୧୩ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ସୂତ୍ରରୁ ପ୍ରକାଶ।ତେବେ କୋଭିଡ଼ ପରିସ୍ଥିତି ପାଇଁ ଆଉ ଅଧିକ ୪ ମାସ ପାଇଁ ଚାଉଳ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ କେନ୍ଦ୍ର ସରକାର ଏ ସମ୍ପର୍କରେ କୌଣସି ବ୍ୟବସ୍ଥା ନକରିବାରୁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ବ୍ୟୟ କରି ହିତାଧିକାରୀ ମାନଙ୍କୁ ଆଉ ୪ ମାସ ପାଇଁ ମାଗଣା ଚାଉଳ ଯୋଗାଇ ଦେବାକୁ ନିଷ୍ପତି ଗ୍ରହଣ କଲେ । ଓଡ଼ିଶା ସମାଚାର