Tuesday , December 6 2022
Home / ବିଶେଷ / ମାହାଳହାଟ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀ, ପୁଲିସ ହାତ ଖାଲି 

ମାହାଳହାଟ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀ, ପୁଲିସ ହାତ ଖାଲି 

ତାରପୁର, ୦୯/୧୨/୨୦୨୧(ଓଡ଼ିଶା ସମାଚାର)- କିଶନନଗର ଥାନା ମାହାଳହାଟ ଫାଣ୍ଡି ଅଂଚଳରେ ଥିବା ୪ ଗୋଟି ପଂଚାୟତରେ ଘନ ଘନ ଚୋରୀ ବୃଦ୍ଧି ପାଉଥିଲେ ବି ପୋଲିସ  କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଅଂଚଳରେ ଆତଙ୍କ ଖେଳିଯାଇଛି । ପୁଲିସ ର ନିଷ୍କ୍ରିୟତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ସୂଚନାଯୋଗ୍ୟ କି ଗତକାଲି ରାତିରେ ବାବୁଜଙ୍ଗ ପଂଚାୟତ ବାରିମୂଳ ଗ୍ରାମର ଚିତରଂଜନ ପରିଡ଼ା ଙ୍କ ଘରୁ ଝିଆରୀ ବିଭାଘର ପାଇଁ ରହିଥିବା ୩ ଲକ୍ଷ ରୁ ଉଦ୍ଧ୍ୱର୍ ଟଙ୍କାର ଗହଣା ଓ ଲୁଗାପଟା ଚୋରୀ ହୋଇଥିବାବେଳେ  ଏହି ପଂଚାୟତ ସଫିପୁର ଗ୍ରାମର ଯଦୁନାଥ ସେଠୀ ଙ୍କ ଘରୁ ମଧ୍ୟ ୫୦ ହଜାର ଟଙ୍କାରୁ ଉଦ୍ଧ୍ୱର୍ ମୂଲ୍ୟର ସୁନା ଗହଣା ଓ ଆସବାବପତ୍ର ଚୋରୀ ହୋଇଥିବା ମାହାଳ ହାଟ ଫାଣ୍ଡି ଓ କିଶନନଗର ଥାନାରେ ଅଭିଯୋଗ ହୋଇଛି । ଗତ ଏକ ମାସ ମଧ୍ୟରେ ଏହି ଫାଣ୍ଡି ଅଧିନରେ ଥିବା ମୁଗୁରିଆ ଗ୍ରାମର ସୁବାସ ବେଉରା,ମେହେନ୍ଦିପୁର ଗ୍ରାମର ବିଭୂତି ଦାସ, ବାବୁଜଙ୍ଗ ଗ୍ରାମର ଖୁରସିଦ ବେଗମ,ହାରୁନନିଶା ବିବି,ଅକ୍ଷୟ ରାଉତ, ଦୁଲୁପୁର ଗ୍ରାମର ଶରତ ମଲ ଏପରିକି ଗତ ୩୦ ତାରିଖରେ ମଣିଜଙ୍ଗ ପଂଚାୟତ କାର୍ଯ୍ୟାଳୟରୁ ଶତାଧିକ ହିତାଧିକାରିଙ୍କ ୨ଲକ୍ଷରୁ ଉଦ୍ଧ୍ୱର୍ ଭତା ଟଙ୍କା ମିଶାଇଲେ ୧୦ ଲକ୍ଷ ରୁ ଉଦ୍ଧ୍ୱର୍ ଟଙ୍କାର ସମ୍ପତି ଲୋକମାନଙ୍କର ଚୋରୀ ହୋଇଥିବା କିଶନନଗର ଥାନାରେ ଅଭିଯୋଗ ହୋଇଛି । ତେବେ ଏତେସବୁ ଘନ ଘନ ଚୋରୀ ପରେ ମଧ୍ୟ କୌଣସି ଗୋଟିଏ ସ୍ଥାନରେ ଚୋରଙ୍କୁ ଧରିବାରେ ପୋଲିସ ସଫଳ ହୋଇ ପାରିନାହିଁ । ବର୍ତମାନ ବିବାହ ଋତୁ ଚାଲିଥିବାବେଳେ ଗ୍ରାମାଂଚଳର ଗରୀବ ବେଳ ଗରୀବ ଲୋକମାନେ ଝିଅ ବାହାଘର ପାଇଁ ରଖିଥିବା ଗହଣା ଚୋରୀ ହୋଇଯିବା ପରେ ମୁଣ୍ଡରେ ହାତ ଦେଇ ଭାଗ୍ୟକୁ ଆଦରି ରହୁଛନ୍ତି । ପୁଲିସ ର ନିଷ୍କ୍ରିୟତାର ସୁଯୋଗ ନେଇ ଚୋରମାନେ ଖାଲିଥିବା ଘର ମାନଙ୍କର କବାଟ ଝରକା ତାଡ଼ି ଘରେ କଳାକନା ବୁଲାଇ ଦେଉଥିବାବେଳେ ପୁଲିସ ଉପରୁ ଏ ଅଂଚଳର ଲୋକମାନଙ୍କର ଭରଷା ତୁଟି ଗଲାଣି । କରୋନା ମାଡ଼, ବାତ୍ୟା ରେ ଫସଲ ହାନୀ ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଥିବାବେଳେ ସାଧାରଣ ଲୋକଙ୍କ ଧନ ସମ୍ପତି ରକ୍ଷା କରିବାରେ କିଶନନଗର ଥାନା ଓ ମାହାଳହାଟ ଫାଣ୍ଡି ବିଫଳ ହୋଇଥିବାରୁ ଏଥିପ୍ରତି ସାଲେପୁର ଏସଡ଼ିପିଓ ଓ କଟକ ଜିଲା ଗ୍ରାମାଂଚଳ ଏସପି ଦୃଷ୍ଟି ଦେଇ ଲୋକଙ୍କ ଚୋରୀ ଜିନିଷ ଉଦ୍ଧାର ସହିତ ଏ ଅଂଚଳକୁ ଚୋରଙ୍କ ପ୍ରାଦୁର୍ଭାବରୁ ରକ୍ଷା କରିବାକୁ ସାଧାରଣରେ ଦାବି ହେଉଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.