ବିଜେପି କର୍ମୀଙ୍କୁ ଘଉଡ଼ାଇବା ଲାଗି ପୋଲିସ ର ଉଦ୍ୟମ
ଭୁବନେଶ୍ୱର,୦୯/୧୨/୨୦୨୧ (ଓଡ଼ିଶା ସମାଚାର)- ମମିତା ମେହେରଙ୍କୁ ନ୍ୟାୟ ଦେବା ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆଜି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ କାର୍ଯ୍ୟକ୍ରମ ସମୟରେ ପୋଲିସ ସହ ବିଜେପି କର୍ମୀଙ୍କର ଧସ୍ତାଧସ୍ତି ହୋଇଛନ୍ତି । ବିଜେପି ଯୁବ ମୋର୍ଚ୍ଚାର ଶହ ଶହ କର୍ମୀ ଲୋୟର ପିଏମଜିରେ ଏକାଠି ହୋଇ ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ସେମାନଙ୍କୁ ଅଟକାଇଥିଲେ । ଫଳରେ ଉଭୟ ପୋଲିସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତା ଧସ୍ତା ପରିସ୍ଥିତି ସୃଷ୍ଟି ହୋଇଛି । ବିଜେପି କର୍ମୀଙ୍କ ଢ଼େଲା ପଥର ମାଡ଼ରେ କିଛି ସୁରକ୍ଷା କର୍ମୀ ଓ ସାମ୍ବାଦିକ ଆହତ ହୋଇଥିବା ଖବର ମିଳିଛି । ପୋଲିସ ବହୁ ସଂଯମତା ରକ୍ଷା କରି ଶେଷରେ ବିଜେପି ର ୫ ହଜାରରୁ ଉଦ୍ଧ୍ୱର୍ କର୍ମୀ ଙ୍କୁ ଘଉଡ଼ାଇବା ପାଇଁ ପୋଲିସ୍ ଲାଠିଚାର୍ଜ କରିଥିବା ଜଣାପଡିଛି । ରାଜଧାନୀର ବିଭିନ୍ନ ସ୍ଥାନରେ ଜଷ୍ଟିସ୍ ଫର୍ ମମିତା ହୋର୍ଡିଂ ଲାଗିଛି । ମାଷ୍ଟରକ୍ୟାଣ୍ଟିନ ଛକ, ରାଜଭବନ ଛକ ସମେତ ରାଜଧାନୀର ରାସ୍ତା ଘାଟରେ ବିଜେପି ପତାକା ଲଗାଯାଇଛି । ‘ବିଧାନସଭା ଚାଲ’ ନେଇ ଦେଇଥିବା ଡାକରାକୁ ସଫଳ କରିବା ପାଇଁ ବହୁ ବଜେପି କର୍ମୀ ଲୋୟର ପିଏମଜିରେ ଏକାଠି ହୋଇଥିଲେ । ବିଜେପି ରାଜ୍ୟ କାର୍ୟ୍ୟାଳୟରୁ ବିଧାନସଭା ଯାଏ ହଜାର ହଜାର ବିଜେପି ଯୁବମୋର୍ଚ୍ଚା କର୍ମୀ ଲୋୟର ପିଏମଜି ପର୍ୟ୍ୟନ୍ତ ଶୋଭାଯାତ୍ରାରେ ଯାଇ ଧାରଣାରେ ବସିଲେ। ଏହାପରେ ପୁଲିସ୍ ବ୍ୟାରିକେଡ ଭାଙ୍ଗି ବିଧାନସଭାକୁ ଅଗ୍ରସର ହେବାକୁ ଉଦ୍ୟମ ହେଉଥିବା ବେଳେ କେତେକ ବିଜେପି କର୍ମୀଙ୍କୁ ପୁଲିସ ଗିରଫ କରିଥିଲା। ବିଜେପି କର୍ମୀମାନେ ପୁଲିସ ଭ୍ୟାନକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ବୋଲି ସୂଚନା ମିଳିଛି। ଏହାପରେ ପୁଲିସ ବିଜେପି କର୍ମୀଙ୍କୁ ଘଉଡ଼ାଇବା ଲାଗି ଉଦ୍ୟମ କରିଥିଲେ। ଏଥରେ ଆରଆରବି ଯବାନ ଓ କିଛି ସାମ୍ବାଦିକ ଆହତ ହୋଇଥିବା ସୂଚନା ମିଳିଛି। କେତେକ ବିଜେପି କର୍ମୀଙ୍କ ସମେତ ସାମ୍ବାଦିକଙ୍କ ମୁଣ୍ଡ ଫାଟିଥିବାର ସୂଚନା ମିଳିଛି।ଓଡ଼ିଶା ସମାଚାର