ଗରଦପୁର ,୦୮/୧୨/୨୦୨୧(ଓଡ଼ିଶା ସମାଚାର)-ଗତ ୪ ତାରିଖ ଜୱାଦ ବାତ୍ୟା ପ୍ରଭାବ ଜନିତ ଲଗାଣ ବର୍ଷାରେ ଗରଦପୁର ତହସିଲ ଅଂଚଳର ୮ ହଜାର ହେକ୍ଟର ଚାଷ ଜମିରେ ଥିବା ଅମଳକ୍ଷମ ପାଚିଲା ଧାନ ଫସଲ ଉଜୁଡ଼ି ଯାଇଛି । ସେହିପରି ୩ହଜାର ହେକ୍ଟର ଜମିର ବିରି ଫସଲ ଓ ପନି ପରିବା ଚାଷ ମଧ୍ୟ ପ୍ରଭୁତ କ୍ଷତିର ସମ୍ମୁଖୀନ ହୋଇଛି । ଏହି ବ୍ୟାପକ କ୍ଷୟ କ୍ଷତିର ସଠିକ ଆକଳନ କରିବା ଓ ତୁରନ୍ତ ସରକାରୀ କ୍ଷତି ପୁରଣ ମିଳିବାକୁ ଚାଷୀମାନେ ଆଜି ସ୍ୱତପ୍ରବୃତ ଭାବରେ ନିଜର ଦାବି ଜଣାଇବା ପାଇଁ ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ଗରଦପୁର ତହସିଲ ସମ୍ମୁଖରେ ଅଂଚଳର ଶତାଧିକ ଚାଷୀ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ହାତରେ ପୁଳା ପୁଳା ପଚା ସଢ଼ା କ୍ଷେତ ଧାନ ଆଣି ତହସିଲଦାର ଙ୍କୁ ଦେଖାଇଛନ୍ତି । ତହସିଲ କାର୍ଯ୍ୟାଳୟ ଖୋଲୁ ଖୋଲୁ ଆବାହକ ଘନଶ୍ୟମ ଙ୍କ ନେତୃତ୍ୱରେ ସ୍ଥାନୀୟ ଅଂଚଳର ଶତାଧିକ ଚାଷୀ ଏକ ୭ ଦଫା ଦାବି ପତ୍ର ଧରି ଗରଦପୁର ବଜାରରୁ ବିଭିନ୍ନ ନାରା ଦେଇ ତହସିଲ ସମ୍ମୁଖରେ ପହଂଚିଥିଲେ । ୭ ଦଫା ଦାବି ହାସଲ ପାଇଁ ଧାରଣା ଦେବା ସହିତ ତହସିଲ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଏଥିରେ ଦଳମତ ନିର୍ବିଶେଷରେ ଚାଷୀଙ୍କ ସହିତ ସବୁ ରାଜନୈତିକ ଦଳର ପ୍ରତିନିଧିମାନେ ସାମିଲ ହୋଇଥିଲେ । ଏଥିପାଇଁ ଆୟୋଜିତ ବିକ୍ଷୋଭ ସମାବେଶରେ ଜିଲାପରିଷଦ ସଦସ୍ୟ ସନ୍ତୋଷ ଜେନା,ସାମାଜିକ କର୍ମୀ ନବାବ କୁମାର ପଣ୍ଡା,ବଜାର କମିଟି ସଭାପତି ଦେବ କୁମାର ପାଣି , ସମାଜସେବୀ ଅରୁଣ କୁମାର ପଣ୍ଡା,ପ୍ରତାପ ସ୍ୱାଇଁ,ରାଜ କିଶୋର ସ୍ୱାଇଁ, ସୁବ ପଣ୍ଡା , ପ୍ରତିନିଧି ମଲିକ,ଶରତ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ବକ୍ତବ୍ୟ ଦେଇ ବାତ୍ୟା ଜୱାଦ ପ୍ରଭାବରେ ଚାଷୀକୂଳର ହୋଇଥିବା ପ୍ରଭୁତ କ୍ଷୟକ୍ଷତି ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ତହସିଲ ଅଧିନରେ ରହିଥିବା ୧୩୮ ଟି ଗ୍ରାମର ଧାନ, ବିରି ଓ ପରିବା ଫସଲ ବର୍ଷା ମାଡ଼ରେ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିବା ଅଭିଯୋଗ କରିଥିଲେ । ଚାଷୀକୂଳର ଏହି ବ୍ୟାପକ କ୍ଷୟକ୍ଷତି କୁ ସରକାରୀ ସ୍ତରରେ ସଠିକ ଆକଳନ କରି ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦେବା ସହ ତୁରନ୍ତ ଚାଷୀମାନଙ୍କୁ ଉପଯୁକ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ଦୃଢ଼ ଦାବି କରିଥିଲେ । ଅନ୍ୟ ଦାବି ଗୁଡ଼ିକ ମଧ୍ୟରେ କୃଷି ଋଣ ଛାଡ଼ କରିବା,ଆଗାମୀ ଫସଲ ପାଇଁ ବିହନ ଓ ସାର ମାଗଣାରେ ଯୋଗାଇ ଦେବା,ଭାଗଚାଷୀମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା,କୃଷି ଭିତିକ ବିଦ୍ୟୁତ ବିଲ ଛାଡ଼ କରିବା , ଧାନର ଏଫଏକ୍ୟୁ ମାନ କମ କରିବା , ଚାଷ ଜିମରୁ ଜଳ ନିସ୍କାସନ ପାଇଁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବା ଆଦି ଦାବି କରାଯାଇଥିଲା । ତହସିଲଦାର ସନ୍ତୋଷ କୁମାର ସାହୁ ଧାରଣାସ୍ଥଳକୁ ଆସି ବିକ୍ଷୋଭକାରୀ ଚାଷୀମାନଙ୍କ ଠାରୁ ଦାବି ପତ୍ର ଗ୍ରହଣ କରିବା ସହିତ କ୍ଷୟକ୍ଷତିର ସଠିକ ଆକଳନ କରାଯାଇ ସରକାରଙ୍କୁ ତୁରନ୍ତ ରିପୋର୍ଟ ପ୍ରଦାନ କରାଯିବା ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ରବିନ୍ଦ୍ର କୁମାର ଦାସ,ଶିଶିର କୁମାର ପରିଡ଼ା,ରଂଜିତ କୁମାର ପତି,ନିରାକାର ରାଉତରାୟ,ସୁକାନ୍ତ କୁମାର ମଲ, ନଳିନୀ କାନ୍ତ ପରିଡ଼ା,ସୁରେଶ ଦାସ,ଗୋଲକ ଚନ୍ଦ୍ର ପରିଡ଼ା,ଭରତ ଚନ୍ଦ୍ର ବାରିକ,ଗଜେନ୍ଦ୍ର ନାୟକ,କୁମାର ପାଣି, ପ୍ରଦ୍ୟୁମ୍ନ କୁମାର ମିଶ୍ର,ଚଗଲି ବେହେରା,ଅଭୟ ବେହେରା ପ୍ରମୁଖ ଶତାଧିକ ଚାଷୀ ଅଂଶ ଗ୍ରହଣ କରିଥିଲେ । ପରେ ପରେ ଚାଷୀମାନେ ଗରଦପୁର ବ୍ଲକ୍ ଓ କୃଷି କାର୍ଯ୍ୟାଳୟକୁ ଯାଇ ବିଡ଼ିଓ ଓ କୃଷି ଅଧିକାରୀଙ୍କୁ ମଧ୍ୟ ଦାବି ପତ୍ର ଦେଇଥିଲେ । ଓଡ଼ିଶା ସମାଚାର