ରଘୁନାଥପୁର,୦୮/୧୨/୨୦୨୧(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲାପାଳ ପାରୁଲ ପଟୱାରୀଙ୍କ ତଦାରଖରେ ଆଜି ରଘୁନାଥପୁର ବ୍ଲକ୍ ପ୍ରଶାସନ ଘାଇଲା ହୋଇ ପଡ଼ିଛି । ଏପରି ଘଟଣା ଘଟିଛି ତାରପୁର ପଂଚାୟତରେ । ସୂଚନା ମୁତାବକ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଜିଲାପାଳ ପଟୁଆରୀ ବ୍ଲକ୍ ର ବିଭିନ୍ନ ପଂଚାୟତ ଗସ୍ତ କରି ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ । ଏହି କ୍ରମରେ ସେ ପ୍ରଥମେ ନାଲିବର ଉଚ ବିଦ୍ୟାଳୟକୁ ଯାଇ ସେଠାକାର ପରିବେଶ ଓ ଶିକ୍ଷା ସମ୍ପର୍କରେ ଅବଗତ ହୋଇଥିଲେ । ଏହାପରେ ଛପଡ଼ା ପଂଚାୟତ ଜଇପୁର ଠାରେ ଥିବା ବୟନ ଗ୍ରାମକୁ ଗସ୍ତ କରି ବୟନ ଗ୍ରାମ ପାଇଁ ପୂର୍ତ ବିଭାଗକୁ କେତେ ଅନୁଦାନ ଦିଆଯାଇଛି ,କଣ କଣ କାର୍ଯ୍ୟ ହୋଇଛି, ସେ ସମ୍ପର୍କରେ ବୁଝିବା ସହିତ ଚକିକିଣିଆ ପଂଚାୟତରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ । ଏଠାରେ ଏନଆରଜିଏସ ମାଧ୍ୟମରେ ଚାଲିଥିବା ସ୍କୁଲ ପାର୍କ , ପଂଚାୟତ ଭବନ, ମୋ ଗୁହାଳ,ଷ୍ଟାଡ଼ିଅମ ଆଦି ଦେଖିବା ସହିତ ଚାଲିଥିବା ଉନ୍ନୟନ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରି ସରପଂଚ ଶର୍ମିଷ୍ଠା ସ୍ୱାଇଁ ଙ୍କୁ ପ୍ରସଂଶା କରିଥିଲେ । ପରେ ୫ ଟି ଅଧିନରେ ଆସୁଥିବା ତାରପୁର ହାଇସ୍କୁଲ ବୁଲି ଦେଖିବା ସହିତ ଏହି ପଂଚାୟତରେ ଚାଲୁଥିବା ଅର୍ଦ୍ଧ ନିର୍ମିତ କଲ୍ୟାଣ ମଣ୍ଡପ ଦେଖିବା ସହିତ ତୁରନ୍ତ କାର୍ଯ୍ୟ ସାରିବାକୁ ବ୍ଲକ୍ ସହକାରୀ ଯନ୍ତ୍ରୀ ଙ୍କୁ ନିର୍ଦ୍ଧେଶ ଦେଇଥିଲେ । ପରେ ତାରପୁର ପଂଚାୟତ କାର୍ଯ୍ୟାଳୟରେ ପହଂଚି ପଂଚାୟତରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କାଗଜପତ୍ର ଯାଂଚ କରିଥିଲେ । ତେବେ ଏହି ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଜିତ ଦାସ, ଜିଆରଏସ ଆଶୁତୋଷ ରାଉତ,ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଇନ୍ଦ୍ର ତନୟା ସାମଲ ଜିଲାପାଳ ମାଗିଥିବା କୌଣସି ଫାଇଲ ଦେଖାଇ ପାରିନଥିଲେ । ଏପରିକି ଏନଆରଇଜିଏସ ର ମଷ୍ଟର ରୋଲ , ଜିପିଟିଏ ରେଜିଷ୍ଟର, ପେନସନ୍ ରେଜିଷ୍ଟର ଆଦି ଦେଖାଇନପାରିବା ସହିତ ସହକାରୀ ଯନ୍ତ୍ରୀ ଓ ବିଡ଼ିଓ ଙ୍କ ବିନା ଦସ୍ତଖତରେ ଜେଇ କଂଟ୍ରାକ୍ଟର ମାନଙ୍କ ସହିତ ମିଶି କାର୍ଯ୍ୟ କରୁଥିବା ପ୍ରକାଶ କରିଥିଲେ । ଏପରିକି କୌଣସି ଜିଓ ଟ୍ୟାଗିଙ୍ଗ ନକରିବା , କାର୍ଯ୍ୟାଦେଶ ପରେ ଫଟୋ ଟେଷ୍ଟ ନକରିବା ଆଦି ସହିତ ପଂଚାୟତର କୌଣସି କାର୍ଯ୍ୟ ସହକାରୀ ଯନ୍ତ୍ରୀ ଓ ବିଡ଼ିଓ ରିଭ୍ୟୁ ମିଟିଂ ଦ୍ୱାରା ତଦାରଖ ନକରିଥିବା ଜିଲାପାଳ ପ୍ରକାଶ କରିଥିଲେ । ଜିଲାପାଳ ବିରକ୍ତ ହେବା ସହିତ ଉଚ ପଦାଧିକାରୀଙ୍କୁ ରିପୋର୍ଟ କରିବେ ଏପରିକି ପଂଚରୟତିରାଜ ବିଭାଗକୁ ମଧ୍ୟ ଏ ବିଷୟରେ ଜଣାଇବେ ବୋଲି ରୁକ୍ଷ କଂଠ ରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ବ୍ଲକ୍ ସହକାରୀ ଯନ୍ତ୍ରୀ ଅମିୟଚାନ୍ଦ ମଲିକ,ଓରମାସ ର ଡ଼େପୁଟି ସିଓ ସତ୍ୟ ସୁନ୍ଦର ଶିବରାମ ପାଇଟାଳ, ଡ଼ିଆରଡ଼ିଏ , ଏନଆରଇଜିଏସ ଏମସି ପ୍ରାଚୀ ପରିଚିତା ମିଶ୍ର, ତାରପୁର ସରପଂଚ ସରୋଜ କୁମାର ଦାଶ, ଗ୍ରାମ ପଂଚାୟତ ଅଧିକାରୀ କେଶବ ମୁଖୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର