ରଘୁନାଥପୁର,୦୮/୧୨/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ଏରଡ଼ଙ୍ଗା ପଂଚାୟତରେ ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ରେ ଅନିୟମିତତା ଅଭିଯୋଗକରି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ସୂଚନା ଅନୁଯାୟୀ ଏହି ପଂଚାୟତର ଗୋପାଳପୁର (କ) ଅଙ୍ଗନୱାଡ଼ି କେନ୍ଦ୍ରରେ କର୍ମଚାରୀ ନିଯୁକ୍ତି ପାଇଁ ବିଜ୍ଞାପନ ସଂଖ୍ୟା ୭୬୨ତା୨.୧୧.୨୦୨୧ ଅନୁଯାୟୀ ଗୋପାଳପୁର ଗ୍ରାମର ବିଧବା ମହିଳା ଲିପିକା ଲେଙ୍କା ସମସ୍ତ ଯୋଗ୍ୟତା ଥାଇ ଆବେଦନ କରିଥିଲେ । ତେବେ ୧୮.୧୧.୨୦୨୧ ରେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଓ ଅନ୍ୟାନ୍ୟ ପ୍ରମାଣ ପତ୍ର ଭେରିଫିକେଶନ କରାଯାଇଥିଲା । ତେବେ ସେ ବିଧବା ମହିଳା ହୋଇଥିବା ସତ୍ୱେ ନିଯୁକ୍ତି ରେ ତାଙ୍କୁ ଅଗ୍ରାଧିକାର ଦିଆନଯାଇ ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ସେ ଏ ବିଷୟରେ ଜଗତସିଂହପୁର ଜିଲାପାଳ, ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥା କେହି ନଶୁଣିବାରୁ ଓ ଉଚିତ ନ୍ୟାୟ ପାଇବାକୁ ସେ ଆଜି ବିଡ଼ିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ତେବେ ବିଡ଼ିଓ ଜିତେନ୍ଦ୍ର ପ୍ରସାଦ ନାୟକ କିଛି କହିପାରିବେ ନାହିଁ ବୋଲି କହିବା ପରେ ସେ ଅପରାହ୍ନରେ ଧାରଣା ପ୍ରତ୍ୟାହୃତ କରିବା ସହିତ ଜିଲା ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଥିଲେ । ଓଡ଼ିଶା ସମାଚାର