ଭୁବନେଶ୍ୱର,୦୭/୧୨/୨୦୨୧(ଓଡ଼ିଶା ସମାଚାର)-କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ସଂସ୍ଥା ଓ ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ମହିଳା କୃଷି ଜୀବି ଦିବସ ପାଳିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ଡଃ ସସ୍ମିତା ସାମନ୍ତ ଦେଶର କୃଷି ଉତ୍ପାଦନ କ୍ଷେତ୍ରରେ ମହିଳା କୃଷିଜୀବି ମାନଙ୍କର ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ବର୍ତମାନ ମହିଳାମାନେ ପାରମ୍ପରିକ ପଦ୍ଧତିରେ କୃଷି କରିବା ସହ କୃଷି ଉଦ୍ୟୋଗୀ ହେବାକୁ ମନ ବଳାଇ ଲେଣି ଯାହା ଏକ ଶୁଭ ସୂଚନା । ଧୈର୍ଯ୍ୟ, ଅଧ୍ୟବସାୟ, ନମ୍ର ମନୋଭାବ ଓ ସମ୍ବେଦନଶୀଳ ହିଁ ଜଣେ ସଫଳ ଉଦ୍ୟୋଗୀର ୪ ଗୋଟି ଗୁଣ ।ଏହାକୁ ବ୍ୟବହାର କରି ମହିଳାମାନେ ଉତ୍ପାଦନକୁ ଦ୍ୱିଗୁଣିତ କରିବା ପାଇଁ ଉତ୍ସାହିତ କରିବା ସହିତ ମହିଳା କୃଷିଜୀବି ଓ ଉଦ୍ୟୋଗୀ ମାନଙ୍କର ଦକ୍ଷତାବୃଦ୍ଧି ପାଇଁ ସିଫାର କାର୍ଯ୍ୟାବଳୀକୁ ଭୂୟସୀ ପ୍ରଶଂସା କରିଥିଲେ ।ଏହି ଦିବସର ଗୁରୁତ୍ୱକୁ ବର୍ଣ୍ଣନାକରି ସମ୍ମାନିତ ଅତିଥି ତଥା ଆପିକଲ୍ ର ପରିଚାଳନା ନିର୍ଦ୍ଧେଶକ ଡଃ ପି. କେ. ରାଉଳ କହିଥିଲେ ଯେ ବର୍ତମାନ ଯୁଗହିଁ ଉଦ୍ୟୋଗୀଙ୍କର ଯୁଗ ଓ ମହିଳାମାନେ କୃଷି ଉଦ୍ୟୋଗୀ ହେବା ସମାଜ ପାଇଁ ଏକ ଉତମ ଲକ୍ଷଣ । ଡଃ ରାଉଳ ଉପସ୍ଥିତ ମହିଳା କୃଷିଜୀବିମାନଙ୍କୁ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଣୀତ ହେଉଥିବା ବିଭିନ୍ନ ଯୋଜନା ଗୁଡ଼ିକ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ । ସିଫାର ନିର୍ଦ୍ଧେଶକ ଡଃ ସରୋଜ କୁମାର ସ୍ୱାଇଁ ଅତିଥି ଓ ଉପସ୍ଥିତ ମହିଳା କୃଷିଜୀବି ମାନଙ୍କୁ ସ୍ୱାଗତ କରି କହିଥିଲେ ଯେ ମହିଳାମାନେ କିପରି ମାଛଚାଷକୁ ଜୀବିକା ଭାବରେ ଗ୍ରହଣକରିବେ ସେଥିପାଇଁ ସିଫା ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଗତ ତିନି ଦଶନ୍ଧି ଧରି ବିଭିନ୍ନ ଆଉଟ୍ ରିଚ୍ ପ୍ରକଳ୍ପ ମାଧ୍ୟମରେ ମତ୍ସ୍ୟଚାଷ କ୍ଷେତ୍ରରେ ମହିଳାମାନେ ସଂଶ୍ଳିଷ୍ଟ ହେଉଛନ୍ତି ଓ ସେମାନଙ୍କୁ ବିଭିନ୍ନ ଜ୍ଞାନ କୌଶଳ ଯୋଗାଇଦେବା ସହ ପ୍ରଶିକ୍ଷଣ ପ୍ରଦାନ କରି ସେମାନଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ସିଫା କାର୍ଯ୍ୟକରୁଛି । ଫଳରେ ମହିଳାମାନେ ଖାଲି ଜୀବିକାର୍ଜନ କରୁଛନ୍ତି ତାହାନୁହେଁ ପରନ୍ତୁ ସେମାନେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସଶକ୍ତ ହେଉଛନ୍ତି । ଡଃ ସ୍ୱାଇଁ କହିଥିଲେ ଯେ ସଂପ୍ରତି ଆଇସିଏଆର୍-ସିଫା ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ମାଛଜାଆଁଳ ଉତ୍ପାଦନ, ରଂଗୀନ ମାଛଜାଆଁଳ ଉତ୍ପାଦନ, ଗୋଷ୍ଠୀ ତଥା ସର୍ବସାଧାରଣ ପୋଖରୀରେ ମାଛଚାଷ ଓ ଅମଳ ପରବର୍ତୀ କାର୍ଯ୍ୟାବଳୀ ଗୁଡ଼ିକ ଆଗକୁ ନିଆଯାଉଛି । ଡଃ ସ୍ୱାଇଁ ଉପସ୍ଥିତ ମହିଳା କୃଷିଜୀବିମାନଙ୍କୁ ରଂଗୀନ ମାଛଗାଁ ପ୍ରକଳ୍ପ ମାଧ୍ୟମରେ ଲାଭବାନ ହେବାକୁ ପରାମର୍ଶ ଦେଇଥିଲେ । ପ୍ରଧାନ ବୈଜ୍ଞାନିକ ଡଃ କାନ୍ତା ଦାସମହାପାତ୍ର ସଫଳ ମହିଳା କୃଷିଜୀବିମାନଙ୍କ ସମ୍ବନ୍ଧରେ ବିଭିନ୍ନ ତଥ୍ୟ ରଖିଥିଲେ । ବିଶେଷକରି ଜଳଜୀବ ପାଳନ ବା ମତ୍ସ୍ୟ ପାଳନ କରି କିପରି ମହିଳାମାନେ ସଶକ୍ତ ହୋଇପାରିବେ ସେ ସମ୍ବନ୍ଧରେ ସବିଶେଷ ସୂଚନା ଉପସ୍ଥିତ କୃଷି ଜୀବିମାନଙ୍କୁ ପ୍ରଦାନ କରିଥିଲେ । ଖୋର୍ଦ୍ଧା କେଭିକେ ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ଶ୍ରୀ ଅଜୟ କୁମାର ଦାଶ ଏହି ଅବସରରେ ବକ୍ତବ୍ୟ ରଖି ସ୍ୱୟଂ ସହାୟକ ଗୋଷ୍ଠୀ କୃଷି ମାଧ୍ୟମରେ ଲାଭାନ୍ୱିତ ହେବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଧାନ ବୈଜ୍ଞାନିକ ଡଃ ହିଂମାଶୁ କୁମାର ଦେ ଅଗ୍ରଣୀ ମହିଳା ଚାଷୀ ନିନିସିଂହ ଓ ଅରୁଣାଚଳ ପ୍ରଦେଶର ତାନାୟାମିଙ୍କ ଉଦାହରଣ ଦେଇ ମହିଳାମାନେ ସେମାନଙ୍କ ପଦାଙ୍କ ଅନୁସରଣ କଲେ ଉପକୃତ ହୋଇପାରିବେ ବୋଲି ପରାମର୍ଶ ଦେଇଥିଲେ ।ଏହି ଅବସରରେ ୮ଜଣ ଅଗ୍ରଣୀ ମହିଳା କୃଷକଙ୍କୁ ସମ୍ମାନୀତ କରାଯାଇଥିଲା । କୋଭିଡ ଗାଇଡ଼ଲାଇନ ଅନୁସାରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ୧୭୯ ଜଣ ମହିଳା ଯୋଗଦାନ କରିଥିଲେ । ଡଃ ହରପ୍ରିୟା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଓ ଡଃ ସ୍ନାତାଶ୍ରୀ ମହାନ୍ତି ଓ ସୁକାନ୍ତି ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଓଡ଼ିଶା ସମାଚାର
