ପ୍ରେମମୟ ଇଶ୍ୱରଙ୍କର ଅନନ୍ତ ମହିମାକୁ ଆମେ ଅନୁଭବ କରିବା । ଅନୁଭବ ଆମର ବିଶ୍ୱାସକୁ ବଢାଇଥାଏ । ଯଦି ମହାପ୍ରଭୁଙ୍କୁ ଅନୁଭବ କରିବେ, ତେବେ ପ୍ରଭୁଙ୍କ ପ୍ରତି ଆସ୍ଥା ବଢିବ । ଏହି ଆସ୍ଥା ସହ ଭକ୍ତି ମଧ୍ୟ ଜଡିତ । ଅନୁଭୂତି ଓ ଭକ୍ତି ପରସ୍ପର ସମ୍ବନ୍ଧିତ । ଅନୁଭୂତି ନକଲେ ଭକ୍ତି ତିଷ୍ଠିବ ନାହିଁ, ଭକ୍ତି ନଥିଲେ ଅନୁଭୂତି ଆସିବ ନାହିଁ । ଏହି ଦୁଇଟି ଯାକ ଥିଲେ, ଆମେ ମମତାର ସାଗର ଓ ଅପାର କରୁଣାମୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମାକୁ ଜାଣିପାରିବା । ଯୁଗେ ଯୁଗେ ପ୍ରଭୁ ବିଭିନ୍ନ ଅବତାରରେ ଭକ୍ତମାନଙ୍କୁ ରକ୍ଷା କରିବା ସହ କୃପା ଓ କରୁଣାରେ ଭରିଦେଇଛନ୍ତି । ଯାହା ବିଭିନ୍ନ ଶାସ୍ତ୍ରପୁରାଣରେ ଦେଖିବାକୁ ମିଳେ । ପ୍ରଭୁଙ୍କ ରୂପର ସୁନ୍ଦରତା ତ୍ରିଲୋକକୁ ମୋହିତ କରି ରଖିଛି । ପ୍ରଭୁଙ୍କ ସୁନ୍ଦରତା ଆଗରେ ଏହି ସଂସାରର ଅନ୍ୟ କୌଣସି ଜିନିଷର ସୌନ୍ଦର୍ଯ୍ୟ ମଳିନ ଦେଖାଯାଏ । ପ୍ରଭୁଙ୍କ ସୁନ୍ଦର ରୂପକୁ ଯିଏ ଅନୁଭବ କରିଛି, ସେ କେବେ ସାଂସାରିକ ସୌନ୍ଦର୍ଯ୍ୟର ମୋହରେ ମୋହିତ ହେବ ନାହିଁ । ବଂର ଏହାକୁ ସେ ପ୍ରଭୁଙ୍କ ସୁନ୍ଦର ରୂପର ଏକ ସାମାନ୍ୟ ଅଂଶ ବୋଲି ଭାବିବ । ପ୍ରକୃତରେ ଭକ୍ତି ଥିଲେ ହିଁ ଏହା ସମ୍ଭବ ହୋଇପାରେ । ଅନୁଭବରୁ ଆମକୁ ଆନନ୍ଦ ମିଳେ । ପ୍ରଭୁଙ୍କ ନାମ ଓ ଗୁଣ ଗାନ ଦ୍ୱାରା ମିଳୁଥିବା ଆନନ୍ଦ ସବୁଠାରୁ ଶ୍ରେଷ୍ଠ ଓ ଚିରସ୍ଥାୟୀ । ତେଣୁ ଏହାକୁ ପରମ ଆନନ୍ଦ ବୋଲି କୁହାଯାଏ । ଯାହା ଅନ୍ୟ କୌଣସି କାମରୁ ମିଳେନାହିଁ । ଆନନ୍ଦ ଭିତରେ ରହି ପ୍ରଭୁଙ୍କୁ ସବୁ କିଛି ସମର୍ପଣ କରିଦିଏ ଭକ୍ତ । ଏଥିରେ ତାର କୌଣସି ସ୍ୱାର୍ଥ ନଥାଏ ଅଥବା କାମନା ନ ଥାଏ । ପ୍ରଭୁଙ୍କ ପ୍ରତି ଆତ୍ମନିବେଦନ ଭାବ ଯୋଗୁଁ ଆପେ ଆପେ ଏସବୁ ହୁଏ । ଏସବୁ ଗୁଣ ପ୍ରକୃତ ଭକ୍ତ କ୍ଷେତ୍ରରେ ଦେଖାଯାଏ । ଏପରି ଭକ୍ତ ଜଗତରେ ବିରଳ । ଏହି ଭଳି ଶ୍ରଦ୍ଧାଯୁକ୍ତ ଭକ୍ତ, ଯେ କି ସବୁଭିତରେ ଶ୍ରୀଜଗନ୍ନାଥଙ୍କ ନାମ ଭଜନ କୀର୍ତନ କରୁଥାଏ, ସେ ଆତ୍ମଜ୍ଞାନ ଲାଭ କରେ । ଜଗନ୍ନାଥ ନାମକୁ ହିଁ ସେ ଜୀବନର ତପ ଓ ଦୀକ୍ଷା ଭାବେ ଗ୍ରହଣ କରି ପ୍ରଭୁଙ୍କ ଠାରେ ହିଁ ମନ ଲଗାଇଥାଏ । ସେଭଳି ବ୍ୟକ୍ତିର ଜୀବନରେ କ୍ଳେଶ ଓ ବିକାର ନଥାଏ । ତା’ର ଜୀବନ ନଦୀରେ ସୁଖଶାନ୍ତିର ଧାରା ପ୍ରବାହିତ ହେବାକୁ ଲାଗେ । ଥରେ ଥରେ ଅନେକଙ୍କ ମନରେ ପ୍ରଶ୍ନ ଆସେ – ପ୍ରଭୁଙ୍କୁ ଡାକିଲେ କଣ ଆମକୁ ଖାଇବାକୁ ମିଳିବ ? ନା, କେବଳ ଖାଇବା ନୁହେଁ, ଆପଣଙ୍କର ଯାହା ଦରକାର ହେଉଛି, ସବୁ ଦେଇଛନ୍ତି । ପ୍ରଭୁ ଆମ ପାଇଁ ଯେଉଁ ବ୍ୟବସ୍ଥା କରିଛନ୍ତି, ତାହା ପାଇଁ ତ ତାଙ୍କୁ ଧନ୍ୟବାଦ ଟିକେ ଦେବା । ନା ସେତକ ମଧ୍ୟ ନୁହେଁ । ଅବଶ୍ୟ ଆମର ଧନ୍ୟବାଦ ବା ଅନ୍ୟ କିଛି ପାଇଁ ସେ ଆଶାୟୀ ନୁହନ୍ତି । ସେ ଜଗତ କଲ୍ୟାଣ ପାଇଁ ଅହରହ ଆମକୁ ସାହାଯ୍ୟ କରିଆସୁଛନ୍ତି । ସବୁ ସ୍ୱିକୃତିର ଊଦ୍ଧ୍ୱର୍ରେ । ସେ ଆମ ସବୁକୁ ମଣିଷ ଜନ୍ମ ଦେଇ ବଡ ଉପକାର କରିଛନ୍ତି ଏବଂ ଏକ ବଡ ସ୍ୱକୃତି ପ୍ରଦାନ କରିଛନ୍ତି । ତାଙ୍କର ଆମ ପ୍ରତି ସେହି କଲ୍ୟାଣକୁ ସ୍ମରଣ କରିବା । ସାଧୁସନ୍ଥ, ମୁନୀଋଷି ଓ ପୁଣ୍ୟବନ୍ତ ଭକ୍ତମାନେ ପ୍ରଭୁଙ୍କ ନାମ ନିତ୍ୟ ନିରନ୍ତର ମନନ ସ୍ମରଣ କରି ତାଙ୍କୁ ଅନୁଭବ ଓ ଦର୍ଶନ କରିଥାନ୍ତି । ସେମାନେ ସବୁ ପାପତାପରୁ ତ ମୁକ୍ତି ହୁଅନ୍ତି, ପ୍ରଭୁଙ୍କ କୃପା ବଳରେ ସେମାନଙ୍କୁ ପରମଧାମ ପ୍ରାପ୍ତ ହୋଇଥାଏ ।
-୦-
ଦୀକ୍ଷା ମିଶନ, ପିପିଲି, ପୁରୀ
ଫୋନ୍ – ୭୦୦୮୮୧୬୮୯୧
email : dikshamission@gmail.com