ସାଲେପୁର,୦୪/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-ମାହାଙ୍ଗା ର ବହୁ ଚର୍ଚ୍ଚିତ ଡବଲ ମର୍ଡର ଘଟଣା ରେ ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି ଙ୍କୁ ସାଲେପୁର ଜେଏମଏଫସି କୋର୍ଟ କାରଣ ଦର୍ଶାଅ ନୋଟିସ ଜାରିକରିଛନ୍ତି । ପୂର୍ବରୁ ଏହି ମାମଲା ରେ ଥାନା ଅଧିକାରୀ ଙ୍କୁ ସିଡିଆର ରିପୋର୍ଟ ଦାଖଲ ପାଇଁ କହିଥିଲେ ହେଁ ସେ ଏଥିପାଇଁ ସମୟ ଗଡ଼ାଇ ଚାଲିଥିଲେ । ଆଜି ଏ ନେଇକୋର୍ଟ କାହିଁକି ତାଙ୍କ ବିରୁଦ୍ଧରେ ଶୃଙ୍ଖଳା ଗତ କାର୍ୟ୍ୟାନୁଷ୍ଠାନ ନିଆନଯିବ ସେ ନେଇ ନୋଟିସ ଜାରି କରିଛନ୍ତି । ଆଗାମୀ ୧୦ ତାରିଖ ସାଢ଼େ ୧୦ ଟା ମଧ୍ୟରେ ଏହା ର ଜବାବ ଦାଖଲ କରିବାକୁ ନୋଟିସ କରିଛନ୍ତି କୋର୍ଟ । କେବଳ ସେତିକି ନୁହେଁ, ୧୦ ତାରିଖ ସୁଦ୍ଧା ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ଦାଖଲ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାହାଙ୍ଗା ପୁଲିସ୍ ମାଗିଥିବା ମାସେ ଟାଇମ୍ ପିଟିସନକୁ ଖାରଜ କରିଦେଇଛନ୍ତି ଜେଏମ୍ଏଫ୍ସି କୋର୍ଟ।
ଚଳିତ ବର୍ଷ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ (୭୪) ଓ ସଂପର୍କୀୟ ଦିବ୍ୟ ସିଂହ ବରାଳ( ୮୨)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଥାନାରେ ଦିଆଇଥିବା ଏଫ୍ଆଇଆର୍ରେ ୧୩ ନମ୍ୱରେ ଥିଲା ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ। ହେଲେ ପରବର୍ତ୍ତି ସମୟରେ ତାଙ୍କ ନାଁକୁ ଏଫ୍ଆଇଆର୍ ରୁ କାଟି ଦିଆଯାଇଥିଲା। ଏହା ବିରୁଦ୍ଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ।
ଏହି ଡ଼ବଲ ମର୍ଡର ମାମଲାରେ ପ୍ରୋଟେଷ୍ଟ ପିଟିସନର ଶୁଣାଣି କରି ମାମଲାର ପୁନଃ ତଦନ୍ତ କରି ସାନି ଚାର୍ଜସିଟ୍ କରିବାକୁ ଅଗଷ୍ଟ ମାସରେ ମାହାଙ୍ଗା ଥାନା ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମଏଫସି। ଅଗଷ୍ଟ ମାସରୁ ଏହି ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ୩ ମାସ ହେଲା ପୁଲିସ୍ କେବଳ ସମୟ ଗଡ଼ାଇ ଚାଲିଥିଲା । ପୁଲିସ୍ ନା ଘଟଣାର ପୁନଃ ତଦନ୍ତ କରୁଥିଲା ନା ଚାର୍ଜସିଟ୍ ଦାଖଲ କରୁଥିଲା । ଯେଉଁଥିପାଇଁ କୋର୍ଟ ମାହାଙ୍ଗା ଥାନା ଅଧିକାରୀଙ୍କୁ ଉତ୍ସନା କରିଥିଲେ। ଏପରିକି ନଭେମ୍ବର ୨୫ ତାରିଖ ସୁଦ୍ଧା ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଏଫ୍ଆଇଆର୍ ରେ ୧୩ ନମ୍ବର ମୁଦାଲା ଭାବେ ସ୍ଥାନ ପାଇଥିବା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଏହି ଅଭିଯୋଗରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ତଥା ପିଏ ବାପି ବିଶ୍ୱାଳ, ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ମୃତ ପ୍ରଫୁଲ୍ଲ ବିଶ୍ୱାଳ ଓ ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କ ସିଡିଆର ରିପୋର୍ଟ ନଭେମ୍ବର ୨୯ ତାରିଖରେ ସୁଦ୍ଧା କୋର୍ଟରେ ଦାଖଲ ପାଇଁ ସାଲେପୁର ଜେଏମ୍ଏଫ୍ସି ମାହାଙ୍ଗା ଥାନା ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପୁଲିସ୍ ଏହା ଦାଖଲ କରିନଥିଲା।
ଜେଏମ୍ଏଫ୍ସି କୋର୍ଟ ବିଚାରପତି ନଭେମ୍ବର ୨୯ ତାରିଖରେ ଛୁଟିରେ ଥିବାରୁ ଡ଼ିସେମ୍ବର ୨ ତାରିଖରେ ସିଡ଼ିଆର୍ ରିପୋର୍ଟ ଓ ପୁନଃ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ୨ ତାରିଖରେ ପୁଲିସ୍ ରିପୋର୍ଟ ଦାଖଲ କରିନଥିଲା। ଏହାକୁ ବିଚାର କରି କୋର୍ଟ କ୍ଷୁବ୍ଧ ହେବା ସହ ଆଇଆଇସିଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ମାହାଙ୍ଗା ଥାନା ଆଇଆଇସି ୩ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ନହୋଇ ସରକାରୀ ଓକିଲ ମାଧ୍ୟମରେ ୪ ସପ୍ତାହ ସମୟ ମାଗିଥିଲେ। ଯାହାକୁ ନେଇ କୋର୍ଟ ଅବମାନନା ହୋଇଥିବା ନେଇ ଏବେ ଥାନା ଅଧିକାରୀଙ୍କୁ ସାଲେପୁର ଜେଏମଏଫସି ନୋଟିସ୍ ଜାରି କରିଛନ୍ତି । ଏହା ସହ ଡିସେମ୍ବର ୧୦ ତାରିଖ ସାଢ଼େ ୧୦ ସୁଦ୍ଧା ପୁନଃ ତଦନ୍ତ ରିପୋର୍ଟ ଓ ତିନି ଜଣଙ୍କ ସିଡିଆର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଓଡ଼ିଶା ସମାଚାର