ଆସିକା, ୦୪/୧୨/୨୦୨୧(ଓଡ଼ିଶା ସମାଚାର)- କଡା ସୁରକ୍ଷା ବଳୟ ଭିତରେ ସୁମିତ ଓ ତପସ୍ୱିନୀ । ଏସଡିଜେଏମ କୋର୍ଟଙ୍କ ନିର୍ଦେଶ କ୍ରମେ ଆସିକା ଥାନା ଅଧିକାରୀଙ୍କ ତତ୍ୱାବଧାନରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଦିନଟି ଅତିବାହିତ କରିଛନ୍ତି । ପରିସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡୁଛି କି ଉଭୟ ଭଲରେ ଅଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା କହିଛନ୍ତି ଦାୟିତ୍ୱରେ ଥିବା ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ. । କଡା ସୁରକ୍ଷା ବଳୟରେ ସେମାନଙ୍କୁ ଜଗି ରହିଛି ଆସିକା ପୋଲିସର ଏକ ଟିମ୍ । ଉଭୟ ଦମ୍ପତି ମଧ୍ୟରେ ଥିବା ମନମାଳିନ୍ୟ ଦୂର କରିବା ପାଇଁ ଏସ ଡି ଜେ ଏମ କୋର୍ଟ ଉଭୟଙ୍କୁ ଅଧିକା ସମୟ ମିଳାମିଶା କରିବା ପାଇଁ ନିରୋଳାରେ ଦମ୍ପତିକୁ ଛାଡି ଦିଆଯାଇଛି । ଆସିକା ଠାରୁ ଆଠ କିଲୋମିଟର ଦୂରରେ ଥିବା ବାଲିସିର ମେଡିକାଲରେ କାର୍ଯ୍ୟ କରନ୍ତି ଡାକ୍ତର ସୁମିତ । ବର୍ତମାନ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହେଉଥିବା ବେଳେ ଏ ନେଇ କଣ କରାଯିବ ଆସିକା ଥାନା ଅଧିକାରୀଙ୍କ ପାଖରେ କୌଣସି ସୂଚନା ନାହିଁ ।
ଆଗକୁ ତର୍ଜମା କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ । କୋର୍ଟର ନିର୍ଦେଶକୁ ସମ୍ମାନ ଦେବା ସହିତ ବର୍ତମାନ ଉଭୟ ଦମ୍ପତି ଆସିକା ଚିନୀଶିଳ୍ପ ଡାକ ବଙ୍ଗଳା ଠାରେ ରହିଛନ୍ତି । ସେଠାକୁ କୌଣସି ବ୍ୟକ୍ତି ବିଶେଷ କିମ୍ବା ଉଭୟଙ୍କ ସମ୍ପର୍କୀୟଙ୍କୁ ସେଠାକୁ ଯିବା ନିଷେଧ ଥିବା ବେଳେ ପୋଲିସ ଟିମ ଜଗି ରହିଛି ଦମ୍ପତିଙ୍କୁ । ପ୍ରତିଦିନ ଆସିକା ଥାନା ଅଧିକାରୀ ସେମାନଙ୍କ ଗତିବିଧି ଅନୁଧ୍ୟାନ କରି ସୂଚନା ଦେବା ନିମନ୍ତେ କହିଛନ୍ତି ଏସ ଡି ଜେ ଏମ କୋର୍ଟ ।ଓଡ଼ିଶା ସମାଚାର