ପାଟକୁରା, ୦୨/୧୨/୨୦୨୧(ଓଡ଼ିଶା ସମାଚାର)- ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯିବା ପରେ ଏହାକୁ ଗଣ ମାଧ୍ୟମରେ ଘନ ଘନ ପ୍ରଚାର କରାଯାଉଛି । କ୍ଷେତରେ ଥିବା ପାଚିଲା ଧାନକୁ କାଟି ଆଣି ସୁରକ୍ଷିତ ଭାବେ ସଂରକ୍ଷିତ କରିବା ପାଇଁ କୃଷି ବିଭାଗ ପକ୍ଷରୁ ମଧ୍ୟ ପରାମର୍ଶ ଦିଆଯାଇଛି । ତେଣୁ ଚାଷୀ ତରବର ହୋଇ କ୍ଷେତରୁ ପାଚିଲା ଧାନ କାଟିଆଣିବା ପାଇଁ ଲାଗିଥିବାବେଳେ ହାଟ ବଜାରରେ ପନି ପରିବା ର ଦର ବଢ଼ିଯାଉଥିବା ଅଭିଯୋଗ ହେଉଛି । ସହଯେ ବଜାରରେ ପନି ପରିବା ଦର ଆକାଶ ଛୁଆଁ ଥିଲା । ଏବେ ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯିବା ପରେ ହାଟ ବଜାରରୁ ଆଳୁ ଉଭାନ ହେବାକୁ ବସିଲାଣି । ଗତକାଲି ଆଳୁ ୩ କେଜି କୁ ୪୦ ଟଙ୍କା ଥିଲା । ହେଲେ ଆଜି ୩ କେଜି ଆଳୁ ୫୦ ଟଙ୍କା ରେ ହାଟ ବଜାରରେ ବିକ୍ରୟ କରାଯାଉଛି । ସେଥିରେ ପୁଣି ଦୋକାନ ମାନଙ୍କରେ ଆଳୁ ର ଅଭାବ ଦେଖାଦେଲାଣି । ଆଳୁ କୁ କିଛି ବ୍ୟବସାୟୀ ହୋଡ଼ିଂ କରି ରଖିଦେଇଛନ୍ତି, ବାତ୍ୟା ପରେ ଚଢ଼ା ଦରରେ ବିକ୍ରି କରିବାକୁ ଲକ୍ଷ ରଖି ବ୍ୟବସାୟୀମାନେ ଏଭଳି କରୁଛନ୍ତି ବୋଲି ଖାଉଟୀମାନେ ଅଭିଯୋଗ କରିଛନ୍ତି । ଆଳୁ ଏଭଳି ଏକ ପରିବା , ଯାହା ସବୁ ତରକାରୀ ରେ ପଡ଼ିଥାଏ । ଘରେ କିଛି ନଥିଲେ ମଧ୍ୟ ଖାଲି ଡ଼ାଲି ଆଳୁ ଥିଲେ ତରକାରୀ ହେଉ କିମ୍ବା ଭର୍ତା କରି ଭାତ ଖାଇ ଦେଇହେବ । ତେଣୁ ସବୁ ପରିବାରର ଆଳୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ପରିବା ହୋଇଥିବାରୁ ବ୍ୟବସାୟୀମାନେ ମନ ଇଛା ଆଳୁର ଦର ବଢ଼ାଇବା ଆରମ୍ଭ କଲେଣି । ଏଭଳି ସମୟରେ ଯୋଗାଣ ବିଭାଗ ପକ୍ଷରୁ ହାଟ ବଜାର ମାନଙ୍କରେ ମନଇଛା ଆଳୁ ଦର ନବଢ଼ାଇବା ଓ ହୋଡ଼ିଂ ନକରିବା ପାଇଁ ବ୍ୟବସାୟୀ ମାନଙ୍କୁ ନିର୍ଦ୍ଧେଶ ଦେବା ଏବଂ ଯେଉଁ ବ୍ୟବସାୟୀମାନେ ଆଳୁକୁ ହୋଂଡ଼ିଂ କରି ରଖୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଖାଉଟି ମହଲରୁ ଦାବି ହେଉଛି । ବିଡ଼ିଓ ରଂଜିତ କୁମାର ମଲିକ ଯୋଗାଣ ବିଭାଗ ନିରୀକ୍ଷକ ଙ୍କୁ ବାତ୍ୟା ଆଶଙ୍କାରେ କଳାବଜାର କରିବା ପାଇଁ ହୋଡ଼ିଂ କରୁଥିବା ବ୍ୟବସାୟୀ ମାନଙ୍କ ଉପରେ ଚଢ଼ାଉ କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ଓଡ଼ିଶା ସମାଚାର