Saturday , November 26 2022
Breaking News
Home / କୃଷି / ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପବର୍ଷା ସମ୍ପର୍କରେ କୃଷିବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କତା

ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପବର୍ଷା ସମ୍ପର୍କରେ କୃଷିବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କତା

ଗରଦପୁର, ୦୧/୧୨/୨୦୨୧(ଓଡ଼ିଶା ସମାଚାର)- ସମ୍ଭାବ୍ୟ ବାତ୍ୟା ଓ ଏହାର ପ୍ରଭାବରେ ଲଘୁଚାପ ଜନିତ ଅଦିନିଆ ବର୍ଷା ଆସନ୍ତା ୪/୫ ତାରିଖ ବେଳକୁ ଉପକୂଳ ଜିଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ଭାବରେ ବର୍ଷା ହେବା ଦ୍ୱାରା ଜମିରେ ପାଚିଥିବା ପାଚିଲା ଧାନଫସଲ କ୍ଷତି ଘଟିବା ଆଶଙ୍କାରେ ଚାଷୀ ଆତଙ୍କିତ ହୋଇପଡିଛନ୍ତି । ଆଜି ଗରଦପୁର ବ୍ଲକ୍ ‘ଆତ୍ମା’ ପକ୍ଷରୁ ଗରଦପୁର ବ୍ଳକ ର ୧୮ଗୋଟି ପଂଚାୟତର ବିଭିନ୍ନ ଗ୍ରାମରେ ଡାକବାଜି ଯନ୍ତ୍ର ଦ୍ୱାରା ଚାଷୀମାନଙ୍କୁ ଏସମ୍ପର୍କରେ ସତର୍କ କରାଇ ଦିଆଯାଇଛି । ଜମିରେ କଟାଯାଇଥିବା ଧାନକୁ ଖଳାକ୍ଷେତକୁ ଉଠାଇ ଆଣିବା, କଟାଯାଇଥିବା ଧାନକୁ ପଲିଥିନ୍ ଘୋଡାଇ ରଖିବା, କ୍ଷେତରେ କଟାଯାଇଥିବା ଧାନକୁ ଉଚ୍ଚା ସ୍ଥାନକୁ ଉଠାଇ ପଲିଥିନ ଘୋଡାଇ ରଖିବା ପାଇଁ କୃଷକମାନଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା କରାଯାଇଛି । ଏହି ଅବସରରେ ଗରଦପୁର ବ୍ଳକର କୃଷି କାର୍ଯ୍ୟାଳୟରେ ବ୍ଲକ୍ କୃଷି ଅଧିକାରିଣୀ ମଧୁସ୍ମିତା ଜେନା,ଗରଦପୁର ବ୍ଳକ୍ ‘ଆତ୍ମା’ର ଅଧ୍ୟକ୍ଷ ଦୀପକ୍ କୁମାର ରାଉତ ଓ କୃଷକସାଥୀମାନେ ଉପସ୍ଥିତ ରହି ଲଘୁଚାପ ଜନିତ ବର୍ଷା ପରିସ୍ଥିତିକୁ କିପରି ଭାବରେ ମୁକାବିଲା କରାଯିବ ସେ ସମ୍ପର୍କରେ ଆଲୋଚନା କରିଛନ୍ତି । କୃଷକମାନେ ଉତ୍ପାଦିତ ଫସଲକୁ ସଂରକ୍ଷିତ କରିବା,ବର୍ଷା ଆରମ୍ଭ ପୂର୍ବରୁ ଯଥା ସମ୍ଭବ ଜମିରୁ ଫସଲ ଉଠାଇବା,ପନିପରିବା ଫସଲକୁ ସୁରକ୍ଷା ଦେବା ଆଦି ସମ୍ପର୍କରେ କୃଷକମାନଙ୍କୁ ସଚେତନ କରିବା ପାଇଁ ବ୍ଲକ କୃଷି ବିଭାଗ ପକ୍ଷରୁ ପ୍ରତ୍ୟେକ ପଂଚାୟତରେ ଥିବା କୃଷକସାଥୀ ମାନଙ୍କୁ ପରାମର୍ଶ ଦିଆଯାଇଛି । କୃଷି ବିଭାଗ ସୂତ୍ରରୁ ଜଣାଯାଇଛି ଯେ, ଗରଦପୁର ବ୍ଳକ୍ ଅଂଚଳରେ ମୋଟ ୭ ହଜାର ୭୩୦ହେକ୍ଟର ଜମିରେ ଧାନ ଚାଷ କରାଯାଇଛି । ସେଥି ମଧ୍ୟରୁ୧ହଜାର୧୩୦ ହେକ୍ଟର ଜମିରେ ବିଅଳି କିସମ୍ ଓ ସଅଳ କିସମ୍ ଧାନ ଚାଷ କରାଯାଇଛି । ଯାହାକି ଚାଷୀମାନେ ଏହି କିସମ ଧାନକୁ କାଟି ସାରିଛନ୍ତି । ଆଜି ସୁଦ୍ଧା ୬ ହଜାର୬୦୦ ହେକ୍ଟର ଜମିରେ ପାଚିଲା ଓ ଅର୍ଦ୍ଧପାଚିଲା ଧାନ ରହିଛି । ସେହିପରି ଏହି ବ୍ଲକରେ ୫ଶହ ହେକ୍ଟର ଜମିରେ ବିରି ଚାଷ କରାଯାଇଥିବାବେଳେ,୨୨୫ ହେକ୍ଟର ଜମିରେ ଶୋରିଷ ଚାଷ କରାଯାଇଛି । ପନିପରିବା ୨ଶହ ହେକ୍ଟର ଜମିରେ ଚାଷ କରାଯାଇଥିବାବେଳେ,୩୦ହେକ୍ଟର ଜମିରେ ଚିନାବାଦାମ ଲଗାଯିବା କାମ ଶେଷ ହୋଇଛି ବୋଲି ଆତ୍ମାର ଅଧ୍ୟକ୍ଷ ଶ୍ରୀ ରାଉତ ସୂଚନା ଦେଇଛନ୍ତି ।ଏପରିସ୍ଥଳେ ବାତ୍ୟା ଓ ବର୍ଷା ଆଶଙ୍କାରେ କେତେକ ଚାଷୀ ଅତି ତରବର ସହକାରେ ଜମିରୁ ପାଚିଲା ଧାନ କାଟି ବୋହି ଆଣିବାରେ ଲାଗିଛନ୍ତି । ମାତ୍ର କୃଷି ଶ୍ରମିକମାନଙ୍କ ଅଭାବ ରହିଥିବାରୁ ଆଉ ମାତ୍ର ଦୁଇ ଦିନ ମଧ୍ୟରେ ପାଚିଥିବା ଧାନ କାଟିବା ସମ୍ଭବ ହେଉ ନାହିଁ । ଏ ନେଇ ଅଂଚଳର ବରିଷ୍ଠ ଚାଷୀମାନଙ୍କ ମଧ୍ୟରେ ଭାଳେଣି ପଡିଛି । କେତେକ ଚାଷୀ ମେସିନ୍ ଲଗାଇ ଧାନ କାଟିବା ଯୋଜନା କରୁଥିବାବେଳେ,ଅଂଚଳରେ ଆବଶ୍ୟବ ଧାନକଟା ମେସିନ୍ ଉପଲବ୍ଧ ନାହିଁ । ଡିସେମ୍ବର ମାସ ଠାରୁ ଜାନୁଆରୀମାସର ଶେଷ ପର୍ଯ୍ୟନ୍ତ ହେଉଛି ଧାନ ଅମଳର ସମୟ । ଏହି ସମୟରୁ ଚାଷୀ ଜମିରେ କରିଥିବା ଫସଲକୁ ଅମଳ କରିଥାଆନ୍ତି । ମାତ୍ର ଅଦିନିଆ ବର୍ଷା ଓ ବାତ୍ୟା କୃଷକମାନଙ୍କ ପ୍ରତି ଦାଉ ସାଧୁଛି ବୋଲି ବରିଷ୍ଠ ଚାଷୀମାନେ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.