Thursday , January 20 2022
Breaking News
Home / ଶିକ୍ଷା / ଅବହେଳିତ ଶୀତଳେଶ୍ୱରୀ ସରକାରୀ ବିଦ୍ୟାଳୟ

ଅବହେଳିତ ଶୀତଳେଶ୍ୱରୀ ସରକାରୀ ବିଦ୍ୟାଳୟ

୭ ଗୋଟି ଶ୍ରେଣୀକୁ ୩ଟି ଶ୍ରେଣୀ କକ୍ଷ – ଜଙ୍ଗଲିଆ ପରିବେଶ ପାଲଟିଛି ବିଷଧର ସର୍ପ ଙ୍କ ଘର
ଗରଦପୁର, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- ସରକାରୀ ବ୍ୟବସ୍ଥାରେ ବର୍ତମାନ ସମୟରେ ଶିକ୍ଷାନୁଷ୍ଠାନ ପ୍ରତି ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି । କେଉଁଠି ସ୍କୁଲ ଗୃହକୁ ରଙ୍ଗ ବେ-ରଙ୍ଗରେ ଚିତ୍ରଣ କରାଯାଉଛି ତ କେଉଁଠି ସ୍କୁଲର ପରିବେଶକୁ ଅତ୍ୟନ୍ତ ପରିଷ୍କାର ପରିଛନ୍ନ କରାଯାଉଛି । ସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ବସିବା ପାଇଁ ବେଂଚ ଓ ଡେସ୍କକୁ ଚକାଚକ୍ କରାଯାଉଛି । ଲକ୍ଷ୍ୟ ରହିଛି ଗ୍ରାମାଂଚଳର ଛାତ୍ରଛାତ୍ରୀମାନେ କିପରି ଭାବରେ ନିଜକୁ ଘରୋଇ ସ୍କୁଲ ଠାରୁ ନ୍ୟୁନ ମନେ ନ କରି ସରକାରୀ ବିଦ୍ୟାଳୟକୁ ଯାଇ ଉନ୍ନତମାନର ଶିକ୍ଷା ପାଇ ପାରିବେ । ଏଥି ପାଇଁ ସରକାର ହାତ ଖୋଲା ଖର୍ଚ୍ଚ ମଧ୍ୟ କରୁଛନ୍ତି । ହେଲେ ଏହାରି ମଧ୍ୟରେ ଏକ ଚିତ୍ର ଦେଖିବାକୁ ମିଳିଛି ଗରଦପୁର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ପଦ୍ମପୁର ଠାରେ ଥିବା ଶୀତଳେଶ୍ୱରୀ ସରକାରୀ ସ୍କୁଲ । ଏହି ସ୍କୁଲରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ରହିଛି । ମାତ୍ର ଏଠାରେ ଶ୍ରେଣୀ ଗୃହର ଅଭାବ ଦେଖାଯାଇଛି । ବିଦ୍ୟାଳୟ ପରିସର ମଧ୍ୟରେ ରହିଥିବା ପୁରୁଣା ଆଜବେଷ୍ଟସ୍ ଘରଗୁଡିକ ଭାଙ୍ଗିରୁଜି ଗଲାଣି । ବର୍ଷା ହେଲେ ଏହି ଘର ମଧ୍ୟରେ ବର୍ଷା ପାଣି ଜମି ରହିବାରୁ ବ୍ୟବହାର ଅନୁପଯୋଗୀ ହୋଇ ପଡିଛି । ଶ୍ରେଣୀ ଗୃହର ଅଭାବରୁ ଏଠାରେ ୩ ଗୋଟି ଶ୍ରେଣୀ ଗୃହରେ ୭ ଗୋଟି ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରାଯାଉଛି । ଏହି ସ୍କୁଲରେ ଶ୍ରେଣୀ ଗୃହର ଅଭାବ ରହିଥିବାରୁ ଗତ୨୦ ବର୍ଷ ପୂର୍ବରୁ ଏହି ବିଦ୍ୟାଳୟରେ ଏକ ଶ୍ରେଣୀ ଗୃହ ନିର୍ମାଣ କରାଯିବା ପାଇଁ ତତ୍କାଳିନ ବ୍ୟବସ୍ଥାରେ ଏକ ପକ୍କା ଘର ନିର୍ମାଣ କରାଯିବା ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ଘରର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ନିମଟାଲ୍ ପର୍ଯ୍ୟନ୍ତ ନିର୍ମିତ ହୋଇଛି । ଦୀର୍ଘ ବର୍ଷ ହେଲା ଏହି କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡି ରହି ପରିତ୍ୟକ୍ତ ଅବସ୍ଥା ସୃଷ୍ଟି ହୋଇଛି । ଏହି ଘର ମଧ୍ୟରେ ଦୀର୍ଘ ଦିନ ଧରି ଆବର୍ଜ୍ଜନା ପଡି ରହି ଜଙ୍ଗଲିଆ ପରିବେଶ ସୃଷ୍ଟି ହୋଇଛି । ବର୍ଷବର୍ଷ ଧରି ଜଙ୍ଗଲିଆ ପରିବେଶ ରହୁଥିବାରୁ ଏଠାରେ ବିଷଧର ସର୍ପମାନେ ରହିବା ଆଶଙ୍କା ପ୍ରକାଶ ପାଉଛି । ଦୀର୍ଘ ବର୍ଷରୁ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଏହି ଗୃହକୁ ପୂର୍ଣ୍ଣାଙ୍କ ଭାବରେ ନିର୍ମାଣ କରାଯିବା ଓ ଭାଙ୍ଗିରୁଜିଯାଇଥିବା ପୁରୁଣା ଆଜବେଷ୍ଟସ୍ ଗୃହକୁ ଭାଙ୍ଗି ନୂତନ ଭାବରେ ପକ୍କା ଗୃହ ନିର୍ମାଣ କରାଯିବା ପାଇଁ ଛାତ୍ରାଭିଭାବକ ମହଲରୁ ଦାବି କରାଯାଇଛି । ଏ ସମ୍ପର୍କରେ ପଦ୍ମପୁର ସରପଂଚ ସ୍ୱର୍ଣ୍ଣଲତା ରାଉତ ପ୍ରକାଶ କରିଛନ୍ତି ଯେ,ବିଦ୍ୟାଳୟର ଉନ୍ନତିକରଣ କରାଯାଇ ଶ୍ରେଣୀ ଗୃହରେ ବେଂଚ,ଡେସ୍କ ପକାଯାଇଛି । ଶ୍ରେଣୀ ଗୃହର ସମସ୍ୟା ରହିଛି । ଏ ସମ୍ପର୍କରେ ଗରଦପୁର ବ୍ଲକର ଶିକ୍ଷା ଅଧିକାରୀ ଅଜୟ କୁମାର ସେଠୀଙ୍କୁ ପଚାରିବାରୁ ସେ କହନ୍ତି ଯେ, ବିଦ୍ୟାଳୟ ପରିସରରେ ଦୀର୍ଘ ବର୍ଷରୁ ପଡି ରହିଥିବା ପରିତ୍ୟକ୍ତ ଘରକୁ ପରିବର୍ତନ କରାଯାଇ ଛାତ୍ରଛାତ୍ରୀମାନଙ୍କ ପାଇଁ ଡାଇନିଙ୍ଗ ହଲ୍ ନିର୍ମାଣ କରାଯିବା ପାଇଁ ଦୁଇ ବର୍ଷ ପୂର୍ବରୁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଥିଲା । ମାତ୍ର ଏଠାରେ ପରିଚାଳନା କମିଟି ନ ଥିବାରୁ ଗୃହ ର୍ନିମାଣ କରାଯିବା ପାଇଁ ବିଭିନ୍ନ ସମସ୍ୟା ସୃଷ୍ଟି ହେଲା । ସେହିପରି ଚଳିତ ବର୍ଷ ମଧ୍ୟ ଏକ ଗୃହ ନିର୍ମାଣ କରାଯିବା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଥିବାବେଳେ, କେତେକ ବାଧକ ଉପୁଜିବାରୁ ତାହା ମଧ୍ୟ ବନ୍ଦ ରହିଛି । ଓଡ଼ିଶା ସମାଚାର

About admin

Check Also

ମହିଳା ମହାବିଦ୍ୟାଳୟରେ ଏନଏସଏସ ର ଶୀତକାଳୀନ ଶିବିର ଉଦଯାପିତ

ଭୁବନ,୧୦/୧/୨୦୨୨ (ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟସେବା ଯୋଜନା (ଏନଏସଏସ ) ଆନୁକୂଲ୍ୟରେ ଗତ ୨ ତାରିଖ …

Leave a Reply

Your email address will not be published. Required fields are marked *