Saturday , November 26 2022
Breaking News
Home / ବିଶେଷ / ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ବାଜପୁରା ପଞ୍ଚାୟତ ମାର୍କେଟ କମ୍ପ୍ଲେସ ଉଦଘାଟିତ

ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ବାଜପୁରା ପଞ୍ଚାୟତ ମାର୍କେଟ କମ୍ପ୍ଲେସ ଉଦଘାଟିତ

ମାହାଙ୍ଗା ,୨୯/୧୧/୨୦୨୧(ଓଡିଶା ସମାଚାର/ ଅଭୟ ଜେନା ) -ବାଜପୁରା ପଞ୍ଚାୟତ ମାହାଙ୍ଗା ବ୍ଲକର ଏକ ଅଗ୍ରଣୀ ପଂଚାୟତ ଭାବେ ନିଜକୁ ଗଢି ତୋଳିବାରେ ସକ୍ଷମ ହୋଇପାରିଛି ବୋଲି ଆଇନ ମନ୍ତ୍ରୀ ଏକ ସଭାରେ କହିଛନ୍ତି । ଏହି ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ପାଇଁ ପର୍ୟ୍ୟାପ୍ତ ପରିମାଣର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ଓ ପଞ୍ଚାୟତବାସୀଙ୍କ ସହଯୋଗ ଫଳରେ ଏହାର ସଠିକ ବିନିଯୋଗ ହୋଇପାରିଛି । ଏହି ଅଂଚଳରେ ଥିବା ଚାଷୀ ଓ ବ୍ୟବସାୟୀ ମାନଙ୍କ ଆର୍ଥିକ ବିକାଶ ପାଇଁ ଏଠାରେ ୧୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚରେ ନିର୍ମିତ ଏକ ମଡେଲ ମାର୍କେଟ କମ୍ପ୍ଲେସ ରବିବାର ଅପରାହ୍ନରେ ମନ୍ତ୍ରୀ ପ୍ରତାପ ଜେନାଙ୍କ କର କମଳରେ ଉଦଘାଟିତ ହୋଇଯାଇଛି । ଆଇନି ମନ୍ତ୍ରୀ ଶ୍ରୀ ଜେନା ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଗରୀବ ଓ ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ କରି କହିଲେ ଏକତା ଓ ଭାଇଚାରା ବଜାୟ ରଖିବା ଦ୍ୱାରା ଗ୍ରାମାଞ୍ଚଳର ବିକାଶ ହୋଇଥାଏ । ଏହି ଉତ୍ସବରେ ବ୍ଲକ ଚେୟାରମ୍ୟାନ ଶରତ ନାୟକ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ବ୍ଲକ ସଂଖ୍ୟାଲଘୁ କମିଟି ସଭାପତି ରିଆଯୁଲ ହୋଦା, ଜିଲ୍ଲା ବିଜେଡି ସଂପାଦକ ପ୍ରଶାନ୍ତ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରଭାତ ରାଉତ, ସମାଜସେବୀ ପ୍ରଶାନ୍ତ ରାଉତ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ ।
ବିରୂପା ନଦୀର ଜୟପୁର ସେତୁ ନିକଟରୁ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଏକ ବିରାଟ ପଟୁଆରରେ ବାଜପୁରା ଗାଁ’ କୁ ପାଛୋଟି ନିଆଯାଇଥିଲା । ପଞ୍ଚାୟତର ଶହଶହ ମହିଳା ଓ ମୁରବୀ ତଥା ବୁଦ୍ଧିଜୀବୀ ମାନେ ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ । ତେବେ ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଏକ ବିରୋଧି ରାଜନୈତିକ ଦଳ ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯିବା ପାଇଁ କିଛି ମୁଷ୍ଟିମେୟ ଅସାମାଜିକ ଯୁବକ ମସୁଧା କରୁଥିବା ସମ୍ପର୍କରେ ଗୁଇନ୍ଦା ବିଭାଗ ସୂଚନା ପାଇବାରୁ ପୋଲିସ ଘଟଣାସ୍ଥଳୀରେ ପହଂଚି ଥିଲା ଓ ବିରୋଧି ମାନଙ୍କୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ ଫଳରେ ସେମାନେ ଫେରାର ହୋଇଯାଇଥିଲେ । ଏକ ନିର୍ଦ୍ଦିଷ୍ଟ ଦଳ ପକ୍ଷରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀର କେତେକ ପଞ୍ଚାୟତରେ ଅରାଜକତା ଓ ଅସାମାଜିକ କାର୍ୟ୍ୟ କଳାପ ପାଇଁ ଯୁବକ ମାନଙ୍କୁ ପ୍ରୋତ୍ସାହିତ କରାଯିବା ଘଟଣାକୁ ବୁଦ୍ଧିଜୀବୀ ମାନେ ନାପସନ୍ଦ କରିଛନ୍ତି । ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ବିରୋଧ ଦଳ ମାହାଙ୍ଗାରେ ଜନମତକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ ଚଳେଇ ଥିବାରୁ ଆସନ୍ତା ପଂଚାୟତ ନିର୍ବାଚନରେ ଲୋକେ ଏହାର ଉଚିତ ଜବାବ ଦେବାକୁ ଯୁବ ବିଜେଡି ନେତା ପ୍ରଶାନ୍ତ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.