Saturday , November 26 2022
Breaking News
Home / ବିଶେଷ / ବୁଦ୍ଧବିହାରରେ “ସମ୍ବିଧାନ ଦିବସ’ ପାଳନ

ବୁଦ୍ଧବିହାରରେ “ସମ୍ବିଧାନ ଦିବସ’ ପାଳନ

ଭୁବନେଶ୍ୱର ,୨୯/୧୧/୨୦୨୧(ଓଡ଼ିଶା ସମାଚାର)-ଗତ ତା ୨୬.୧୧.୨୦୨୧ରିଖରେ ଭୁବନେଶ୍ୱର କଳିଙ୍ଗ ବୁଦ୍ଧବିହାର ସଭାକକ୍ଷରେ “ସମ୍ବିଧାନ ଦିବସ’ ପାଳନ ଅବସରରେ ଆଲୋଚନାଚକ୍ର “ପ୍ରବୁଦ୍ଧ ଭାରତ’ ଅନୁଷ୍ଠିତ ହୋଇଯାଇଅଛି । ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ପୃଥିବୀର ଅନ୍ୟତମ ଶ୍ରେଷ୍ଠ ଜ୍ଞାନୀ ଡଃ ଭୀମରାଓ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ସଭା ସ୍ୱାଧୀନ ଭାରତର ସମ୍ବିଧାନକୁ ଅନୁମୋଦନ କରିଥିଲେ । ଏହି ସମ୍ବିଧାନ ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଠାରୁ କାର୍ଯ୍ୟକାରୀ କରାଯାଇ ଆମ୍ଭମାନଙ୍କୁ ମାନବିକ ଅଧିକାର ମିଳିବାର ବ୍ୟବସ୍ଥା କରାଯାଇଅଛି । ୨୦୧୫ ମସିହା ବାବାସାହେବଙ୍କ ୧୨୫ତମ ଜୟନ୍ତୀ ଅବସରରେ ଭାରତ ସରକାର ସରକାରୀ ସ୍ତରରେ ଏହି ଦିବସଟିକୁ ସମ୍ବିଧାନ ଦିବସ ରୂପେ ପାଳନ କରିଆସୁଛନ୍ତି । ବହୁବିଧ ବିଭିନ୍ନତା ମଧ୍ୟରେ ବାବାସାହେବ ମୁଖ୍ୟତଃ ସମ୍ବିଧାନ ପ୍ରଣୟନ କରି ଭାରତର ସମ୍ବିଧାନକୁ ପୃଥିବୀର ଶ୍ରେଷ୍ଠ ସମ୍ବିଧାନ ଭାବେ ପ୍ରତିଷ୍ଠା କରିପାରିଛନ୍ତି । ସେ ମଧ୍ୟ ପୃଥିବୀର ଜଣେ ଶ୍ରେଷ୍ଠ ସମ୍ବିଧାନବିତ୍ ଭାବରେ ନିଜକୁ ପରିଚିତ କରାଇ ପାରିଥିଲେ । ଭାରତର ସମ୍ବିଧାନ ମୁଖ୍ୟତଃ ଭଗବାନ ବୁଦ୍ଧଙ୍କ ନୀତି ଓ ଆଦର୍ଶ ଉପରେ ଆଧାରିତ । ଧର୍ମନିରପେକ୍ଷତା, ଗଣତନ୍ତ୍ର, ସମାଜବାଦ ଆଧାରରେ ଭାରତକୁ ଏକ ଜନମଙ୍ଗଳ ରାଷ୍ଟ୍ରରେ ପରିଣତ କରିବାର ଚିନ୍ତାଧାରା ପ୍ରାୟ ୨୭୦୦ ବର୍ଷ ପୂର୍ବେ ଭଗବାନ ବୁଦ୍ଧ ହିଁ ପକାଶ କରିଥିଲେ । ଅଶୋକସ୍ତମ୍ଭ, ଅଶୋକଚକ୍ର, ଜାତୀୟ ତି୍ରରଙ୍ଗା ପତାକାର ରଙ୍ଗ, ସର୍ବଜନ ହିତାୟ ଓ ସତ୍ୟମେବ ଜୟତେ ନୀତିବାଣୀ ସହିତ ସିଂହ, ହାତୀ, ବୃଷଭ ଆଦି ଚିହ୍ନ ବୌଦ୍ଧ ଧର୍ମର ସେଙ୍କତ ଅଟେ । ଭଗବାନ ବୁଦ୍ଧଙ୍କୁ ପୃଥିବୀର ଆଲୋକ ଭାବେ ସମଗ୍ର ବିଶ୍ୱ ଗ୍ରହଣ କରିସାରିଛି । ଆଜିର ପରମାଣୁ ଅସ୍ତ୍ର ଯୁଗରେ ବୁଦ୍ଧଙ୍କ ବାଣୀ ହିଁ ବିଶ୍ୱକୁ ଧ୍ୱଂସମୁଖରୁ ରକ୍ଷା କରିବାର ଏକମାତ୍ର ପନ୍ଥା । ଧର୍ମାନ୍ଧ ସନ୍ତ୍ରାସବାଦ, ଅସହିଷ୍ଣୁତା, ଦଳିତ ଓ ନାରୀ ନିର୍ଯ୍ୟାତନା, ପୁଞ୍ଜିପତି ସନ୍ତ୍ରାସବାଦୀମାନଙ୍କ ଶୋଷଣରୁ ଗରିବ, ମଜଦୁର୍ ମାନଙ୍କୁ ମୁକ୍ତ କରିବା ଓ ଦେଶର ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ଦେଇ ଶାନ୍ତି ଓ ସୌହାର୍ଦ୍ଧ୍ୟର ପରିବେଶ ସୃଷ୍ଟି କରିବା ନିମନ୍ତେ ଏହି ଆଲୋଚନାଚକ୍ରରେ ଆହ୍ୱାନ ଦିଆଯାଇଥିଲା । ତତସହିତ ଦେଶର ସାର୍ବଭୌମତ୍ୱ, ସମ୍ବିଧାନ ଓ ଆଇନକୁ ସମସ୍ତେ ସମ୍ମାନ ଦେବା ଓ ନାଗରିକମାନଙ୍କ ଅଧିକାରର ସୁରକ୍ଷା ନିମନ୍ତେ ନିବେଦନ କରାଯାଇଥିଲା । ଏହି ଦିବସରେ ସମସ୍ତେ ସମ୍ବିଧାନର ସୁରକ୍ଷା କରିବା ଜରୁରୀ ହୋଇପଡ଼ିବା ମତପ୍ରକାଶ କରିଥିଲେ । ସମ୍ବିଧାନକୁ ପରିବର୍ତନ କରିବା ପାଇଁ ଯୋଉ ହୀନ ଚକ୍ରାନ୍ତ ଚାଲିଛି, ସଭାରେ ତାହାର ନିନ୍ଦା କରାଯିବା ସହିତ ତା ୨୪.୧୧.୨୦୨୧ରିଖ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍, ବ୍ରହ୍ମଗିରି ଥାନା ଅନ୍ତର୍ଗତ ନାଥପୁର ଏବଂ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଜାକେଡା ଗ୍ରାମର ପ୍ରାୟ ୭୦ ଦଳିତ ପରିବାରର ୩୦୦ରୁ ଉଦ୍ଧ୍ୱର୍ ପୀଡ଼ିତମାନେ ସାମାଜିକ ସଂଗଠନ ଦଳିତ ଆଦିବାସୀ ସୁରକ୍ଷା ମଂଚ ସହାୟତାରେ ନ୍ୟାୟ ପାଇଁ ବିଧାନସଭା ସମ୍ମୁଖ ଲୋୟର ପିଏମଜି ଛକରେ ଦାବିପୂରଣ ପର୍ଯ୍ୟନ୍ତ ଅନଶନରେ ବସିଥିବା କାର୍ଯ୍ୟକ୍ରମକୁ ଏହି ସଭାରେ ଦୃଢ଼ ସମର୍ଥନ କରାଯିବା ସହିତ ପୀଡ଼ିତମାନଙ୍କୁ ଉଚିତ ନ୍ୟାୟ ଓ ସହାୟତା ଯୋଗାଇଦେବା ନିମିତ ସରକାରଙ୍କ ନିକଟରେ ଦାବି କରାଯାଇଥିଲା । ଇଂ ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଭଜମନ ବେହେରା ମୁଖ୍ୟ ଅତିଥି, ସମାଜସେବୀ ଶ୍ରୀଯୁକ୍ତ ମାନସ ଜେନା ମୁଖ୍ୟ ବକ୍ତା, ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ସେଠୀ, ଲକ୍ଷ୍ମୀପି୍ରୟା ବେହେରା ଓ ପମୋଦିନୀ ମଲ୍ଲିକ ବିଶିଷ୍ଟ ଅତିଥି, ଶ୍ରୀଯୁକ୍ତ ହରିଶ ବେହେରା, ଶେଖ ଅବଦୁଲ ୱାଲି, ଶ୍ରୀଯୁକ୍ତ ମାନଗୋବିନ୍ଦ ସେଠୀ, ଶ୍ରୀଯୁକ୍ତ ସୁନାକର ବେହେରା, ଅକ୍ଷୟ ମଲ୍ଲିକ ପ୍ରମୁଖ ବିଶିଷ୍ଟ ବକ୍ତା ଭାବେ ଭାଗ ନେଇଥିଲେ । ଏହି ଆଲୋଚନାଚକ୍ରଟିକୁ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଲକ୍ଷ୍ମଣ ମଲ୍ଲିକ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.