କେନ୍ଦ୍ରାପଡ଼ା, ୨୮/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋସ୍ଥିତ ପଥରକଣୀ ମନ୍ଦିର ପରିସରରେ ଶନିବାର କେନ୍ଦ୍ରାପଡାର ସ୍ୱାଭିମାନି, ସଂଗ୍ରାମୀ ଓ ସମାଜସେବୀମାନଙ୍କର ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଭାତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ସମାଜସେବୀ ଅକ୍ଷୟ କୁମାର ତରାଇ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ନିରଞ୍ଜନ ଦାସ, ଅଭୟ କୁମାର ପାତ୍ର, ରବିନ ଦାସ ପ୍ରମୁଖ ଯୋଗଦେଇ ବର୍ତମାନ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଭତାଟିଏ ପାଇଁ ବୃଦ୍ଧ ବୃଦ୍ଧାମାନେ ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟକୁ ଦୌଡୁଥିବା ବେଳେ ସେମାନଙ୍କ ସମସ୍ୟା ସମାଧାନ ହୋଇପାରୁନଥିବା ସହ ବାସହୀନ ଗରିବ ଲୋକଙ୍କୁ ବାସଗୃହ ଯୋଗାଇଦେବା, ରାସନକାର୍ଡ ଯୋଗାଇ ଦେବା ପ୍ରଭୃତି କ୍ଷେତ୍ରରେ ଚରମ ଅବହେଳା ପ୍ରଦର୍ଶନ କରାଯାଉଥିବା ବେଳେ ସମାଜସେବୀ ଶ୍ରୀ ତରାଇ ଏଭଳି ଲୋକଙ୍କ ପାଇଁ ସହାୟତାର ହାତ ବଢାଉଥିବା କୁହାଯାଇଛି । ଶ୍ରୀ ତରାଇ ‘ମୋ କେନ୍ଦ୍ରାପଡା’ ନାମରେ ଏକ ସୋସିଆଲ ମିଡିଆ ଗ୍ରୁପ ଖୋଲି ତାହା ମାଧ୍ୟମରେ ଗରିବ ଓ ଅସହାୟ ଲୋକମାନଙ୍କୁ ସାହାଯ୍ୟ ପ୍ରଦାନ କରୁଥିବା ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଶ୍ରୀ ତରାଇ ବିଭିନ୍ନ ସମୟରେ ସମାଜସେବା ମୂଳକ କାର୍ଯ୍ୟ କରି ଭିନ୍ନ ଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିବା ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା । ଆଗାମୀ ଦିନରେ ଏହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ସମସ୍ୟାକୁ ସମାଧାନ ପାଇଁ ଏବଂ ଗରିବ ଲୋକମାନଙ୍କୁ ସାହାଯ୍ୟ ପ୍ରଦାନ କରାଯିବାକୁ ଏହି ବନ୍ଧୁମିଳନରେ ନିବେଦନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୁବାଷ ଲେଙ୍କା, ନିହାର ମଲିକ,ବୈଲୋଚନ ବେହେରା, ସମରେନ୍ଦ୍ର ସାମଲ ପ୍ରମୁଖ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ଶତାଧିକ ବ୍ୟକ୍ତି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର