Saturday , November 26 2022
Breaking News
Home / ବିଶେଷ / ବିଶ୍ୱାସ ବଜାୟ ରଖନ୍ତୁ -ଶ୍ରୀ ଅଖଣ୍ଡ

ବିଶ୍ୱାସ ବଜାୟ ରଖନ୍ତୁ -ଶ୍ରୀ ଅଖଣ୍ଡ

ପରଂବ୍ରହ୍ମଙ୍କ ପାଖରେ ପରମପିତାଙ୍କୁ ପ୍ରତ୍ୟେକ୍ଷ ଭାବେ ଦର୍ଶନ କରି ଭକ୍ତମାନେ ସବୁକିଛି ସମର୍ପଣ କରିଦିଅନ୍ତି । ତନ, ମନ ଓ ଧନ ସବୁକିଛି ଭଗବାନଙ୍କ ପାଇଁ । ଭଗବାନଙ୍କ କୃପା, କରୁଣା ଓ କଲ୍ୟାଣ ଆମ ଉପରେ ନଥିଲେ ଆମେ ଧନ ସମ୍ପତି, ମାନ ସମ୍ମାନ ଆଦିର ଅଧିକାରୀ ହୋଇପାରିନଥାନ୍ତେ । ଏସବୁର ଅଧିକାରୀ ହୋଇଗଲା ପରେ ଆମେ ଆମ ପରମପିତାଙ୍କୁ କଣ ଭୁଲିଯିବା ଧର୍ମ ସଂଗତ ? ପ୍ରଭୁଙ୍କ ପ୍ରତି ଆମ ମନରେ ସବୁବେଳେ ପବିତ୍ରତା ରହିବା ଉଚିତ୍ । ସେ ହେଉଛନ୍ତି ପରମ ପବିତ୍ର ଓ ଆଦି ଦେବ । ଏକଥାକୁ ମଧ୍ୟ ଆମେ ଭୁଲିଯିବା ଉଚିତ୍ ନୁହେଁ । ସବୁକଥା ପାଇଁ ଆମେ ଭଗବାନଙ୍କୁ ହିଁ ଶ୍ରେୟ ଦେବା । ଆମେ ଯାହାକୁ ଖୁସୀ ବା ସଫଳତା ବୋଲି ଭାବୁଛୁ, ତାହା ଭଗବାନଙ୍କ ଦ୍ୱାରା ହିଁ ଆମ ପାଇଁ ଖଂଜା ଯାଇଛି । ଯେମିତି ବାପା-ମାମାନେ ପିଲାଙ୍କ ପାଇଁ ସବୁ ବ୍ୟବସ୍ଥା କରିଥାନ୍ତି, ସେହିଭଳି ଭାବରେ ପ୍ରଭୁ ମଧ୍ୟ ତାଙ୍କର ସନ୍ତାନସନ୍ତତି ବା ପ୍ରଜାମାନଙ୍କ ପାଇଁ ସବୁ ବନ୍ଦୋବସ୍ତ କରିଥାନ୍ତି । ଆମେ ଯାହା ଭୋଗୁଛେ, ତାହା ମଧ୍ୟ ଭଗବାନଙ୍କର ଆମ ପ୍ରତି କୃପା ବୋଲି ଭାବନ୍ତୁ । ତାହା ଦୁଃଖ ହେଉ କି ସୁଖ ! ଏହି ସମୟ ଖୁବ୍ ଶୀଘ୍ର ଅତିବାହିତ ହୋଇଯିବ । ତେଣୁ ଅଧିକ ଚିନ୍ତା କରନ୍ତୁ ନାହିଁ କିମ୍ବା ଦୁଃଖ ସମୟରେ ଭଗବାନଙ୍କ ଉପରେ ବିଶ୍ୱାସ ହରାନ୍ତୁ ନାହିଁ । ସେହି ଶ୍ରୀକୃଷ୍ଣ କେଶବ ଆପଣଙ୍କୁ ବିପଦରୁ ରକ୍ଷା କରିବେ । ପରମ କାରୁଣିକ ମହାପ୍ରଭୁଙ୍କ ମହାକୃପାରୁ ଆଜି ଏ ଧରଣୀ, ଏ ଆକାଶ, ଏ ବାରିଧି ସବୁକିଛି ଆନନ୍ଦ ଉଲ୍ଲାସରେ କାଳତିପାତ କରୁଛନ୍ତି । ପ୍ରଭୁଙ୍କ ନୟନର ଜ୍ୟୋତି ଯେମିତି ଆଶୀର୍ବାଦ ସ୍ୱରୂପ ସାରା ଜଗତକୁ ପ୍ରସାରିତ ହୋଇଛି ଏବଂ ସମସ୍ତଙ୍କୁ ଆନନ୍ଦିତ କରିଦେଉଛି । ମହାପ୍ରଭୁଙ୍କ ଶୀମୁଖ, ଶ୍ରୀଅଙ୍ଗ ଓ ଶ୍ରୀଅଧରକୁ ଦେଖି ଭକ୍ତ ବିମୋହିତ ହେଉଛି । ଏସବୁର ଆକର୍ଷଣ ଯୁଗ ଯୁଗରୁ ଶ୍ରଦ୍ଧାଳୁଙ୍କୁ ପ୍ରଭୁଙ୍କ ପ୍ରତି ଆକର୍ଷିତ କରେ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଆକର୍ଷଣ ଶକ୍ତି ଅନନ୍ୟ । ଏଥିରେ କିଛି ସ୍ୱାର୍ଥ ନଥାଏ । କିମ୍ବା କୌଣସି କାମନା ମଧ୍ୟ ନଥାଏ । ପ୍ରକୃତ ଭକ୍ତ ପ୍ରଭୁଙ୍କର କୃପା ଓ ଭକ୍ତି ହିଁ ମାଗିଥାଏ । ତା ପାଇଁ ଅନ୍ୟ କୌଣସି ସାଂସାରିକ ଐଶ୍ଚର୍ଯ୍ୟର କିଛି ମୂଲ୍ୟ ନଥାଏ । କିନ୍ତୁ ପ୍ରଭୁ ସବୁକିଛି ପ୍ରଦାନ କରିଥାନ୍ତି । ଧର୍ମକୁ ଧାରଣକରି ଏହାକୁ ଧରଣୀରେ ପାଳନ କରିବା ସହ ଏହାକୁ ସଂରକ୍ଷଣ କରିବା ହେଉଛି ଇଶ୍ୱରଙ୍କ ଧର୍ମ । ଆମେ ମଧ୍ୟ ଏଥିରେ ସାମିଲ ହେବା । ଧର୍ମକୁ ରକ୍ଷା କରିବା ପ୍ରତ୍ୟେକ ବ୍ୟକ୍ତିର କାର୍ଯ୍ୟ । ପରୋପକାର ହିଁ ଧର୍ମ । ଏହି ବାଟରେ ଆମକୁ ଚାଲିବାକୁ ହେବ । ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସବୁ ଧର୍ମ ଓ କର୍ମ ସମର୍ପଣ କରିଦିଅ । ସାରା ବିଶ୍ୱର ଯିଏ ମୁଖ ସଦୃଶ, ସେଇ ପ୍ରଭୁ ହେଉଛନ୍ତି ଧର୍ମଶୀଳ । ତେଣୁ ତାଙ୍କ ଭକ୍ତମାନେ ମଧ୍ୟ ଧର୍ମପରାୟଣ । ପ୍ରଭୁଙ୍କ ପାଇଁ ଆମେ ସଦା ସର୍ବଦା ଧର୍ମ ପଥରେ ହିଁ ବିଚରଣ କରିବା ଏବଂ ଅଧର୍ମର୍କୁ ବର୍ଜନ କରିବା । ମହାପ୍ରଭୁ ଆମ ପାଇଁ ବ୍ୟାକୁଳ । ଆମର ଭକ୍ତି ବନ୍ଧନରୁ ଭଗବାନ ମୁକୁଳିପାରନ୍ତି ନାହିଁ । ଭକ୍ତକୁ ଭଗବାନ ପରୀକ୍ଷା କରନ୍ତି । କିନ୍ତୁ ଭଗବାନଙ୍କ ଉପରେ ଭକ୍ତର ଏତେ ପ୍ରଗାଢ ବିଶ୍ୱାସ ଯେ ସେ କେବେ ଭଗବାନଙ୍କୁ ପରୀକ୍ଷା କରେ ନାହିଁ । କାରଣ ସେ ଜାଣେ ଭଗବାନ ସବୁ କରିପାରିବେ । ତାଙ୍କୁ ପରୀକ୍ଷା କରିବାର ଆବଶ୍ୟକତା ନାହିଁ । ତେଣୁ ସବୁବେଳେ ଆମେ ରାଧାରାଣୀଙ୍କ ଭକ୍ତି ଓ ପ୍ରେମ ଭଳି ନିଜେ ଶ୍ରୀଜଗନ୍ନାଥଙ୍କ ନାମ ଭଜନ କୀର୍ତନ କରି ପରମ ଆନନ୍ଦରେ ସମୟ ବିତାଇବା ।

-0-

ଦୀକ୍ଷା ମିଶନ, ପିପିଲି, ପୁରୀ

ଫୋନ୍ – ୭୦୦୮୮୧୬୮୯୧

email : dikshamission@gmail.com

Leave a Reply

Your email address will not be published.