Wednesday , October 4 2023
Breaking News
Home / ବିଶେଷ / ମହିଳା ପୋଲିସ୍ ଅଧିକାରୀ ଙ୍କ ମହାନତା : କରୋନା ସଂକ୍ରମଣରେ ମୃତ ସାମ୍ବାଦିକଙ୍କ ପରିବାର କୁ ଆର୍ଥିକ ସହାୟତା ପ୍ରଦାନ

ମହିଳା ପୋଲିସ୍ ଅଧିକାରୀ ଙ୍କ ମହାନତା : କରୋନା ସଂକ୍ରମଣରେ ମୃତ ସାମ୍ବାଦିକଙ୍କ ପରିବାର କୁ ଆର୍ଥିକ ସହାୟତା ପ୍ରଦାନ

ବୌଦ୍ଧ, ୨୬/୧୧/୨୦୨୧(ଓଡ଼ିଶା ସମାଚାର)- କରୋନା ସଂକ୍ରମଣରେ ମୃତ୍ୟୁର ଶୀକାର ହୋଇଥିବା ବୌଦ୍ଧଜିଲାର ଯୁବ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ଶୋକସନ୍ତପ୍ତ ପରିବାରକୁ ମହିଳା ପୋଲିସ୍ ଅଧିକାରୀ ସାକ୍ଷାତ କରି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ମଧ୍ୟ ଯୋଗାଇଦେଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଓଡ଼ିଶା ଭାସ୍କର ଖବର କାଗଜର ଜିଲା ପ୍ରତିନିଧି ଭାବରେ କାର୍ୟ୍ୟ କରୁଥିବା ଦୁର୍ବାକ୍ଷ ବସ୍ତିଆ କରୋନା ଦ୍ୱାରା ସଂକ୍ରମିତ ହୋଇ ଗତ ମଇଁ ୧୦ ତାରିଖ ଦିନ ଚିକିତ୍ସାଳୟକୁ ନେବା ରାସ୍ତାରେ ଆମ୍ବୁଲାନସରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କର କରୋନା ପରୀକ୍ଷା ହୋଇପାରିନଥିବାରୁ ସରକାରଙ୍କ ପକ୍ଷରୁ କୋଭିଡ ଯୋଦ୍ଧା ଭାବରେ ଘୋଷିତ ସହାୟତା ରାଶି ତାଙ୍କ ପରିବାରକୁ ମିଳିପାରିନାହିଁ। ତେବେ ଗତ ଜାତୀୟ ପ୍ରେସ ଦିବସ ଅବସରରେ ଜିଲା ପ୍ରଶାସନ ପକ୍ଷରୁ ସ୍ୱର୍ଗତ ବସ୍ତିଆଙ୍କୁ ତାଙ୍କର କର୍ତ୍ତବ୍ୟନିଷ୍ଠା ପାଇଁ ମରଣୋତ୍ତର ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ସମ୍ବର୍ଦ୍ଧନା ପତ୍ର ସହ ଗୁରୁବାର ଦିନ ପୂର୍ବାହ୍ନରେ ବୌଦ୍ଧ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଓ ବୌଦ୍ଧ ଆଦର୍ଶଥାନା ଅଧିକାରୀ ତପସ୍ୱିନୀ କହଁର ସ୍ୱର୍ଗତ ବସ୍ତିଆଙ୍କ ପରିବାରକୁ ଭେଟିବାକୁ ତାଙ୍କ ଘରେ ପହଞ୍ଚିଥିଲେ। ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇଥିବାବେଳେ ଥାନା ଅଧିକାରୀ ସୁଶ୍ରୀକହଁର ନିଜର ବଦାନ୍ୟତା ଗୁଣ ଦେଖାଇ ଦୁର୍ବାକ୍ଷଙ୍କ ଶୋକସନ୍ତପ୍ତ ପରିବାରକୁ ୩୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ଥାନା ଅଧିକାରୀ ସୁଶ୍ରୀକହଁରଙ୍କ ଏହି ମହାନତା ତଥା ଜଣେ ସାମ୍ବାଦିକଙ୍କ ପରିବାର ପାଇଁ ସମବେଦନା ଯୋଗୁଁ ଜିଲାର ସାମ୍ବାଦିକ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *