କେନ୍ଦ୍ରାପଡ଼ା, ୨୬/୧୧/୨୦୨୧(ଓଡ଼ିଶା ସମାଚାର)-କୋଭିଡ ମହାମାରୀ ପରେ ଓଡିଶାର ପ୍ରଥମ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା-୨୦୨୧ ଗୁରୁବାର ସନ୍ଧ୍ୟାରେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଉଦଘଟିତ ହୋଇଯାଇଛି । କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଉଦଘାଟକ ଭାବେ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲା ସାରା ରାଜ୍ୟରେ ପ୍ରଥମ ଜିଲ୍ଲାଭାବେ ପଲ୍ଲୀଶ୍ରୀ ମେଳା ଆୟୋଜନ କରିବାରେ ଗୌରବ ଅର୍ଜନ କରିଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ । ଅନ୍ୟତମ ଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଯୋଗଦେଇ ବିଗତ କରୋନା ମାଡରେ ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ଅର୍ଥିକ ଦୂରାବସ୍ଥାକୁ ସୁଦୃଢ କରିବାରେ ଏହି ପଲ୍ଲୀଶ୍ରୀ ମେଳା ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ପଲ୍ଲୀଶ୍ରୀ ମେଳାର ସମସ୍ତ ଷ୍ଟଲ ପୁରଣ ହୋଇଥିବାରୁ ଆତ୍ମସନ୍ତୋଷ ବ୍ୟକ୍ତ କରିଥିଲେ । ଜିଲ୍ଲାର ଜନସାଧାରଣ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ଗୁଡିକ କିଣିବାକୁ ସେ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଅମ୍ରିତ ଋରୁରାଜ ବିଗତ ଦେଢ ବର୍ଷ ହେଲା ପଲ୍ଲୀଶ୍ରୀ ମେଳା ବନ୍ଦ ହୋଇଯାଇଥିବାରୁ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଘୋର ଆର୍ଥିକ ଦୂରାବସ୍ଥାରେ ଥିଲେ । ଏହି ମେଳା ନିଶ୍ଚିତ ଭାବେ ସେମାନଙ୍କୁ ସହାୟକ ହେବ ବୋଲି କହିଥିଲେ ।
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଧେଶକ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଉପଜିଲ୍ଲାପାଳ ନିରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଓରମାସର ଜିଲ୍ଲା ମୁଖ୍ୟ ନିର୍ବାହୀ ଆଶିଷ ରାଉଳ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ପଂଚାୟତିରାଜ ପ୍ରତିନିଧି ଓ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାଗଣ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ଏହି ମେଳାର ପ୍ରାୟ ୬୦ଟି ଷ୍ଟଲରେ ରାଜ୍ୟର ୨୭ଟି ଜିଲ୍ଲାରୁ ସ୍ୱୟଂ ସହାୟିକା ଗୋଷ୍ଠୀ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରୟ କରୁଥିବା ବେଳେ ୧୦ଟି ଷ୍ଟଲରେ ଖାଦ୍ୟ ସାମଗ୍ରୀ ଓ ବିଭିନ୍ନ ସରକାରୀ ବିଭାଗ ୨୦ଟି ଷ୍ଟଲରେ ସେମାନଙ୍କ ବିଭାଗ ସମ୍ପର୍କରେ ସଚେତନା ପାଇଁ ଷ୍ଟଲ ଖୋଲିଛନ୍ତି । ଅତିଥିମାନେ ଉଦଘାଟନୀ ଉତ୍ସବ ପରେ ସମସ୍ତ ଷ୍ଟଲ ବୁଲି ଦେଖିଥିଲେ । ଓଡ଼ିଶା ସମାଚାର