ପାରଦୀପ , ୨୫/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପର ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟର ଅଧ୍ରକ୍ଷ ତଥା ଜିଲ୍ଲା ବିଜେପିର ଉପସଭାପତି ଅଜିତ କୁମାର ଦାସଙ୍କୁ ବୁଧବାର ଦିନ ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ ଓ ତାଙ୍କର ଦୁଇ ସହଯୋଗୀ ଆକ୍ରମଣ କରିଥିବା ନେଇ ଶ୍ରୀ ଦାସ ପାରାଦୀପ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଆସନ୍ତା ଡିସେମ୍ବର ମାସ ୨୫ ତାରିଖରେ ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡଙ୍ଗୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହାକୁ ବିରୋଧ କରି ଶ୍ରୀମତୀ ଷଡଙ୍ଗୀଙ୍କୁ ଅତିଥି ନକରିବାକୁ ଶ୍ରମିକ ନେତା ଶ୍ରୀ ତ୍ରିପାଠୀ ତାଙ୍କ ଘରକୁ ଶ୍ରୀ ଦାସଙ୍କୁ ଡକାଇ ମନା କରିଥିଲେ । ଶ୍ରୀ ଦାସ ଏଥିରେ ଅମଙ୍ଗ ହେବାରୁ ଶ୍ରୀ ତ୍ରିପାଠୀ ଓ ତାଙ୍କର ଦୁଇ ସମର୍ଥକ ଆକ୍ରମଣ କରିଥିଲେ । ଏହା ପରେ ଶ୍ରୀ ଦାସ ପାରାଦୀପ ଆଦର୍ଶ ଥାନାରେ ପହଂଚି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ୍ ଶ୍ରୀ ଦାସଙ୍କ ପ୍ରାଥମିକ ଚିକିତ୍ସା ନିମନ୍ତେ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଏ ସଂପର୍କରେ ପାରାଦୀପ ଥାନାରେ ୨୬୨/୨୧ ରେ ଏକ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପାରାଦୀପ ପୋଲିସ୍ । ଶ୍ରୀ ପ୍ରକାଶ ତ୍ରିପାଠୀ ବିଜେପି ନେତା ସମ୍ପଦ ସ୍ୱାଇଁଙ୍କ ସହଯୋଗୀ ହୋଇଥିବା ବେଳେ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ଦାସ ସାଂସଦ ଅପରାଜିତାଙ୍କୁ ନିମନ୍ତ୍ରଣ କରି ତାଙ୍କ ସମର୍ଥକ ହୋଇଯାଇଛନ୍ତି । ସମ୍ପଦ ସ୍ୱାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜଣାଶୁଣା ସମର୍ଥକ ଅଟନ୍ତି । ଏସଂପର୍କରେ ଶ୍ରମିକ ନେତା ଶ୍ରୀ ତ୍ରିପାଠୀଙ୍କୁ ପଚାରିବାରୁ ସେ ସ୍ପଷ୍ଟ ଭାବେ ଶ୍ରୀ ଦାସଙ୍କ ଆକ୍ରମଣକୁ ମନା କରି ଦେଇଥିଲେ । ଏଭଳି କୌଣସି ଆକ୍ରମଣରେ ମୁଁ ସାମିଲ ନୁହେଁ । ମୋ ବିରୁଦ୍ଧରେ ଆସିଥିବା ଏହି ଅଭିଯୋଗ ଭିତିହୀନ ବୋଲି କହିଛନ୍ତି । ତେବେ ଏହି ଆକ୍ରମଣ ଘଟଣା ପାରାଦୀପ ବିଜେପିକୁ ଦୁଇ ଭାଗରେ ବିଭକ୍ତ କରିଦେଇଛି । ଯାହାକି ଆଗାମୀ ନିର୍ବାଚନରେ ବିଜେପି ପାଇଁ କି ଫଳ ଦେବ ଦେଖିବାକୁ ବାକି ରହିଲା । ଏଥି ସହିତ ଡିସେମ୍ବର ୨୫ ତାରିଖର କାର୍ଯ୍ୟକ୍ରମ ଉପରେ ସହରବାସୀଙ୍କ ନଜର ରହିବ । ଓଡ଼ିଶା ସମାଚାର