କେନ୍ଦ୍ରାପଡ଼ା, ୨୪/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ନିର୍ମାଣ ଶ୍ରମିକ ସଂଘକୁ ୧୫ଦଫା ଦାବି ସମ୍ପର୍କରେ ଆଲୋଚନା କରିବାକୁ ଡାକି କାର୍ଯ୍ୟାଳୟରେ କେନ୍ଦ୍ରାପଡା ପ୍ରଭାଗୀୟ ଶ୍ରମ ସଂସ୍ଥାପକ ମହେଶ୍ୱର ନାୟକ ଅନୁପସ୍ଥିତ ରହିଥିଲେ ବୋଲି ସଂଘ ଅଭିଯୋଗ କରିଛି । ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଏକ ୧୫ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳ ଓ ପ୍ରଭାଗୀୟ ଶ୍ରମ ସଂସ୍ଥାପକଙ୍କୁ ପୂର୍ବରୁ ପ୍ରଦାନ କରାଯାଇଥିଲେବି କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ସଂଘର ସାଧାରଣ ସମ୍ପାଦକ ଅଶୋକ କୁମାର ତ୍ରିପାଠୀ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ ଆହୁତ କରି ଆସନ୍ତା ୨୪ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାରୁ ପ୍ରଭାଗୀୟ ଶ୍ରମ ସଂସ୍ଥାପକ ତଥା ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ନାୟକ କେନ୍ଦ୍ରାପଡା ଜିଲ୍ଲା ନିର୍ମାଣ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ଶ୍ରୀ ତ୍ରିପାଠୀଙ୍କୁ ମଙ୍ଗଳବାର ସକାଳେ ଏକ ପତ୍ର ଲେଖି ଅପରାହ୍ନ ସାଢେ ୪ଟା ସମୟରେ ୧୫ଦଫା ଦାବି ସମ୍ପର୍କରେ ଆଲୋଚନା କରିବାକୁ ଡାକିଥିଲେ । ସଂଘ ପକ୍ଷରୁ ସାଧାରଣ ସମ୍ପାଦକ ଶ୍ରୀ ତ୍ରିପାଠୀଙ୍କ ସମେତ ସଭାପତି କାମିନି ମିଶ୍ର, ନିତ୍ୟାନନ୍ଦ ସାମଲ, ଅକ୍ଷୟ କୁମାର ଲେଙ୍କା, ମନୋଜ କୁମାର ପରଡା, ପ୍ରଦୀପ୍ତ ସାମଲ, ସ୍ୱରୂପ କେତନ ଧଳ ପ୍ରମୁଖ ସାଢେ ୩ଟା ଠାରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପହଂଚି ଆଲୋଚନା ବୈଠକରେ ଯୋଗଦେବାକୁ ଅପେକ୍ଷା କରିଥିଲେ । କିନ୍ତୁ ପ୍ରଭାଗୀୟ ଶ୍ରମ ସଂସ୍ଥାପକ ତଥା ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ନାୟକ ସାଢେ ୫ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ନପହଂଚିବାରୁ ବାଧ୍ୟ ହୋଇ ସଂଘର କର୍ମକର୍ତାମାନେ ଫେରିଯାଇଥିଲେ । ତେଣୁ ସଂଘ ପକ୍ଷରୁ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯିବ ବୋଲି ସଂଘ ପକ୍ଷରୁ ସାଧାରଣ ସମ୍ପାଦକ ଶ୍ରୀ ତ୍ରିପାଠୀ ସୂଚନା ଦେଇଥିଲେ । ଓଡ଼ିଶା ସମାଚାର