କଳାହାଣ୍ଡି ,୨୨/୧୧/୨୧(ଓଡିଶା ସମାଚର/ସଂଜୟ ସିଂହ) – ସରକାର ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବିକାଶ ତଥା ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ମାଳ ମାଳ ଯୋଜନା କରି ପାଣି ବୋହିଲା ପରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ପକ୍କା ସଡକ ସହ ବିଶୁଦ୍ଧ ପାନୀୟ ଜଳ ଯୋଗଣ ପାଇଁ ଡିଙ୍ଗୁରା ପିଟୁଛନ୍ତି ଓ ଆମ ଗାଁ ଆମ ବିକାଶ ର ନାରା ମଧ୍ୟ ଦେଉଛନ୍ତି। କିନ୍ତୁ ଏମିତି ବି ଗାଁ ରହିଛି ଯାହାକି ସ୍ଵାଧୀନତା ର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ, ଆଜି ପର୍ୟ୍ୟନ୍ତ ପାନୀୟ ଜଳ ର ବ୍ୟବସ୍ଥା ରହିଛି ନା ଯାତାୟାତ ପାଇଁ ଭଲ ରାସ୍ତା ଟିଏ ଅଛି । ବର୍ତମାନ ସମସ୍ୟା ଘେରରେ ଥିବା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ମାଓ ପ୍ରବଣ ସାହାଜ ଖୋଲ ସଂରକ୍ଷିତ ଜଙ୍ଗଲ ର ପାହାଡ ପର୍ବତ ଘେରା ଭିତରେ ରହୁ ଥିବା ଆଦିବାସୀ ଅଧୁସିତ ଠିର୍ଲି ଆମ ଗାଁ ।
ବର୍ତ୍ତମାନ ପ୍ରଶାସନ ଙ୍କ ଆଖି ଆଢୁଆଳରେ ରେ ରହିଛି ଏହି ଗାଁ ।ଏହି ଗାଁ ରେ ପ୍ରାୟ ୫୦ ରୁ ଉର୍ଦ୍ଧ ଘର ରହିଥିବା ବେଳେ ତିନି ଶହ ରୁ ଅଧିକ ଜନସଂଖ୍ୟା ରହିଛନ୍ତି । ଏମାନଙ୍କ ମୁଖ୍ୟ ଜୀବିକା ହେଉଛି ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଓ କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରିବା । ସ୍ଵାଧୀନତା ର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ , ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସାତ ସପନ ପାଲଟିଛି । ବର୍ତ୍ତମାନ ନିତ୍ୟ ବ୍ୟବହାର୍ୟ୍ୟ ପାଇଁ ଗ୍ରାମରେ ଦୁଇ ଗୋଟି ନଳକୁଅ ରହିଥିଲେ ମଧ୍ୟ ତାହା ସବୁବେଳେ ନିଅଁଣ୍ଟ । ଯାହାକି ସମୁଦ୍ର କୁ ଶଙ୍ଖେ ପାଣି ପରି । ସରକାରଙ୍କ ତରଫରୁ ଏଠାରେ ନଳକୂପ ଖନନ ପାଇଁ ଦାବି ହେଉଛି । ଗାଁ ରେ ବିଜୁଳୀ ନାହିଁ, ନାମକୁ ମାତ୍ର କେତେ ଘରକୁ ଦିଆଯାଇଛି ସୋଲାର ଲାଇଟ । ଡିବିରି ଆଲୁଅ ହିଁ ସେମାନଙ୍କ ଏକ ମାତ୍ର ସାହା ଭାରଷା।
ବର୍ତ୍ତମାନ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରତ୍ୟେକ ଗ୍ରାମାଞ୍ଚଳ କୁ ସହରାଞ୍ଚଳ ସହିତ ଯୋଡିବା ପାଇଁ ପ୍ରଧାନମନ୍ତ୍ରୀ ସଡକ ଯୋଜନା ମାଧ୍ୟମ ରେ ସାମିଲ କରିବା ପାଇଁ ପ୍ରତିଶୃତି ବଦ୍ଧ । କିନ୍ତୁ ଦୁର୍ଭାଗ୍ୟ ର ବିଷୟ , ଏହି ଠିର୍ଲି ଆମ ଗ୍ରାମ ଭଳି ଆଦିବାସୀ ଅଧ୍ୟୁଷିତ ଗ୍ରାମକୁ ଆଜି ପର୍ୟ୍ୟନ୍ତ ଯାତାୟତ ପାଇଁ ଭଲ ରାସ୍ତା ଟିଏ ମଧ୍ୟ ନାହିଁ । ପାହାଡ ପର୍ବତ ଘେରା ସାହାଜ ଖୋଲ ଜଙ୍ଗଲ ଭିତରେ ଥିବାରୁ ଆବଡ଼ ଖାବଡ଼ ପାହାଡିଆ ରାସ୍ତା ହିଁ ସେମାନଙ୍କ ସାହା ଭରଷା ।ଗାଁ କୁ ଯିବାକୁ ହେଲେ ଏକ ବଡ଼ ନାଲା ପାରିହୋଇ ଗାଁକୁ ଯିବାକୁ ପଡିଥାଏ । ଆଉ ବର୍ଷା ଦିନେ ଗାଁ ଲୋକଙ୍କ ଦୁର୍ଦ୍ଦଶା ନ କହିବା ଭଲ ।ଚିରସ୍ରୋତା ନାଳାରେ ଆମ୍ବୁଲାନ୍ସ କିମ୍ବା ଦୁଇ ଚକିଆ ଗାଡି ମଧ୍ୟ ପାରି ହେବା ଅସମ୍ଭବ । ଅନେକ ସମୟରେ ଗର୍ଭବତୀ ଓ ଗୁରୁତର ରୋଗୀଙ୍କୁ ଡାକ୍ତର ଖାନା ନେବାକୁ ହେଲେ ଭାର କିମ୍ବା ଦୋଳା ରେ ବୋହି ନବରଙ୍ଗପୁର ଓ କଳାହାଣ୍ଡି କୁ ସଂଯୋଗ କରୁଥିବା ଚାରି କିଲୋମିଟର ଦୂରତ୍ୱ ମୁଖ୍ୟ ରାସ୍ତା ପର୍ୟ୍ୟନ୍ତ ବୋହି ନେବାକୁ ପଡେ ।ତେବେ ଯାଇ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ମିଳିଥାଏ । ଅନେକ ସମୟରେ ଗୁରୁତର ରୋଗୀ ଓ ଗର୍ଭବତୀ ମହିଳା ଙ୍କୁ ଠିକ ସମୟରେ ଡାକ୍ତରଖାନା ପହଞ୍ଚାଇ ନ ପାରିଲେ ଅଧାବାଟରେ ହିଁ ତାହାର ମୃତ୍ୟୁ ହୋଇ ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଠିର୍ଲିଆମ ଗାଁ ର ଲୋକେ ଆମପାଣି ପଞ୍ଚାୟତ କୁ ଚାଉଳ ଓ ଭତ୍ତା ନେବା ପାଇଁ ଚାଲି ଚାଲି ଆସି ,ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି । ଠିକ ନିର୍ବାଚନ ସମୟ ଆସିଲେ ଠିର୍ଲି ଆମ ଗାଁ କୁ ଅନେକ ବଡ଼ ବଡ଼ ନେତା ଓ ମନ୍ତ୍ରୀ ମାନଙ୍କ ସୁଅ ଛୁଟି ଥାଏ । ଓ ଲୋକଙ୍କ ଠାରୁ ଭୋଟ ହାତେଇବା ପାଇଁ ,ମିଥ୍ୟା ପ୍ରତିଶ୍ରୁତି ର ପାହାଡ଼ରେ, ନିରୀହ ଆଦିବାସୀ ମାନଙ୍କୁ ପୋତି ଦେଇ ଥାନ୍ତି ।କିନ୍ତୁ ନିର୍ବାଚନ ସରିଲେ ସବୁ ପ୍ରତିଶୃତି କୁ ଭୁଲି ଯାଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ପୁଣି ଗାଁ ରେ ଅନେକ ଗର୍ଭବତୀ, ଓ ପାଞ୍ଚ ବର୍ଷ ର ଶିଶୁ ମାନେ ଅଛନ୍ତି, ହେଲେ ସେହିଗ୍ରାମ ପାଇଁ ଅଙ୍ଗନୱାଡ଼ି କର୍ମୀ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ର ନାହିଁ, ଯାହା ଫଳରେ ସ୍ୱାସ୍ଥ୍ୟ ସେବାରେ ବ୍ୟାଘାତ ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହିପରିପ୍ରେକ୍ଷୀ ରେ ବଡ ବଡ ନେତା ଓ,ମନ୍ତ୍ରୀ ମାନଙ୍କ ପ୍ରତିଶୃତି ,ପ୍ରତିଶୃତି ରେ ହିଁ ରହି ଯାଉଛି ।
ତେବେ ସରକାର କେବେ ଏହି ମାଓପ୍ରବଣ ଅଞ୍ଚଳରେ ରହୁଥିବା ନିରୀହ ଆଦିବାସୀ ମାନଙ୍କ ଦୁଃଖ ବୁଝିବେ ଓ ଠିର୍ଲିଆମ ଗାଁ ପ୍ରତି ସୁଦୃଷ୍ଟି ଦେଇ ରାସ୍ତା ଓ ବିଶୁଦ୍ଧ ପାନୀୟ ଜଳଯୋଗାଣ ର ସୁ ବ୍ୟବସ୍ଥା କରିବେ ତାହା ଏବେ ଦେଖିବାକୁ ବାକି ରହିଲା।ଓଡିଶା ସମାଚର