Wednesday , December 8 2021
Home / ବିଶେଷ / ପ୍ରଭୁ ! ବିଭୂତି ଟିକେ ଦିଅ  –  ଶ୍ରୀ ଅଖଣ୍ଡ

ପ୍ରଭୁ ! ବିଭୂତି ଟିକେ ଦିଅ  –  ଶ୍ରୀ ଅଖଣ୍ଡ

ପ୍ରଭୁ ହେଉଛନ୍ତି ସର୍ବନାମ । ସବୁ ନାମ ତାଙ୍କରି ଠାରୁ ହିଁ ସୃଷ୍ଟି । ସବୁ ଅକ୍ଷର ସେ ହିଁ ସର୍ଜନା କରିଛନ୍ତି । ଭକ୍ତ ତାଙ୍କୁ ଅନେକ ନାମରେ ଡାକେ । ଭକ୍ତର ଭକ୍ତିକୁ ଭୋଗ କରନ୍ତି ଭଗବାନ । ଆଉସବୁ ଭୋଗ ତାଙ୍କ ପାଇଁ ଅଭୋଗ୍ୟ । ଭକ୍ତର ଗୁଣଗାରିମାକୁ ଚିହ୍ନନ୍ତି ମହାପ୍ରଭୁ । କାରଣ ସେ ହେଉଛନ୍ତି ସର୍ବଗୁଣର ଅଧିକାରୀ । ଭକ୍ତ ପାଇଁ ଶ୍ରୀଜଗନ୍ନାଥଙ୍କ ନାମ ହିଁ ପରମ ମଙ୍ଗଳ ଦାୟୀ । ନାମ ହିଁ ତାଙ୍କ ପାଇଁ ପରମ ମଧୁର ଓ ସୁନ୍ଦର । ପ୍ରଭୁଙ୍କ ଚରଣରେ ଶରଣ ପଶେ ଭକ୍ତ । କାରଣ ସେ ଜାଣେ ସବୁ କିଛି ପ୍ରଭୁଙ୍କର ହିଁ ଲୀଳା । ଆମେ ନିମିତମାତ୍ର । ପ୍ରଭୁଙ୍କ ନାମ ତପ ଓ ଜପ କରିବା ଦ୍ୱାରା ମନରୁ ବିକାର ଦୂର ହେବା ସହ ପାପତାପ ନଷ୍ଟ ହୋଇଥାଏ । ନାମ ଏତେ ପବିତ୍ର ଯେ ସେ ମନର ପାପକୁ ପରିସ୍କାର କରିଦିଏ । ନାମ ଏତେ ସୁନ୍ଦର ଯେ ଆମ ହୃଦୟର ମଳିନତାକୁ ଦୂରେଇଦିଏ । ନାମ ଏତେ ମଧୁର ଯେ ଆମର ରୁକ୍ଷ ସ୍ୱଭାବକୁ ନମ୍ରତାରେ ଭରିଦିଏ । ଆମର ଆଚରଣ ଅନୁସାରେ ହିଁ ଆମକୁ ଫଳ ମିଳିଥାଏ । ଆମେ ଯଦି କର୍ମ କରିବା ମଧ୍ୟରେ ଭଗବାନଙ୍କ ନାମ ଜପତପ କରିବା, ଏହାର ଫଳ ମଧ୍ୟ ସେଭଳି ଦିବ୍ୟ ହିଁ ହେବ । ଆଉ ଯଦି ଆମ ଆଚରଣ ଦୁଷ୍ଟ ପ୍ରକୃତିର ହେବ, ଆମକୁ ସେହି ଅନୁସାରେ ହିଁ ଫଳ ମିଳିବ । ତେଣୁ ଆଚରଣ ଓ ବିଚରଣ ଉପରେ ଆମେ ଧ୍ୟାନ ଦେବା ଉଚିତ୍ । ସବୁବେଳେ ଭାବିବାକୁ ହେବ ଯେ ଏହା ଉପରେ ମହାପ୍ରଭୁ ସଦାସର୍ବଦା ନଜର ରଖିଛନ୍ତି । ପୁରୁଷୋତମ ଶ୍ରୀରାମଙ୍କ ସୁନ୍ଦର ତଥା ଅନୁପମ ରୂପ ହେଉ କିମ୍ବା ଜନମନୋହାରୀ ଶ୍ରୀକୃଷ୍ଣଙ୍କ ରୂପ ମାଧୁର୍ଯ୍ୟ ହେଉ, ଭକ୍ତ ତାକୁ ଦେଖି ମୋହିତ ହୁଏ । ପ୍ରଭୁଙ୍କ ଅପାର ମହିମା ଓ ଅନନ୍ତ ବିଭୂତିକୁ ଆମେ ଅନୁଭବ କରିବା । ଆମେ ଯାହା ଦେଖୁଛେ, ତା ଠାରୁ ଢେର୍ ଗୁଣ ଅଧିକ ମହାପ୍ରଭୁଙ୍କ ବିଭୂତି, କୃପା ଓ କରୁଣା । ଆମେ କେବଳ ଆମ ପାଖରେ ଥିବା ସୂଚନା ଅନୁସାରେ ପ୍ରଭୁଙ୍କ ବିଭୂତି କଥା ଜାଣୁଛେ ବା ଶୁଣୁଛେ । କିନ୍ତୁ ଅନେକ ବିଭୂତି ରହିଛି, ଯାହାର ବର୍ଣ୍ଣନା ଓ କଳନା କରିବା ଅସମ୍ଭବ । ମହାପ୍ରଭୁ ହେଉଛନ୍ତି ଆମ ଇଷ୍ଟ ଓ ଗୁରୁ । ସେ ଦୟା ଓ ପ୍ରେମର ସାଗର ।  ସେ ଏମିତି ବନ୍ଧୁ ଯିଏ ଇହଲୋକ ଓ ପରଲୋକରେ ମଧ୍ୟ ବନ୍ଧୁତ୍ୱ ନିର୍ବାହନ କରିଥାନ୍ତି । ଜୀବମାନଙ୍କୁ ପରିତ୍ରାଣ କରିବା ହିଁ ପ୍ରଭୁଙ୍କ ଆବିର୍ଭାବର ପରମ କାରଣ । ନିତ୍ୟ ନିରନ୍ତର ପ୍ରାଣୀମାନଙ୍କ ହିତ କରିଥାନ୍ତି ମହାପ୍ରଭୁ । ପୁଣ୍ୟ ନିଳାଚଳ ଦିବ୍ୟଧାମ ପୁରୀରେ ପ୍ରଭୁଙ୍କ ପ୍ରକଟ ହୋଇଛି । ଶ୍ରୀଜୀଉଙ୍କ ଚତୁର୍ଦ୍ଧା ମୂର୍ତୀ ଶ୍ରୀମନ୍ଦିରର ଶୋଭା ବଢାଉଛନ୍ତି । ଭକ୍ତଙ୍କ ସହ ନିତ୍ୟ ସାକ୍ଷାତ୍ କରୁଛନ୍ତି ଭଗବାନ । ଏହି ଭୂମିରେ ହିଁ ରହିଛନ୍ତି ପତିତପାବନ । ସେ ସମସ୍ତ ପତିତ ଜନନକୁ ଭକ୍ତି ମାର୍ଗ ଓ ଆତ୍ମକଲ୍ୟାଣର ଜ୍ଞାନ ପ୍ରଦାନ କରୁଛନ୍ତି । ପ୍ରଭୁଙ୍କ ଅସୀମ ଜ୍ଞାନରୁ କାଣିଚାଏ ପାଇ ଭକ୍ତ ଧନ୍ୟ ହୋଇଯାଏ । ପ୍ରଭୁଙ୍କୁ ପାଇଁ ଉତ୍କଳ ଭୂଇଁ ମଧ୍ୟ ଧନ୍ୟ ହୋଇଛି । ସେ ନିଜକୁ ପ୍ରାଣ କେନ୍ଦ୍ର ବୋଲି ମନେ କରୁଛି । ପ୍ରଭୁଙ୍କ ବିଶ୍ୱରୂପ ମଧ୍ୟ ଭକ୍ତ ଏହିଠାରେ ହିଁ ଦର୍ଶନ କରେ । ପୁଣି ଭକ୍ତ ବତ୍ସଳ ମହାପ୍ରଭୁ ଶ୍ରଦ୍ଧାଳୁମାନଙ୍କୁ କଲ୍ୟାଣ କରି ସେମାନଙ୍କୁ ଦିବ୍ୟ ଜୀବନ ପ୍ରଦାନ କରୁଛନ୍ତି ।

 -୦-

ଦୀକ୍ଷା ମିଶନ, ପିପିଲି, ପୁରୀ

ଫୋନ୍ – ୭୦୦୮୮୧୬୮୯୧

email : [email protected]

About admin

Check Also

ସାଲେପୁର ରେ ଡ୍ରାଇଭର ମହାସଂଘ ର ବୈଠକ

ସାଲେପୁର,୦୭/୧୨/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ଓଡିଶା ଡ୍ରାଇଭର ମହାସଂଘ ଓ ସାଲେପୁର ଡ୍ରାଇଭର ସଂଘ ପକ୍ଷରୁ ଆଜି ବ୍ଲକ ଆଡିମିନ …

Leave a Reply

Your email address will not be published. Required fields are marked *