ଗରଦପୁର, ୨୦/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ୍ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲିଶ୍ରୀ ମହିଳା ସମିତି ରାଜ୍ୟସ୍ତରୀୟ ମହକ ପ୍ରତିଯୋଗିତାରେ ଚାମ୍ପିଅନ ହୋଇଛି । ପ୍ରକାଶଥାଉକି ଓଡିଶା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଶିଶୁ ମହୋତ୍ସବ ମହକ ପ୍ରତିଯୋଗିତା ଦୀର୍ଘ ୪ ମାସ ହେବ ଚାଲୁ ରହିଥିଲା । ପ୍ରଥମେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ ପରେ ପଲ୍ଲିଶ୍ରୀ ମହିଳା ସମିତି ଦ୍ୱାରା ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନର ୩ ଜଣ ଶିଶୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଉନ୍ନିତ ହୋଇଥିଲେ । ଏହି ପ୍ରତିଯୋଗିତାରେ ଓଡିଶାରେ ଥିବା ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ପ୍ରାୟ ୧୫୦୦ ରୁ ଉଦ୍ଧ୍ୱର୍ ଶିଶୁ ଭାଗ ନେଇଥିଲେ । ପ୍ରତି ମାସରେ ବିଭିନ୍ନ ବିଭାଗରେ ଶିଶୁମାନଙ୍କ ମଧ୍ୟରେ କୃତିତ୍ୱ ଅର୍ଜନ କରୁଥିବା ପ୍ରତିଯୋଗୀମାନଙ୍କୁ ନେଇ ଚଳିତ ନଭେମ୍ବର ମାସରେ ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପଲ୍ଲିଶ୍ରୀର ପ୍ରତିଯୋଗୀମାନେ ପ୍ରତିମାସରେ ୨ ରୁ ଅଧିକ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବା ସହିତ ଫାଇନାଲ ପ୍ରତିଯୋଗିତାରେ ପ୍ରବେଶ କରିଥିଲେ । ରାଜ୍ୟସ୍ତରୀୟ ଏହି ଫାଇନାଲ ମହକ ପ୍ରତିଯୋଗିତାରେ ପଲ୍ଲିଶ୍ରୀ ମହିଳା ସମିତିର ଅନ୍ତେବାସିନୀ ଚଂଚଳା ପାତ୍ର ବରିଷ୍ଠ ବିଭାଗ ନୃତ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଟ୍ୟାଲେଂଟ ହଂଟର କନିଷ୍ଠ ବିଭାଗରେ ଅଲିଭା ଏବଂ ନୃତ୍ୟ ଓ ଟ୍ୟାଲେଂଟ ହଂଟର ସର୍ବକନିଷ୍ଠ ବିଭାଗରେ ପଦ୍ମାଳୟା ଦାଶ ପ୍ରଥମ ସ୍ଥାନ ଅଧିକାର କରି କୃତିତ୍ୱ ଅର୍ଜନ କରିବା ସହିତ ରାଜ୍ୟରେ ସର୍ବାଧିକ କୃତିତ୍ୱ ଅର୍ଜନ କରିଥିବାରୁ ଚମ୍ପିଆନ ହୋଇଥିଲେ ।
ଆୟୋଜିତ ଉତ୍ସବରେ ଓଡିଶା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ମାନ୍ୟବର ମନ୍ତ୍ରୀ ଟୁକୁନି ସାହୁ, ମହିଳା ଓ ଶିଶୁ ବିଭାଗର ଉପଦେଷ୍ଟା ସୁଲତା ଦେଓ, ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ମହିଳା ଓ ଶିଶୁ ବିଭାଗର ନିର୍ଦ୍ଧେଶକ ଅରବିନ୍ଦ ଅଗ୍ରୱାଲ, ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରୋଗ୍ରାମ ମ୍ୟାନେଜର ପ୍ରିତିକାନ୍ତ ପଣ୍ଡା ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । କନ୍ୟାଶ୍ରମର ଉପରୋକ୍ତ ଶିଶୁମାନେ ରାଜ୍ୟସ୍ତରରେ କୃତିତ୍ୱ ଅର୍ଜନ କରି କେନ୍ଦ୍ରାପଡା ଜିଲ୍ଲାର ସୁନାମ ଆଣିବା ସହିତ ଅନୁଷ୍ଠାନକୁ ଗୌରାବାନ୍ୱିତ କରିଥିବାରୁ ପଲ୍ଲିଶ୍ରୀ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । କୃତି ପ୍ରତିଯୋଗୀମାନେ ଅନୁଷ୍ଠାନ ନିକଟରେ ପହଂଚିବା କ୍ଷଣି ପଲ୍ଲିଶ୍ରୀ କର୍ମଚାରୀ ଓ ଅନ୍ତେବାସିନୀମାନେ ସେମାନଙ୍କୁ ଚନ୍ଦନ, ସିନ୍ଦୁର ଲଗାଇବା ସହିତ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ଏପରିକି ସେମାନଙ୍କ କୃତିତ୍ୱରେ ଶତମୁଖ ହୋଇ ଅନ୍ତେବାସିନୀମାନେ ହିପ୍ ହିପ୍ ହୁରେ ସ୍ଳୋଗାନ ସହିତ ବାଣ ଫୁଟାଇ ସେମାନଙ୍କୁ ସ୍ୱାଗତ କରିଥିଲେ । ଏହି ସ୍ୱାଗତ ସମୟରେ ପଲ୍ଲିଶ୍ରୀ ସଂପାଦିକା ହେମପ୍ରଭା ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଶାଖାର କାଉନସିଲର କନକଲତା ବେହେରା, ପଲ୍ଲିଶ୍ରୀ ପରିଚାଳକ ଶ୍ରୀକାନ୍ତ ନାୟକ ଉପସ୍ଥିତ ଥିଲାବେଳେ କର୍ମଚାରୀ ଶାନ୍ତିଲତା ସେନାପତି, ସୂର୍ଯ୍ୟମଣି ଭୂୟାଁ, ଜାନକୀ ଦାସ, ଅକ୍ଷୟ କୁମାର ସେନାପତି ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର
Home / ବିଶେଷ / ରାଜ୍ୟସ୍ତରୀୟ ମହକ ପ୍ରତିଯୋଗିତାରେ ପଲ୍ଲିଶ୍ରୀ ଚାମ୍ପିଅନ : ପଲ୍ଲିଶ୍ରୀରେ ପ୍ରତିଯୋଗୀଙ୍କୁ ସ୍ୱାଗତ କଲେ ଅନ୍ତେବାସିନୀ