ଭୁବନେଶ୍ୱର ,୨୦/୧୧/୨୦୨୧(ଓଡ଼ିଶା ସମାଚାର)-ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତବର୍ଷର ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷାର୍ଥୀମାନେ www.orissaresults.nic.in ୱେବ୍ସାଇଟ୍ରୁ ସେମାନଙ୍କ ରେଜଲ୍ଟ ଜାଣିପାରିବେ ।
ଚଳିତବର୍ଷ ଅଫଲାଇନ୍ ପରୀକ୍ଷାରେ ମୋଟ୍ ୮ ହଜାର ୪୬୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପାସ୍ ହାର ୬୮.୬୬ ପ୍ରତିଶତ ରହିଛି । କଳାରେ ମୋଟ୍ ପାସ୍ ହାର ୭୦.୬୨, ବାଣିଜ୍ୟରେ ୬୮.୬୧, ବିଜ୍ଞାନରେ ୬୪.୩୯ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫୧.୫୯ ପ୍ରତିଶତ ରହିଛି । କଳାରେ ଛାତ୍ରୀଙ୍କ ପାସ୍ ହାର ଛାତ୍ରଙ୍କ ତୁଳନାରେ ସର୍ବାଧିକ ରହିଛି । ଛାତ୍ରୀଙ୍କ ପାସ୍ ହାର ୬୮.୫୨ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୬୨.୯୦ ପ୍ରତିଶତ ରହିଛି । ବିଜ୍ଞାନରେ ଛାତ୍ରୀଙ୍କ ପାସ୍ ହାର ୬୭.୭୩ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୬୨.୪୪ ପ୍ରତିଶତ ରହିଛି । ବାଣିଜ୍ୟରେ ଛାତ୍ରଙ୍କ ପାସ୍ ହାର ୬୮.୫୭ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୬୬ ପ୍ରତିଶତ ରହିଛି । ସେହିଭଳି ଧନ୍ଦାମୂଳକ ଶିକ୍ଷାରେ ଛାତ୍ରୀଙ୍କ ପାସ୍ ହାର ୫୨.୮୪ ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୫୦.୭୫ ରହିଛି ।
ଯୁକ୍ତ ଦୁଇ ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅକ୍ଟୋବରରେ ଅଫ୍ ଲାଇନ୍ ପରୀକ୍ଷା କରାଯାଇଥିଲା । ୧୩ ହଜାର ୪୩ ଜଣ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୧୨ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିଲେ । କଳାରେ ସର୍ବାଧିକ ୮୯୯୧ ପରୀକ୍ଷାର୍ଥୀ ରହିଥିବା ବେଳେ ବିଜ୍ଞାନରେ ୨୩୩୧, ବାଣିଜ୍ୟରେ ୬୧୭ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ୬୧୭ ଜଣ ପରୀକ୍ଷା ଦେଇଥିଲେ । ଅକ୍ଟୋବର ୧୧ ରେ ପରୀକ୍ଷା ଶେଷ ହୋଇଥିଲା । ଓଡ଼ିଶା ସମାଚାର