ପାଟକୁରା,୨୦/୧୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବେଡ଼ାରୀ ପଂଚାୟତର ଶ୍ରୀଚନ୍ଦନପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ (୪୭) ଙ୍କୁ ବାଘୁଆ ମହୁମାଛି ଆକ୍ରମଣରେ ମୃତ୍ୟୁ ଘଟିଛି । ପୂର୍ଣ୍ଣଚନ୍ଦ୍ର ଆଜି ମଧ୍ୟାହ୍ନ ସମୟରେ ବେଡ଼ାରୀ ଗ୍ରାମରୁ ଗ୍ୟାସ ସିଲିଣ୍ଡର ନେଇଘରକୁ ଯାଉଥିବାବେଳେ ଗାଁ ମୁଣ୍ଡରେ ଥିବା ଏକ ଗଛରେ ଲାଗିଥିବା ବାଘୁଆ ମହୁମାଛି ପୂର୍ଣ୍ଣଚନ୍ଦ୍ର ଙ୍କୁ ଆକ୍ରମଣ କରିଥିଲେ । ପୂର୍ଣଚନ୍ଦ୍ର ଜୀବନ ବିକଳରେ ରାସ୍ତା ପାଶ୍ୱର୍ରେ ଥିବା ଏକ ଜଳାଶ୍ରୟରେ ବୁଡ଼ି ରହିଥିଲେ । କିଛି ସମୟ ବୁଡ଼ି ରହିବା ପରେ ପୂର୍ଣ୍ଣଚନ୍ଦ୍ର ପାଣିରୁ ଉଠିବା ମାତ୍ରେ ମହୁମାଛି ପୁନବର୍ବାର ଆକ୍ରମଣ କରିଥିଲେ । ପୂର୍ଣ୍ଣଚନ୍ଦ୍ର ଙ୍କୁ ମହୁମାଛି ବାରମ୍ବାର ଆକ୍ରମଣ କରିଥିଲେ । ଶେଷରେ ନୀରୁପାୟ ହୋଇ ପୂର୍ଣ୍ଣଚନ୍ଦ୍ର ଜୀବନ ବିକଳରେ ଘରକୁ ପଳାଇ ଆସିଥିଲେ । ପୂର୍ଣ୍ଣଚନ୍ଦ୍ର ଘରେ ପହଂଚିବାର କିଛି ସମୟ ପରେ ଅସୁସ୍ଥ ଅନୁଭବ କରିଥବଲେ । ଗାଁ ଲୋକମାନେ ତାଙ୍କୁ ଚିକିତ୍ସା ପାଇଁ ପାଟକୁରା ମେଡ଼ିକାଲକୁ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ଣ୍ଣଚନ୍ଦ୍ର ଜଣେ ଗରୀବ ଶ୍ରେଣୀର ଲୋକ । ଜମିବାଡ଼ି ନଥିବା ପୂର୍ଣ୍ଣଚନ୍ଦ୍ର ପାଇପ ମିସ୍ତ୍ରୀ କାମ କରି ପରିବାର ଚଳାଉଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକ ପ୍ରକାଶ ପାଇଛି । ମୃତ ପୂର୍ଣ୍ଣଚନ୍ଦ୍ର ଙ୍କୁ ସରକାରୀ ସହାୟତା ପାଇଁ ସ୍ଥାନୀୟ ଅଂଚଳରୁ ଦାବି ହେଉଛି । ଏହା ପୂର୍ବରୁ ଗତକାଲି ୨ ଜଣ ମହୁମାଛି ଆକ୍ରମଣରେ ଆହତ ହୋଇ ଚିକିତ୍ସା ପରେ ଘରକୁ ଫେରିଛନ୍ତି । ଓଡ଼ିଶା ସମାଚାର