Thursday , September 28 2023
Home / ପର୍ଯ୍ୟଟନ ଓ ସଂସ୍କୃତି / ପାରାଦୀପ ବନ୍ଦର ପକ୍ଷରୁ ବୋଇତ ବନ୍ଦାଣ ଓ ବନ୍ଦର ଦିବସ ପାଳିତ

ପାରାଦୀପ ବନ୍ଦର ପକ୍ଷରୁ ବୋଇତ ବନ୍ଦାଣ ଓ ବନ୍ଦର ଦିବସ ପାଳିତ

ପାରାଦୀପ,୨୦/୧୧/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ଶୁକ୍ରବାର ଦିନ ପବିତ୍ର କାର୍ତୀକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଓ ବନ୍ଦର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବନ୍ଦର ମେରାଇନ୍ ସାଇଟ୍ ଅଫିସ୍ ଠାରେ ଏକ ଭବ୍ୟ ସମାରୋହ କୋଭିଡ୍ ନିୟମାବଳୀ ପାଳନ ସହିତ ଆୟୋଜିତ ହୋଇଥିଲା । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବନ୍ଦରର ଅଧ୍ୟକ୍ଷ ପି.ଏଲ୍.ହାରାନାଦ୍ ଯୋଗ ଦେଇ ବନ୍ଦର ପତାକା ଉତୋଳନ କରିଥିଲେ । ଏହା ପରେ ପୂଜା ହୋମରେ ଯୋଗ ଦେଇ ପବିତ୍ର କଳସ ସାତ ସାଧବଙ୍କୁ ପ୍ରଦାନ କରିଥିଲେ । ବୋଇତ ବନ୍ଦାଣ ପରେ ମୁଖ୍ୟ ଅତିଥି ପତାକା ଦେଖାଇ ବୋଇତ ଯାତ୍ରାର ଶୁଭାରମ୍ଭ କରିଥିଲେ । ବନ୍ଦର ମେରାଇନ୍ ବିଭାଗର ପୋତ ଗୁଡିକ ମୁଖ୍ୟ ଅତିଥିଙ୍କୁ ସମ୍ମାନ ଜଣାଇଥିଲେ । ଏହା ପରେ ଆୟୋଜିତ ସଭାରେ ପୌରହିତ୍ୟ କରିଥିଲେ ବନ୍ଦରର ମେରାଇନ୍ ବିଭାଗର ମୁଖ୍ୟ କ୍ୟାପ୍ଟେନ୍ ଅଲେଖ ଚନ୍ଦ୍ର ସାହୁ । ବିଗତ ଦିନରେ ପାରାଦୀପ ବନ୍ଦର ପଣ୍ୟକାରବାର କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଆଗାମୀ ଦିନର ଲକ୍ଷ୍ୟ ପାରାଦୀପ ବନ୍ଦରକୁ ଏକ ନମ୍ବର ବନ୍ଦର କରିବା । ଏଥି ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଉସôବର ମୁଖ୍ୟ ଅତିଥି ଶ୍ରୀ ହାରାନାଦ । ଗତ ଅକ୍ଟୋବର ମାସ ଶେଷ ସୁଦ୍ଧା ପାରାଦୀପ ବନ୍ଦର ୬୫.୨୮ଏମ୍.ଏମ୍.ଟି.ପଣ୍ୟ କାରବାର କରିବାରେ ସଫଳ ହୋଇଛି । ଯାହାକି ୫.୩୩ ପ୍ରତିଶତ ଅଧିକ ଏବଂ ୧୦୦ ଏମ୍.ଏମ୍.ଟି.ପଣ୍ୟ କାରବାର ଖୁବ୍ ଶୀଘ୍ର ଅତିକ୍ରମ କରିବାରେ ସକ୍ଷମ ହୋଇ ପାରିବ । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ଭାରତ ସମଗ୍ର ବିଶ୍ୱରେ ନୌବାଣିଜ୍ୟିକ କ୍ଷେତ୍ରରେ ଏକ ନମ୍ବର ହେବ । ଏହାକୁ ଆମକୁ ମିଳିମିଶି ସଫଳ କରିବାକୁ ହେବ । ନୁମାଲିଗଡ ରିଫାଇନାରୀ ପାରାଦୀପ ଠାରେ ୫୦୦କୋଟି ଟଙ୍କା ବ୍ୟୟରେ ତୈଳ ଭଣ୍ଡାର ସ୍ଥାପନ କରିବାକୁ ଯାଉଛି । ପାରାଦୀପ ବନ୍ଦରର ଦ୍ୱିତୀୟ ପ୍ରସ୍ଥାନ ପଥ ପାଇଁ ଗତି ଶକ୍ତି ପ୍ରକଳ୍ପ ଅଧିନରେ ୯୩କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଆସନ୍ତା ବର୍ଷ ଏହି କାର୍ଯ୍ୟ ଶେଷ ହେବ ବୋଲି ବନ୍ଦର ଅଧ୍ୟକ୍ଷ କହିଥିଲେ । ବନ୍ଦର କର୍ମଚାରୀମାନଙ୍କ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧୪୭ଟି କ୍ୱାଟର ନିର୍ମାଣ ହେବ । ପାରାଦୀପ ବନ୍ଦର ଚିକିତ୍ସାଳୟର ବର୍ଦ୍ଧିକରଣ କରାଯାଇ ହୃଦ୍ ରୋଗ ଓ ଟ୍ରମା କେୟାର ରୋଗୀଙ୍କ ନିମନ୍ତେ ସହାୟକ ହେବ ବୋଲି ସେ କହିଥିଲେ । ଶେଷରେ ବନ୍ଦର ସଚୀବ ଡ.ପି.ନେ୍.ବାହେକର ଧନ୍ୟବାଦ ଦେଇଥିଲେ ବୋଲି ପାରାଦୀପ ବନ୍ଦର ପକ୍ଷରୁ ପ୍ରକାଶିତ ପ୍ରେସ୍ ଇସ୍ତାହାର ରୁ ଜଣାପଡିଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *