ପ୍ରାଥମିକ ଚିକିତ୍ସା ତାଲିମ ନେଲେ ସ୍ୱେଛାସେବୀ
କେନ୍ଦ୍ରାପଡ଼ା, ୧୮/୧୧/୨୦୨୧(ଓଡ଼ିଶା ସମାଚାର)-ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ ପାଇଁ ତାଲିମ କାର୍ଯ୍ୟକ୍ରମ “ରକ୍ଷକ”ର ଗୁରୁବାର କେନ୍ଦ୍ରାପଡା ଆଂଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୨୯ଜଣ ଫାଷ୍ଟ ରେସ୍ପୋଣ୍ଡର ଏବଂ ନିରଞ୍ଜନ ବେହେରା, ମନୋଜ କୁମାର ଶତପଥୀ, ରୁବିନା ଖାତୁନ, ବିଜୟଲକ୍ଷ୍ମୀ ସ୍ୱାଇଁ ଓ ପ୍ରଦିପ କୁମାର ସ୍ୱାଇଁ ପ୍ରମୁଖ ୫ଜଣ ଓଡିଶା ରେଡକ୍ରସ ସୋସାଇଟ୍ ର ସଦସ୍ୟ ଯୋଗଦେଇଥିଲେ । ଦୁର୍ଘଟଣାରେ ଆହତ ହେବାର ପ୍ରଥମ ଘଂଟା ବହୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ତୁରନ୍ତ ପ୍ରାଥମିକ ଚିକ୍ତ୍ିସା କରାଗଲେ ୫୦ଭାଗ ମୃତୁ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି । ଏଥିନିମନ୍ତେ ଫାଷ୍ଟ ରେସ୍ପୋଣ୍ଡର(ସ୍ୱେଛାସେବୀ)ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ, ଡାକ୍ତରଖାନାରେ ତୁରନ୍ତ ଭର୍ତି କରାଯିବା ପାଇଁ ଉପସ୍ଥିତ ଫାଷ୍ଟ ରେସ୍ପୋଣ୍ଡରମାନଙ୍କୁ ତାଲିମ ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ଦକ୍ଷତା ବୃଦ୍ଧି ଓ ଗୁଡ ସମରିଟାନ(ସ୍ୱେଛାସେବୀ) କାର୍ଯ୍ୟ ପ୍ରତି ଆକୃଷ୍ଟ କରିବା ନିମନ୍ତେ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଦୂର୍ଘଟଣା ଆଶଙ୍କା ଥିବା ସ୍ଥାନ ନିକଟରେ ଏବଂ ରାସ୍ତା ପାଶ୍ୱର୍ ଢାବା, ଚା’ ଦୋକାନ, ଗ୍ୟାରେଜ ଓ ପାନ ଦୋକାନ ପ୍ରଭୃତିରେ କାର୍ଯ୍ୟରତ ତଥା ସେବା ମନୋବୃତି ରଖୁଥିବା ବ୍ୟକ୍ତି ବିଶେଷମାନଙ୍କୁ ଏହି ତାଲିମ ପ୍ରଦାନ କରାଯାଉଛି । ଆଂଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଜିଲ୍ଲା ଚିକତ୍ିସା ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର, କେନ୍ଦ୍ରାପଡା ସଦର ଥାନା ଏ.ଏସ.ଆଇ. ବୀରେନମିତ୍ର ଦାସ, ଜିଲ୍ଲା ଶିକ୍ଷା ବିଭାଗର ପିତବାସ ପଣ୍ଡା, ସହକାରୀ ଆଂଚଳିକ ପରିବହନ ଅଧିକାରୀ ପ୍ରିୟବ୍ରତ ମହାନ୍ତି, କନିଷ୍ଠ ମଟରଯାନ ନିରୀକ୍ଷିକା କାଜଲ ପ୍ରଧାନ, ଟ୍ରେନି ଏସ.ଆଇ. ଦେବାଶିଷ ନାୟକ ଓ ଜାତୀୟ ପ୍ରଶିକ୍ଷକ ଡଃ. ବିକ୍ରମ କେଶରୀ ମହାନ୍ତି ପ୍ରମୁଖ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ଶିବିରରେ ରେସ୍ପୋଣ୍ଡର ସ୍କାଉଟ ଛାତ୍ର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ସୂଚନା ପ୍ରଦାନ କରାଯାଇଥିଲା ଯେ ଦୂର୍ଘଟଣା ଜନିତ ବା ଅଜଣା ଗାଡି ଧକ୍କାରେ ମୃତୁ୍ୟ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଏବଂ ଗାଡି ଧକ୍କାରେ ସ୍ୱଳ୍ପ କ୍ଷୟକ୍ଷତି ହେଲେ ୫୦ହଜାର ଟଙ୍କା କ୍ଷତି ବାବଦରେ ସରକାରୀ ସହାୟତା ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ସଚେତନତା ମାଧ୍ୟମରେ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର