Wednesday , December 1 2021
Breaking News
Home / ବିଶେଷ / ଲୋକମାନଙ୍କୁ ଆକୃଷ୍ଟ କରୁଛି ପୁରାଣ ବର୍ଣ୍ଣିତ ନାହାଙ୍ଗ ତାଳ ପୋଖରୀ

ଲୋକମାନଙ୍କୁ ଆକୃଷ୍ଟ କରୁଛି ପୁରାଣ ବର୍ଣ୍ଣିତ ନାହାଙ୍ଗ ତାଳ ପୋଖରୀ

ମାହାଙ୍ଗା ୧୮/୧୧/୨୦୨୧ (ଓଡିଶା ସମାଚାର/ ଅଭୟ ଜେନା )- ଦିନେ ଯେଉଁ ସ୍ଥାନଟି ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା, କାହିଁ କେଉଁ ଅନାଦି କାଳରୁ ସେହି ଘନ ଜଙ୍ଗଲ ମଝିରେ କାଳନ୍ଦୀ ହ୍ରଦ ନାମରେ ଅବସ୍ଥିତ “ବିରାଟ ପୁଷ୍କରିଣୀ” ଲୋକଙ୍କୁ ଆକୃଷ୍ଟ କରି ଆସୁଛି । ସେହି ସ୍ଥାନର ମାହାତ୍ମ୍ୟ ଆଜିବି ଜନଶୃତିରେ ଉଦ୍ଜୀବିତ ରହିବା କୁହାଯାଉଛି । ଅଚ୍ୟୁତାନନ୍ଦଙ୍କ ମାଳିକା ବର୍ଣ୍ଣିତ “କାଳନ୍ଦୀ ହ୍ରଦ” ଆଜିର ତାଳ ପୋଖରୀ ।
ପୋଖରୀକୁ ଲାଗି ରହିଥିବା ସ୍ମଶାନରେ ଦିନେ କୁଢ଼ କୁଢ଼ ଶବଦାହ ହେଉଥିଲା ବୋଲି କୁହାଯାଏ । ଯେଉଁଠି ନୌକା ଉପରେ ପ୍ରଭୁଙ୍କ ଚାପ ଖେଳ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଲାଗିରହେ । କାଲିଭଳି ଆଜି ଆଉ ଜଙ୍ଗଲ ନାହିଁ, ସେହି ସ୍ଥାନଟି ଏବେ ଏକ ମନୋରମ ପୀଠରେ ପରିଣତ ହୋଇପାରିଛି । କେବଳ ସ୍ଥାନୀୟ ଗ୍ରାମବାସୀ ମାନଙ୍କ ଆଧ୍ୟାତ୍ମିକ ଚିନ୍ତାଧାରା ଓ ନିଷ୍ଠାପର ଉଦ୍ୟମ ଯୋଗୁଁ ବଦଳି ଯାଇଛି ପରିବେଶ ।
ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ତାଳ ପୋଖରୀର ପୁନରୁଦ୍ଧାର ସମ୍ଭବ ହୋଇଛି ସମାଜସେବୀ ଚିତ୍ତରଞ୍ଜନ ମହାନ୍ତି ଓ ଦେବରଞ୍ଜନ ମହାନ୍ତିଙ୍କ ଭଳି ଆଖପାଖ ଅଂଚଳର ବହୁ ସାଧାରଣ ଲୋକମାନଙ୍କ ପାଇଁ । କୁହାଯାଏ ସମୁଦ୍ରରୁ ଜୁଆର ଉଠେ । କିନ୍ତୁ ଆଶ୍ଚର୍ୟ୍ୟ ହେଲେବି ସତ ଏହି ତାଳ ପୋଖରୀରୁ ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ଉଚ୍ଚାଙ୍ଗ ଜୁଆର ଉଠେ । ଏହି ସ୍ଥାନରେ ଦୀର୍ଘ ୫ ବର୍ଷ ହେଵ ବୋଇତ ବନ୍ଦାଣ ଓ କାର୍ତ୍ତିକ ପୂର୍ଣମୀ ଉତ୍ସବ ଆନନ୍ଦ ଉଦ୍ଦୀପନାର ସହିତ ପାଳନ କରାଯାଉଛି । ଏହା ଏକ ଆଧ୍ୟାତ୍ମିକ ଏବଂ ମନୋରମ ପୀଠ ହୋଇଥିବାରୁ ଦୂର ଦୂରାନ୍ତରୁ ବହୁ ପର୍ୟ୍ୟଟକ ଏଠାକୁ ଆସିବାକୁ ଆଗ୍ରହ ପ୍ରକାଶ କରନ୍ତି ।
ଏହା ଏଭଳି ଏକ ପୋଖରୀ, ଖରା ଯେତେ ପ୍ରଖର ହେଲେବି’ ଏହି ପୋଖରୀରୁ ପାଣି ଆଦୌ ଶୁଖେନି କିମ୍ବା ଏଠାରୁ ଜୁଆର ଉଠିବା ବନ୍ଦ ହୁଏନି । ତାଳ ପୋଖରୀ ପାଣିକୁ ଛୁଇଁବା ପାଇଁ ଲୋକଙ୍କ ଭିତରେ ଅଜି ମଧ୍ୟ ବ୍ୟଗ୍ରତା ଦେଖିବାକୁ ମିଳେ । ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକାରେ ବର୍ଣ୍ଣିତ ଏହି ପୀଠର ମାହାତ୍ମ୍ୟ ଆଜିବି ସାଧାରଣ ଲୋକମାନଙ୍କୁ ଆକୃଷ୍ଟ କରିଥାଏ । ପୁରାଣ ଓ କିମ୍ବଦନ୍ତୀର କଥା ଓ କାହାଣୀ ଆମ ସଂସ୍କୃତିର ଅନନ୍ୟ ବିଭବ, ଏହାକୁ କେବେବି ଅସ୍ବୀକାର କରାଯାଇନପାରେ । ନାହାଙ୍ଗ ପଞ୍ଚାୟତବାସୀଙ୍କ ଉଦ୍ୟମ ଓ ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କ ଆର୍ଥିକ ପ୍ରୋତ୍ସାହନ ଯୋଗୁଁ ଏହି ତାଳ ପୋଖରୀର ପୁନରୁଦ୍ଧାର କରାଯିବା ସହ ସ୍ଥାନଟି ଏକ ଶକ୍ତି ପୀଠ ଭାବେ ପରିଣତ ହୋଇପାରିଛି । ବାର ମାସରେ ଏଠାରେ ତେର ପର୍ବ ପାଳନ ହେଉଛି । ଭାଇଚାରା ଓ ସଦଭାବନା ବାଣ୍ଟୁଥିବା ସ୍ଥାନୀୟ ଗ୍ରାମବାସୀ ମାନେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *