ଜଗତସିଂହପୁର, ୧୬/୧୧/୨୦୨୧(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହ ଠାରେ ୨୦୨୧-୨୨ ଖରିଫ୍ ଋତୁପାଇଁ ଜିଲ୍ଲା ସ୍ତରୀୟ ଧାନସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପାରୁଲ ପଟାୱରୀ ଙ୍କ ଅଧ୍ୟତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡିଶାର ଜଳସଂପଦ ,ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ କହିଲେ ଜଗତସିଂହପୁର ଜିଲ୍ଲା ଏକ କୃଷିପ୍ରଧାନ ଜିଲ୍ଲା ଧାନ ହେଉଛି ଜିଲ୍ଲାର ମୁଖ୍ୟଫସଲ,ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ ନିମନ୍ତେ ସୁବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ଯୋଗଦେଇ ଜଗତସିଂହପୁର ସାଂସଦ ଡା.ରାଜଶ୍ରୀ ମଲ୍ଲିକ କହିଲେ ଜିଲ୍ଲାର ଚାଷୀ ମାନଙ୍କର ବିଭିନ୍ନ ସମସ୍ୟାକୁ ଆଜିର ଆଲୋଚନା ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି କହିଲେ ପ୍ୟାକସ୍ ସେକ୍ରେଟାରୀ ମାନେ ସଂଗ୍ରହ ହୋଇପାରିନଥିବା ଧାନ କୁ ଯତ୍ନର ସହକାରେ ରଖିବା ବ୍ୟବସ୍ଥା କରିବେ । ସୋସାଇଟି ସ୍ତରୀୟ ଧାନ ସଂଗ୍ରହ କମିଟି ନିୟମିତ ବ୍ୟବଧାନରେ ଅନୁଷ୍ଠିତ କରାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ପାରୁଲ ପଟାୱରୀ କହିଲେ ଏବର୍ଷ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ନିମନ୍ତେ ଜାନୁଆରୀ ୭ତାରିଖ ରଘୁନାଥପୁର ବ୍ଲକ, ଜାନୁଆରୀ ୧୫ତାରିଖରେ ଜଗତସିଂହପୁର,ନାଉଗାଁ ,ବିରିଡି,ବାଲିକୁଦା,ଏରସମା ଓ କୁଜଙ୍ଗ ବ୍ଲକ ଏବଂ ଜାନୁଆରୀ ୨୦ତାରିଖରେ ତିର୍ତୋଲ ବ୍ଲକରେ ମଣ୍ଡି ଖୋଲାଯିବ । ଏବର୍ଷ ପ୍ରତ୍ୟେକ ରବିବାର ମଧ୍ୟ ମଣ୍ଡି ଖୋଲା ରହିବ । ଚାଷୀମାନେ ଯେତେବେଳେ ଚାହିଁବେ ଧାନ ଦେଇପାରିବେ । ପ୍ରତ୍ୟେକ ନିୟନ୍ତ୍ରିତ ବଜାର କମିଟି ତରଫରୁ ସମସ୍ତ ପ୍ୟାକ୍ କୁ ୨ଟି ଲେଖାଏଁ ତାରପୋଲିନ ଯୋଗାଇ ଦିଆଯିବ । ଚଳିତ ବର୍ଷ ଜିଲ୍ଲାରେ ୧,୧୭,୩୫୨,୯୪୧ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷଧାର୍ଯ୍ୟ ରହିଛି । ସାଧାରଣ ଏଫ୍ .ଏ.କୁ୍ୟ ଧାନ କୁଇଂଟାଲ ପ୍ରତି ୧୯୪୦ଟଙ୍କା ରଖାଯାଇଥିବା ବେଳେ ଗ୍ରେଡ-ଏ ଧାନ କୁଇଂଟାଲ ପ୍ରତି ୧୯୬୦ଟଙ୍କା ସରକାରଙ୍କ ପକ୍ଷରୁ ଧାର୍ଯ୍ୟକରାଯାଇଛି । ଜିଲ୍ଲାରେ ୧୦୫ଟି କୃଷି ସମବାୟ ସମିତି ମାଧ୍ୟମରେ ଧାନ ସଂଗ୍ରହ କରାଯିବ । ଧାନ ସଂଗ୍ରହ ବେଳେ କୋଭିଡ କଟକଣା ଅନୁପାଳନ କରାଯିବ । ଏଥର ପ୍ରତି ବ୍ଲକରେ ଗୋଟିଏ ଲେଖା ମହିଳା ସ୍ୱୟଂସହାୟକ ଗୋଷ୍ଠିଙ୍କୁ ଧାନ ସଂଗ୍ରହରେ ନିୟୋଜିତ କରାଯିବ । ଚଳିତ ବର୍ଷ ୪୫,୩୮୧ଜଣ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଓଡ଼ିଶା ସମାଚାର