Tuesday , June 6 2023
Breaking News
Home / ଶିକ୍ଷା /           ଅବ୍ୟବସ୍ଥା ଘେରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ

          ଅବ୍ୟବସ୍ଥା ଘେରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ

ନାମକୁ ମାତ୍ର ସ୍ମାର୍ଟ ସ୍କୁଲ ,ପିଲା ପଢିବାକୁ ଶ୍ରେଣୀଗୃହ ନାହିଁ ,ରଙ୍ଗମାରି ୩୫ ଲକ୍ଷ ଚଳୁ ଯୋଜନା,ପ୍ରତିଷ୍ଠାତାଙ୍କୁ ଅସମ୍ମାନ

ଭୁବନ ୧୫/୧୧/୨୦୨୧(ଓଡ଼ିଶା ସମାଚାର)- ଭୁବନର ସର୍ବପୁରାତନ ତଥା ଏକମାତ୍ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବେ ୫ଟି ଅଧିନରେ ମୋ ସ୍କୁଲ /ସ୍ମାର୍ଟ ସ୍କୁଲ ଭାବେ ରୂପାନ୍ତରିତ ହୋଇଛି । ଏଥିପାଇଁ ରାଜ୍ୟ ସରକାର ପର୍ଯ୍ୟାପ୍ତ ଅର୍ଥ ମଧ୍ୟ ଯୋଗାଇ ଦେଇଛନ୍ତି । ପୁରାତନ ଛାତ୍ରୀ ମାନଙ୍କୁ ନେଇ ମୋ ସ୍କୁଲ କମିଟି ଗଠନ ହୋଇନଥିବା ଓ ବିଳମ୍ବରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହେବା ଯୋଗୁ ଏନଏସି ପ୍ରଶାସନ ଏହାର ଲାଭ ଉଠାଇ କେବଳ ରଙ୍ଗ(ଚୁନ) ମାରି ୩୫ ଲକ୍ଷ ଟଙ୍କା ଚଳୁ କରିବାକୁ ବସିଛି ବୋଲି ଖୋଦ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନୋଜକୁମାର ପୋଥାଳ ବ୍ଲକ ଶିକ୍ଷାଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ,ବିଦ୍ୟାଳୟ ଗଣଶିକ୍ଷା ସଚିବ,୫ଟି ସଚିବ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଅଭିଯୋଗକରିଛନ୍ତି । ଶ୍ରୀ ପୋଥାଳ ଅଭିଯୋଗରେ ଦର୍ଶାଇଛନ୍ତି ଯେ ,ବର୍ତମାନ ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ସମୁଦାୟ ୩୫୮ ଜଣ ଛାତ୍ରୀ ୬ ଟି ଶ୍ରେଣୀଗୃହରେ ଅଧ୍ୟୟନ କରୁଥିବା ବେଳେ ପ୍ରଧାନଶିକ୍ଷକ ଙ୍କ ସମେତ ୮ ଜଣଓ ଭୋକେସନାଲ ପାଇଁ ୨ ଜଣ ଶିକ୍ଷକ,ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି । ଜଣେ ବିଜ୍ଞାନ,ଜଣେ ଟିଜିଟି,ଜଣେ ଟିଆଇ,୨ ଜଣ ଟିଏସ,ଜଣେ ଖେଳଶିକ୍ଷକ ଓ ୨ ଜଣ ପିଅନ ପଦବୀ ଫାଙ୍କା ଅଛି ଓ ୨ ଟି ଶ୍ରେଣୀଗୃହ,ଗୋଟିଏ ଭୋକେସନାଲ ଲାବୋରେଟାରୀ,ଗୋଟିଏ କ୍ରୀଡା ଉପକରଣ ଗୃହ ଆବଶ୍ୟକ ରହିଛି । ଏନଏସି ପ୍ରଶାସନ ଆଦୌ ଗୃହ ନିର୍ମାଣ କିମ୍ବା କୌଣସି କନଷ୍ଟ୍ରକସନ କାର୍ଯ୍ୟ ନକରି କେବଳ ରଙ୍ଗ(ଚୁନ)ମାରି ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି କହୁଥିବାରୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଆଜିଠାରୁ  ଷଷ୍ଠସପ୍ତମ ଶ୍ରେଣୀ ଶିକ୍ଷାଦାନ ଆରମ୍ଭ ହୋଇଥିବା ବେଳେ ଛାତ୍ରୀ ମାନଙ୍କ ନିମନ୍ତେ ବସିବାକୁ ଜାଗାନଥିବା କାରଣରୁ ଗୋଟିଏ ଘରେ ଖୁନ୍ଦାଖୁନ୍ଦି ହୋଇ ଲାଗିକରି ପିଲାମାନେ ବସିଥିବା ଦେଖିବାକୁ ମିଳିଥିଲା । କୋଭିଡ ଗାଇଡଲାଇନ କଡାକଡି ପାଳନ କରି ଶିକ୍ଷାଦାନ କରାଯିବାକୁ ସରକାର ନିର୍ଦ୍ଧେଶ ଦେଇଥିବା ବେଳେ ତାହା ପାଳନ କରାଯାଇନଥିଲା । ଏ ସଂପର୍କରେ ପ୍ରଧାନଶିକ୍ଷକ ନାରାୟଣ ରଣା ଙ୍କୁ ପଚାରିବାରୁ ସେ ଅକ୍ଷମତା ପ୍ରକାଶ କରି ଶ୍ରେଣୀଗୃହ ନଥିବାରୁ ଗୋଟିଏ ଡେକ୍ସରେ ୩ ଜଣ ପିଲା ବସିଥିଲେ ଓ ଏନଏସି ପ୍ରଶାସନ ତ ଗୃହ ନିର୍ମାଣ କରୁନାହିଁ ଆମ୍ଭେ କଣ କରିବୁ ବୋଲି ପ୍ରଶ୍ନ କରିଥିଲେ ।  ସୂଚନାଯୋଗ୍ୟ ଯେ, ଭୁବନ ଏନଏସି ଅନ୍ତର୍ଗତ ୫ ନମ୍ବର ୱାର୍ଡ ବାସିନ୍ଦା ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ କୃଷ୍ଣଚନ୍ଦ୍ର ପାତ୍ର ଓରଫ ବାଉରୀ ପାତ୍ର ନାରୀ ଶିକ୍ଷାର ପ୍ରସାର ପାଇଁ ୧୯୬୩ ମସିହାରେ ବ୍ୟକ୍ତିଗତ ପ୍ରଚେଷ୍ଟାରେ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ପରବର୍ତୀ ସମୟରେ ଏହାକୁ ସରକାର ହାତକୁ ନେଇଥିଲେ । ଏହି ବିଦ୍ୟାଳୟ ଇତି ମଧ୍ୟରେ ୫୮ ବର୍ଷରେ ପାଦ ଦେଇଥିବା ବେଳେ ସ୍ୱର୍ଣ୍ଣଜୟନ୍ତୀ ପାଳନରେ ପ୍ରତିଷ୍ଠାତାଙ୍କ ପ୍ରତି ସାମାନ୍ୟ ଶ୍ରଦ୍ଧାଞ୍ଜଳୀ ଦେଇନଥିବା ବେଳେ ସ୍ମାର୍ଟ ସ୍କୁଲ ବେଳେ ମଧ୍ୟ ପ୍ରତିଷ୍ଠାତାଙ୍କୁ ବିଦ୍ୟାଳୟ କମିଟି ଓ ପ୍ରଶାସନ ଭୁଲିଯାଇଛି । ପ୍ରତିଷ୍ଠାତାଙ୍କ ପରିବାର ଓ ଗ୍ରାମବାସୀଙ୍କ ତରଫରୁ ବାରମ୍ବାର ଦାବି ଆପତି ସତ୍ୱେ ତାଙ୍କର ଏକ ପ୍ରତିମୂର୍ତୀ ସ୍କୁଲ ପରିସରରେ ସ୍ଥାପନ କରାଯାଇ ନଥିବାରୁ ଏହା ତାଙ୍କ ପ୍ରତି ଘୋର ଅନ୍ୟାୟ , ଅପମାନ ଓ ଅସମ୍ମାନ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି  । ଆଉକିଛିଦିନ ମଧ୍ୟରେ ଏହି ବିଦ୍ୟାଳକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ରୁପାନ୍ତରିତ (ଉଦଘାଟନ) କରିବାର କାର୍ଯ୍ୟକ୍ରମ ରହିଛି । ଉଦଘାଟନ ପୂର୍ବରୁ ବିଦ୍ୟାଳୟରେ ଶିକ୍ଷକ/କର୍ମଚାରୀ ନିଯୁକ୍ତି ଦିଆଯିବା ସହିତ ଆବଶ୍ୟକୀୟ ଶ୍ରେଣୀଗୃହ ନିର୍ମାଣ  ଓ ପ୍ରତିଷ୍ଠାତାଙ୍କର ଏକ ପ୍ରତିମୂର୍ତୀ ସ୍ଥାପନ କରିବାକୁ ଅଭିଭାବକ ଏବଂ ବିଦ୍ଧିଜୀବୀ ମହଲ ଦାବି କରୁଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.