Saturday , November 27 2021
Breaking News
Home / ବିଶେଷ / ପୁରସ୍କାର ଦେବାକୁ କହି ୧୦ଲକ୍ଷ ଠକେଇ ଅଭିଯୋଗରେ ନକଲି ସାମ୍ବାଦିକ ଗିରଫ

ପୁରସ୍କାର ଦେବାକୁ କହି ୧୦ଲକ୍ଷ ଠକେଇ ଅଭିଯୋଗରେ ନକଲି ସାମ୍ବାଦିକ ଗିରଫ

କେନ୍ଦ୍ରାପଡ଼ା, ୧୩/୧୧/୨୦୨୧(ଓଡ଼ିଶା ସମାଚାର)- ବିଭିନ୍ନ ସଂସ୍ଥା ପକ୍ଷରୁ ପୁରସ୍କାର ଓ ମାନପତ୍ର ଦେବାକୁ କହି ବହୁ ଲୋକଙ୍କ ଠାରୁ ୧୦ଲକ୍ଷରୁ ଉଦ୍ଧ୍ୱର୍ ଅର୍ଥ ଠକି ନେଇଥିବା ଅଭିଯୋଗରେ ଅବିନାଶ ସାମଲ ନାମଙ୍କ ଜଣେ ନକଲି ସାମ୍ବାଦିକଙ୍କୁ ସଦର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଜରିଆବାଡ ଗ୍ରାମର ବିଜୟ ଖଟୁଆଙ୍କ ପୁଅ ତଥା କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ବିଜ୍ଞାନ ଛାତ୍ର ସନ୍ତୋଷ ଖଟୁଆ କେନ୍ଦ୍ରାପଡା ସହରର ତିନିମୁହାଣି ନିକଟସ୍ଥ ଏକ ମେସରେ ରହି ଅଧ୍ୟୟନ କରନ୍ତି । ସନ୍ତୋଷ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ସେ ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ପୁରସ୍କୃତ ମଧ୍ୟ ହୋଇଛନ୍ତି । କଜଳାସ୍ଥିତ ଖେଳପଡିଆରେ ଛାତ୍ର ସନ୍ତୋଷ କ୍ରୀକେଟ ଖେଳୁଥିବା ସମୟରେ ଗତ ମାର୍ଚ୍ଚମାସ ପହିଲା ଦିନ କଜଳାରେ ଘରଭଡା ନେଇ ରହୁଥିବା ଅବିନାଶ ସହିତ ସାକ୍ଷାତ ହୋଇଥିଲା । ଅବିନାଶ ନିଜକୁ ଦୂରଦର୍ଶନର ସାମ୍ବାଦିକ ବୋଲି ପରିଚୟ ଦେଇ ସନ୍ତୋଷକୁ ବିଭିନ୍ନ ସଂସ୍ଥାରୁ ପୁରସ୍କାର ଓ ମାନପତ୍ର ମିଳିବାର ପ୍ରଲୋଭନ ଦେଖାଇ ତା’ର ମନରେ ବିଶ୍ୱାସ ଜନ୍ମାଇଥିଲେ । ଫଳରେ ଉଚ୍ଚାଭିଳାସୀ ସନ୍ତୋଷ ଏଥିରେ ରାଜି ହୋଇ ଯାଇଥିଲେ । ଏହାପରେ ଗତ ମାର୍ଚ୍ଚମାସ ୯ତାରିଖରେ ପ୍ରଥମେ ୩୦ହଜାର ଓ ୧୫ତାରିଖରେ ୧୦ହଜାର ଟଙ୍କା ପ୍ରତିଯୋଗୀତାର ପ୍ରବେଶ ଫିସ ବାବଦରେ ଅବିନାଶ ସନ୍ତୋଷ ଠାରୁ ଠକି ନେଇଥିଲେ । ସେହିପରି ଉତ୍କଳ ଗୌରବ ୟୁଥ ଆଇକନ ଏବଂ ମଦର ଟେରସା ସମ୍ମାନ ଭଳି ଅନ୍ୟ ପ୍ରତିଯୋଗୀତା ଗୁଡିକ ନିମନ୍ତେ ୪୦ ହଜାର, ୨୦ହଜାର କରି ମୋଟ ଏକଲକ୍ଷ ୫୬ହଜାର ଟଙ୍କା ସନ୍ତୋଷ ଠାରୁ ଠକି ନେଇଥିବା ସମ୍ପର୍କରେ ସନ୍ତୋଷ ଗତ ଜୁଲାଇମାସ ୨୬ତାରିଖରେ ସଦର ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଉପରେ ଥାନା କେଶ ନମ୍ବର – ୪୧୮/୨୦୨୧ରେ ଆଇପିସିର ଧାରା ୪୧୭, ୪୨୦ ଓ ୫୦୬ରେ ଏକ ମାମଲା ରୁଜୁ କରାଯାଇଥିଲା । ସନ୍ତୋଷ କେବଳ ଏକ ମାନପତ୍ର ଅବିନାଶ ଠାରୁ ପାଇଥିବା ବେଳେ କୌଣସି ପୁରସ୍କାର ପାଇନଥିଲା । ଫଳରେ ତାର ସନ୍ଦେହ ହେବାରୁ ସନ୍ତୋଷ ତାର ଅର୍ଥ ଫେରସ୍ତ ମାଗିବାରେ ଅବିନାଶ ତାକୁ ଧମକ ଦେଇଥିଲା । ଏସମ୍ପର୍କରେ ଥାନାରେ ଜଣାଇବା ପରେ ଅବିନାଶ କେନ୍ଦ୍ରାପଡାରୁ ଫେରାର ହୋଇଯାଇଥିଲା । ସଦର ଥାନା ପୋଲିସ ଅବିନାଶର ମୋବାଇଲ ଟ୍ରାକିଂ କରିବାରେ ସେ ଯାଜପୁର ଏବଂ ପରେ ଭୁବନେଶ୍ୱରରେ ଥିବାର ଜଣାପଡିଥିଲା । ଅବିନାଶକୁ ପୋଲିସ ଗିରଫ କରି ଥାନାକୁ ଆଣିବା ପରେ ତାକୁ ପଚରାଉଚୁରା କରିଥିଲା । ଅବିନାଶ ତିନିମୁହାଣିର ଏକ ଡିଟିପି ସେଂଟରରେ ପୁରସ୍କାର ପାଇଁ ଉଦ୍ଧିଷ୍ଟ ନକଲି ସାର୍ଟିଫିକେଟ ପ୍ରସ୍ତୁତ କରିଥିବା ସମ୍ପର୍କରେ ପୋଲିସ ଜାଣିବା ପରେ ସଂପୃକ୍ତ ଡିଟିପି ସେଂଟରର ମାଲିକ ଏବଂ ୨ଟି କମ୍ପୁ୍ୟଟର ମନିଟର, ୨ଟି ସିପିୟୁ,୨ଟି ପ୍ରିନ୍ଟର ଓ ସ୍କାନର ଜବତ କରିବା ସହ ଅବିନାଶ ଠାରୁ ନଗଦ ୨୦ହଜାର ଟଙ୍କା ଓ ନକଲି ମାନପତ୍ର ଏବଂ ଗୋଟିଏ ମୋବାଇଲ ଜବତ କରିଥିଲା । ଅବିନାଶ ଏଭଳି ଭାବରେ ପୁରୀ, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ପ୍ରାୟ ୧୦ଜଣଙ୍କ ଠାରୁ ୧୦ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଠକି ନେଇଥିବା ପୋଲିସ କହିଛି ।
ଏହି ଉପଲକ୍ଷେ ସଦର ଥାନାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ପବିତ୍ର ମହାରଣା କହିଛନ୍ତି ଯେ ଅବିନାଶ କେନ୍ଦ୍ରାପଡା କଲେଜରେ ସ୍ନାତକ ପାସ କରିବା ପରେ ଗତ ୨୦୦୯ମସିହାରେ ଭୁବନେଶ୍ୱରରେ ଇନଷ୍ଟିଟୁ୍ୟଟ ଅଫ କଷ୍ଟ ଆଣ୍ଡ ୱାର୍କସ ଆକାଉଁଟାଂଟ ଅଫ ଇଣ୍ଡିଆରେ କଷ୍ଟିଂ ପଢୁଥିଲେ । କିନ୍ତୁ ପାସ କରିପାରି ନଥିଲେ । ସେହି ସମୟରେ ଅବିନାଶ ଦୂରଦର୍ଶନରେ କ୍ରୀଡା ଓ କ୍ରୀଡାବୀତ କାର୍ଯ୍ୟକ୍ରମରେ ଆଙ୍କରିଂ କରୁଥିଲେ । ପରେ ଭୁବନେଶ୍ୱରରେ ଟୁ୍ୟସନ କରି ଭଡାଘର ନେଇ ରହୁଥିଲେ ।୨୦୧୭ମସିହାରେ ମନି ଇନଭେଷ୍ଟମେଂଟନେଟୱାର୍କରେ ଯୋଗଦେଇ କାମ କରୁଥିବା ବେଳେ ତାଙ୍କର ବହୁ ଅର୍ଥ ବୁଡିଯାଇଥିଲା । ଏହାପରେ ଅବିନାଶ ସେହି କାରଣରୁ ପୁରୀ, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଲୋକଙ୍କୁ ପ୍ରଲୋଭିତ କରି ଅର୍ଥ ଠକିନେଇଥିବା ପୋଲିସକୁ କହିଛନ୍ତି । ସେହିପରି କଲେଜ ଛାତ୍ର ସନ୍ତୋଷ ଖଟୁଆଙ୍କ ଠାରୁ ଅଭିଯୁକ୍ତ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ଅଶୋକ କୁମାର ସାମଲଙ୍କ ପୁଅ ଅବିନାଶ ସାମଲ(୩୩) ଏକଲକ୍ଷ ୫୬ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ତାକୁ ପୋଲିସ ଶନିବାର କୋର୍ଟ ଚାଲାଣ କରିଛି । ତଦନ୍ତକାରୀ ଅଧିକାରୀ ସବଇନିସପେକ୍ଟର ତପନ କୁମାର ନାହାକ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି ଜୟନ୍ତପୁର ଅଙ୍ଗନଓ୍ବାଡୀ ସେକ୍ଟର ସୁପରଭାଇଜର ସୁଲୋଚନା ଅର୍କା

କଟକ, ୨୭/୧୧/୨୦୨୧(ଓଡ଼ିଶା ସମାଚାର)- ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି ଜୟନ୍ତପୁର ଅଙ୍ଗନଓ୍ବାଡୀ ସେକ୍ଟର ସୁପରଭାଇଜର ସୁଲୋଚନା ଅର୍କା …

Leave a Reply

Your email address will not be published. Required fields are marked *