ମାହାଙ୍ଗା,୧୩/୧୧/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- କୋଠପଦା ବିଦ୍ୟୁତ ବିଭାଗ ଅଧିନରେ ଥିବା ଗ୍ରାହକ ମାନେ ଟାଟା ପାୱାର କର୍ମଚାରୀଙ୍କ ନୂତନ ମିଟର ଯୋଗାଣ ଉଦ୍ୟମକୁ ତୀବ୍ର ବିରୋଧ କରିବା ଜଣା ପଡିଛି । ଆମକୁ କମ୍ପାନୀ ପକ୍ଷରୁ ପୂର୍ବରୁ ଯେଉଁ ମିଟର ଦିଆଯାଇଥିଲା ସେହି ମିଟରରେ ତ୍ରୁଟି ନଥିବା ସତ୍ୱେ ପୁନର୍ବାର ନୂଆ ମିଟର ପାଇଁ ଟାଟା ପାୱାର କାହିଁକି ଜୁଲମ ଚଳାଇଛି ବୁଝା ପଡୁନି । କୁହୁଣ୍ଡା ପଂଚାୟତ ଅଧିନରେ ଥିବା କୋଠପଦା, ବନଗୁରିଆ, ଶଂଖପୁର, ଧଉଳିଆ, ହରଗୋବିନ୍ଦପୁର, କଲ୍ୟାଣପୁର, କୁହୁଣ୍ଡା ପ୍ରଭୃତି ବିଭିନ୍ନ ଗ୍ରାମରେ ଥିବା ଶହଶହ ବିଦ୍ୟୁତ ଗ୍ରାହକ ଏହାକୁ ନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ନୂତନ ମିଟର ବସାଇବା ପାଇଁ ଟାଟା ପାୱାର ପକ୍ଷରୁ ଗ୍ରାହକ ମାନଙ୍କୁ କାହିଁକି ବାଧ୍ୟ କରାଯାଇଛି ତାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି । ଯେଉଁ ବିଜୁଳୀ ଗ୍ରାହକମାନେ ନିଜ ଘରେ ମିଟର ବସାଇଛନ୍ତି ଓ ସେମାନେ ନିର୍ଭୁଲ ମିଟର ବ୍ୟବହାର କରୁଛନ୍ତି ଓ ନିୟମିତ ବିଲ ମଧ୍ୟ ପୈଠ କରୁଛନ୍ତି, ସେମାନଙ୍କ ଘରେ ଟାଟା ପାୱାର ପକ୍ଷରୁ ନୂଆ ମିଟର ଲଗାଇବାକୁ ଉଦ୍ୟମ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଗକୁ ପ୍ରିପେଡ ମିଟର ସିଷ୍ଟମ ଲାଗୁହେବାକୁ ଯାଉଥିବାରୁ ବିଦ୍ୟୁତ ବିଭାଗ ସେଥିପାଇଁ ଅପେକ୍ଷା ନକରି ତରବରିଆ ଭାବେ ଯୋର ଜବରଦସ୍ତ ଗ୍ରାହକ ମାନଙ୍କୁ ନୂଆ ମିଟର ନାଆଁରେ ଶୋଷଣ କରୁଥିବାରୁ ଏହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । କୁହୁଣ୍ଡା ପଞ୍ଚାୟତର ଶତାଧିକ ବିଦ୍ୟୁତ ଗ୍ରାହକ କୋଠପଦା ବିଦ୍ୟୁତ ସେକ୍ସନ ମ୍ୟାନେଜରଙ୍କୁ ସାକ୍ଷାତ କରିବା ସହ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ଉପରେ ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବାକୁ ବିଦ୍ୟୁତ ଗ୍ରାହକମାନେ ଦାବି କରିଛନ୍ତି । ଟାଟା ପାୱାର ପକ୍ଷରୁ ଗ୍ରାହକ ମାନଙ୍କୁ ଆସନ୍ତା ଦିନରେ ଏଭଳି ଶୋଷଣ କିମ୍ବା ହଇରାଣ ହରକତ କରାଗଲେ ଏହାକୁ ନେଇ ଏକ ବଡ଼ ଧରଣର ଆନ୍ଦୋଳନ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ଓଡ଼ିଶା ସମାଚାର