Monday , December 6 2021
Breaking News
Home / ବିଶେଷ / ନାମ ମନନ ସ୍ମରଣ — ଶ୍ରୀ ଅଖଣ୍ଡ

ନାମ ମନନ ସ୍ମରଣ — ଶ୍ରୀ ଅଖଣ୍ଡ

ମହାପ୍ରଭୁଙ୍କ ନାମ ମନନ ସ୍ମରଣ କରିବା ଦ୍ୱାରା ମନରେ ଶାନ୍ତି ଓ ଆନନ୍ଦ ଆସିଥାଏ । ସତେ ଲାଗେ ସତେକି ଶୀତଳ ସମୀର ବହିଯାଉଛି । ଆମ ଶରୀର ଓ ହୃଦୟରେ ଶୀତଳତା ଆସେ । ପ୍ରଭୁଙ୍କ ନାମର ଯେତିକି ମହିମା, ଧାମର ମଧ୍ୟ ସେତିକି ମହିମା । ନୀଳାଚଳ ଧାମ ହେଉଛି ତୀର୍ଥରାଜ । ଯେଉଁଠି ପ୍ରଭୁ ଶ୍ରୀଜଗନ୍ନାଥ ପ୍ରକଟ ହୋଇଛନ୍ତି । ତାଙ୍କରି ପ୍ରାକଟ୍ୟ ହିଁ ଏହି ଭୂମିକୁ କରିଛି ପବିତ୍ର ଓ ମହାନ୍ । ଏହି ଧାମରେ ଧର୍ମ ଅବତାରୀ ଓ ଧର୍ମଧାତା ସଂସାରର ଧର୍ମ ଓ ନ୍ୟାୟକୁ ରକ୍ଷା କରୁଛନ୍ତି । ତେଣୁ ତାଙ୍କର ନାମ ଆମ ପାଇଁ ଅମୃତ ସ୍ୱରୂପ । ସାରା ସଂସାର ପାଇଁ କଲ୍ୟାଣ କାରକ । ପ୍ରଭୁଙ୍କ ଉପରେ ଭକ୍ତଙ୍କର ଅଗାଧ ବିଶ୍ୱାସ ଓ ପ୍ରଗାଢ ଆସ୍ଥା । ପ୍ରଭୁଙ୍କ ନାମ ସଂକୀର୍ତନ କରି ଦୁନିଆର ଦୁଃଖ ଯନ୍ତ୍ରଣାରୁ ମୁକ୍ତ ହେବାକୁ ଚାହେଁ ଭକ୍ତ । କାରଣ ନାମ ହେଉଛି ସର୍ବଶକ୍ତିମାନ । ଏହି ନାମ ହେଉଛି ମହାମନ୍ତ୍ର । ଅନେକ ସାଧୁସନ୍ଥ କୁହନ୍ତି, ଏହି ପ୍ରଭୁଙ୍କ ନାମ ଶକ୍ତି ପ୍ରଭୁଙ୍କ ଠାରୁ ମଧ୍ୟ ଶକ୍ତିଶାଳୀ । ପୁଣି ପ୍ରଭୁଙ୍କୁ ପାଇବା ହୁଏତ କଷ୍ଟ ହୋଇପାରେ । କିନ୍ତୁ ପ୍ରଭୁ ନାମ ସୁଲଭ । ଆମକୁ କେବଳ ମନନ ସ୍ମରଣ କରିବାର ଆବଶ୍ୟକତା ରହିଛି । ନାମ ସାଧନା କରିବା ସହଜ ମଧ୍ୟ । ବ୍ୟସ୍ତବହୁଳ ସମୟରେ ଆମ ପାଖରେ ସମୟ ନାହିଁ । ତେଣୁ ଆମେ ପ୍ରଭୁଙ୍କ ନାମ ସ୍ମରଣ ମାଧ୍ୟମରେ ହିଁ ସକଳ ପୁଣ୍ୟର ଅଧିକାରୀ ହୋଇପାରିବା । ଏଥିପାଇଁ ଅତିରିକ୍ତ ସମୟ କିମ୍ବା ବ୍ୟୟ କରିବାର ଆବଶ୍ୟକ ନାହିଁ । ଯେତେବେଳେ ଯେଉଁସମୟରେ ପ୍ରଭୁଙ୍କ ନାମ ନେବାରେ କିଛି ଅସୁବିଧା ନାହିଁ । ଆମେ ଏହାକୁ ଅଭ୍ୟାସ କରିବା ଆବଶ୍ୟକ । ନିର୍ମଳ ଓ ନିଷ୍କାମ ମନରେ ପ୍ରଭୁଙ୍କ ନାମ ସ୍ମରଣ କରନ୍ତୁ । ଆମ ମସ୍ତିଷ୍କରେ ପ୍ରଭୁ ଅବସ୍ଥାନ କରନ୍ତି । ଆମେ ତାଙ୍କୁ ଅନୁଭବ ଓ ଦର୍ଶନ କରିବା ଉଚିତ୍ । ଆମକୁ ଉଚିତ୍ ମାର୍ଗରେ ଯିବା ପାଇଁ ପ୍ରେରିତ କରନ୍ତି । ଆମେ ସେହି ବାଟରେ ଯିବାକୁ ପ୍ରୟାସ କରିବା ଦରକାର । ଆମ ହୃଦୟରେ ପ୍ରଭୁ ଆତ୍ମା ଉପରେ ବିରାଜମାନ କରିଛନ୍ତି । ପ୍ରଭୁ ପରଂବ୍ରହ୍ମ ଆତ୍ମା ସ୍ୱରୂପରେ ଆମକୁ ଆତ୍ମକଲ୍ୟାଣର ମାର୍ଗ ଦେଖାଉଛନ୍ତି । ସେହି ଆତ୍ମକଲ୍ୟାଣ ମାର୍ଗରେ ଆମେ ଯିବା ପାଇଁ ଚେଷ୍ଟା କରିବା । ହୃଦୟରେ ପ୍ରଭୁଙ୍କୁ ଅନୁଭବ ଓ ଦର୍ଶନ କରିବା ଆବଶ୍ୟକ । ସେହିଭଳି ନାଭିମଣ୍ଡଳରେ ମଧ୍ୟ ପ୍ରଭୁଙ୍କ ଅନୁଭବ ଓ ଦର୍ଶନ କରନ୍ତୁ । ସାରା ଦୁଃନିଆ ସହିତ ଆମର ସମ୍ପର୍କ ଯୋଡିଛନ୍ତି ପ୍ରଭୁ । ପ୍ରତିଟି ରକ୍ତ ବିନ୍ଦୁରେ ପ୍ରଭୁଙ୍କ ସ୍ୱରୂପକୁ ଅନୁଭବ କରନ୍ତୁ । ଶ୍ରୀଜଗନ୍ନାଥଙ୍କ ନାମ ଆମ ଭିତରେ ରହିଛି । ତାହା ହିଁ ଆମକୁ ମୁକ୍ତି ପ୍ରଦାନ କରିଥାଏ । ତାହା ଆମକୁ ଦେଇଥାଏ ପରମ ଆନନ୍ଦ । ନାମରୁ ଆମ ଭିତରେ ପ୍ରେମ ଜାତ ହୋଇଥାଏ । ନାମ ଜ୍ଞାନକୁ ସେ ହାସଲ କରିଦେଲା, ତାହାକୁ ପରମ ଜ୍ଞାନ ହାସଲ ହେଲା ବୋଲି ଜାଣନ୍ତୁ । ତିନି ଲୋକରେ ପ୍ରଭୁଙ୍କର ଜୟ ଜୟ ହେଉଛି । ଆମେ ତ ଛାର ମନୁଷ୍ୟମାତ୍ର । ବ୍ରହ୍ମା, ଶିବ ଓ ଅନ୍ୟ ଦେବଗଣ ପ୍ରଭୁଙ୍କ ନାମ ମନନ ସ୍ମରଣ କରନ୍ତି । ଆମେ କଣ ମହାପ୍ରଭୁଙ୍କ ଉପାସନା କରିପାରିବା ନାହିଁ ? ଯୁଗେ ଯୁଗେ ସାଧୁସନ୍ଥମାନେ ସାରାଜୀବନ ପ୍ରଭୁଙ୍କ ନାମ ମନନ ସ୍ମରଣରେ ବିତାଇ ଦେଇଛନ୍ତି । ପ୍ରଭୁ ତ ଆମକୁ ସବୁକିଛି ଦେଇଛନ୍ତି । ତାଙ୍କୁ ଧନ୍ୟବାଦ ଦେବା ପାଇଁ ଅନ୍ତତଃ ପ୍ରଭୁଙ୍କ ନାମ ନିଅନ୍ତୁ । ତାହା ଆପଣଙ୍କୁ ଦିବ୍ୟମାନବରେ ପରିଣତ କରିବ ।

-0-

  ଦୀକ୍ଷା ମିଶନ, ପିପିଲି, ପୁରୀ

ଫୋନ୍ – ୭୦୦୮୮୧୬୮୯୧

email : [email protected]

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *