ଗରଦପୁର,୮/୧୧/୨୦୨୧(ଓଡ଼ିଶା ସମାଚାର)-ସୁନା ଅଳଙ୍କାର ବହୁ ମୂଲ୍ୟବାନ । ତେଣୁ ମୂଲ୍ୟବାନ ସୁନା ଅଳଙ୍କାର ଅର୍ଜନ କରିବା କଷ୍ଟକର ବ୍ୟାପାର । ସେହି ମୂଲ୍ୟବାନ ସୁନା ଅଳଙ୍କାର କେହି ପାଇଲେ ପ୍ରକାଶ ନକରି ଚୁପ୍ ଚାପ୍ ରଖିଦିଅନ୍ତି । କିନ୍ତୁ ଓଡ଼ିଆରେ ଗୋଟିଏ ପ୍ରବାଦ ଅଛି : ସୁନା ହଜିଲେ ହାନି ଓ ସୁନା ପାଇଲେ ହାନି । ଆଜିର ଦୁନିଆରେ ଏଭଳି ଲୋକ ଅଛନ୍ତି, ହଜିଥିବା ସୁନା ଗହଣା ପାଇ ହଜିଥିବା ଲୋକକୁ ଫେରାନ୍ତି । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ଅଧିନସ୍ଥ ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ । ଏହି ପଂଚାୟତ ଅନ୍ତର୍ଗତ ଅରାଭୋଳ ଗ୍ରାମର ଆଶିଷ କୁମାର ଲେଙ୍କା ନିଜ ଭଉଣୀ ଙ୍କର ଏକ ସୁନା ମଙ୍ଗଳସୂତ୍ର ଓ ୨ଟା କାନ ରିଙ୍ଗ ନିକଟସ୍ଥ ବିଲହାଟ ବଜାରରେ ଥିବା ସୁନା ଗହଣା ଦୋକାନକୁ କିଛି ମରାମତି ପାଇଁ ନେଉଥିଲେ । ହେଲେ ବାଟରେ କେଉଁଠାରେ ÿ ଗହଣାତକ ଥିବା ଏକ ଛୋଟ ହାତ ବ୍ୟାଗ ଟି ଗଳିପଡ଼ିଥିଲା । ଆଶିଷ ଏକଥା ଘରେ ଆସି କହିବା ସହିତ ବହୁ ଚିନ୍ତା ଓ ମନସ୍ତାପରେ ଥିଲେ । ଗ୍ରାମର ପ୍ରତାପ ମହାନ୍ତି ନାମକ ଯୁବକଙ୍କୁ ଏ ସମ୍ପର୍କରେ ସେ କହିଥିଲେ । ଏକଥା ପ୍ରତାପ ମହାନ୍ତି ତୁରନ୍ତ ସୋସିଆଲ ମିଡ଼ିଆ ଫେସବୁକ୍ ରେ ପୋଷ୍ଟିଙ୍ଗ କରିଥିଲେ । ତେବେ ଫେସବୁକ୍ ର ଏହି ପୋଷ୍ଟିଙ୍ଗ କୁ ଦେଖି ପଡ଼ୋସୀ ବିନ୍ଧା ଗ୍ରାମର ମାନସ କୁମାର ନାୟକ ଓ ତାଙ୍କ ମା ତଥା ପୂର୍ବତନ ୱାର୍ଡ଼ ସଭ୍ୟା ରେଣୁବାଳା ନାୟକ ଔଷଧ ପାଇଁ ଯାଇ ବିଲହାଟ ରୁ ଫେରୁଥିବାବେଳେ ରାସ୍ତାରୁ ପାଇଥିବା ନେଇ ମାନସ ସୁନା ଗହଣା ହଜାଇଥିବା ଆଶିଷ ଓ ଫେସବୁକ୍ ରେ ପୋଷ୍ଟିଙ୍ଗ କରିଥିବା ପ୍ରତାପ ମହାନ୍ତିଙ୍କୁ ଫୋନ୍ ରେ ଜଣାଇଥିଲେ । ପ୍ରତାପ ମହାନ୍ତି , ଶଙ୍କର ସାହୁ , ପ୍ରଫୁଲ ବେଉରା ଓ ଗ୍ରାମର ଲୋକମାନଙ୍କ ଉପସ୍ଥିତିରେ ଗଣମାଧ୍ୟମ ସମ୍ମୁଖରେ ସୋମବାର ଅପରାହ୍ନରେ ପାଇଥିବା ସୁନା ଅଳଙ୍କାର କୁ ରେଣୁବାଳା ହଜାଇଥିବା ଆଶିଷ ଙ୍କୁ ଫେରାଇଥିଲେ ଓ ଉପସ୍ଥିତ ଲୋକମାନଙ୍କୁ ମିଠା ଖୁଆଇଥିଲେ । ଏହି ସୁନା ଅଳଙ୍କାର ପ୍ରାୟ ୩ ଭରି ହେବ ଯାହାର ମୂଲ୍ୟ ୬୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି । ମା ଓ ପୁଅ ଙ୍କ ଏତାଦୃଶ କାର୍ୟ୍ୟକୁ ସାଧାରଣରେ ପ୍ରସଂଶା କରାଯାଇଛି । ଓଡ଼ିଶା ସମାଚାର
