ଭୁବନେଶ୍ୱର,୦୬/୧୧/୨୦୨୧(ଓଡ଼ିଶା ସମାଚାର)- କୋଟିଆ ସୀମା ବିବାଦ ନେଇ ଆସନ୍ତା ୯ ତାରିଖରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ଼ୀ ଓଡ଼ିଶା ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେ ଆଲୋଚନା କରିବେ । ବିଶେଷ କରି ସୀମା ବିବାଦ ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।
କୋରାପୁଟର କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ରହିଛି । ସୀମାବର୍ତୀ ଗାଁକୁ ନେଇ ଟଣାଓଟରା ଚାଲିଛି । ଏପରିକି ଆନ୍ଧ୍ର ନିଜ ଅଂଚଳ ଦାବି କରି ପଂଚାୟତ ର୍ନିବାଚନ ମଧ୍ୟ କରିଛି । ଏହାକୁ ଓଡ଼ିଶା ବିରୋଧ କରିଆସୁଛି । ମାମଲା ମଧ୍ୟ ସୁପ୍ରିମକୋର୍ଟକୁ ଯାଇଛି । ତେବେ ଏ ନେଇ କୌଣସି ସମାଧାନର ରାସ୍ତା ବାହାରି ପାରିନି । ଅନେକ ସମୟରେ ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀ ମୁହାଁମୁହିଁ ହୋଇଛନ୍ତି । ସେହିପରି ଗଜପତି ଜିଲ୍ଲା ସୀମାନ୍ତ ଅଂଚଳକୁ ନେଇ ମଧ୍ୟ ଦୁଇ ରାଜ୍ୟ ମଧ୍ୟରେ ବିବାଦ ରହିଛି । ସୀମା ବିବାଦ ତୀବ୍ର ହେଉଥିବା ବେଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ଼ୀ ଙ୍କ ଗସ୍ତକୁ ଗୁରୁତର ସହ ନିଆଯାଉଛି । ଓଡ଼ିଶା ସମାଚାର