Monday , December 6 2021
Breaking News
Home / ବିଶେଷ / ସାହିତ୍ୟକ୍ଷେତ୍ର : ଧର୍ମକ୍ଷେତ୍ର ନା ଯୁଦ୍ଧକ୍ଷେତ୍ର – ମାୟାଧର ନାୟକ

ସାହିତ୍ୟକ୍ଷେତ୍ର : ଧର୍ମକ୍ଷେତ୍ର ନା ଯୁଦ୍ଧକ୍ଷେତ୍ର – ମାୟାଧର ନାୟକ

ରସିକ ରାଜ୍ୟ ହିସାବରେ ଓଡିଶାର ପଟାନ୍ତର ପୃଥିବୀରେ ବିରଳ । ଏଠି ବିଳାସ ଓ ସମ୍ଭୋଗରେ ଦିନ କଟିଯାଉଥିଲା । ଓଡିଶାର ସାହିତ୍ୟ ସୂଚନା ଦେଉଛି – ଏଠି ମରୁଡି ନଥିଲା, ଭ୍ରଷ୍ଟାଚାର, ଦୁର୍ନୀତି ନଥିଲା, ହତ୍ୟା, ଲୁଣ୍ଠନ, ରାହାଜାନୀ, ବ୍ୟଭିଚାର କିଛି ନଥିଲା – ଏପରିକି ବିଶ୍ୱର ମହାଖଣି ଦୁର୍ନୀତି ବି ନ ଥିଲା । ଏଠିସବୁ ନାରୀମାନେ ସତୀ ଥିଲେ, ସବୁ ପୁରୁଷମାନେ ବ୍ରହ୍ମଚାରୀ ଥିଲେ ।

ରସିକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କଠାରୁ ଆରମ୍ଭ କରି କବିସୂର୍ଯ୍ୟ ବଳଦେବ ରଥଙ୍କ ପର୍ଯ୍ୟନ୍ତ ଗାଧୁଆ ତୁଠରେ ରାଜଜେମାଙ୍କ ଭିଜାଭିଜା ଶାଢିର ଚମତ୍କାର ଯୌବନକୁ କବିତାରେ ବର୍ଣ୍ଣନା କରିଛନ୍ତି । ଏପରିକି ଆଧୁନିକ ଯୁଗର ମହାନ କବି ସଚ୍ଚି ରାଉତରାୟ ଗାଁରେ ବୁଲୁବୁଲୁ ପୋଖରୀକୂଳ ଗାଧୁଆତୁଠରେ ଗାଧୋଉଥିବା ନାରୀର ଛୋଟପୁଅଟି ତାଙ୍କୁ ବାପାବୋଲି ଡାକି ଦେବାରୁ ସେଇ ଅପୂର୍ବ ସୁନ୍ଦରୀ ନାରୀଟି ଲାଜେଇଯାଇ ଓଦା ଲୁଗାର କାନି ଯାବୁଡି ମୁରୁକି ହସି ଦେଇଥିଲା । ସଚ୍ଚିବାବୁଙ୍କ କଲମ ବୋଲ ମାନିଲା ନାହିଁ – ଘରକୁ ଆସି କବିତାଟିଏ ଲେଖିଦେଲେ – ‘ବାପାବାପା ପକାଇଲା ହୁରି’ ! ଏମାନେ କାହାକୁ ଛାଡି ନାହାଁନ୍ତି – ଫୁଲକୁ ଛାଡିନାହାଁନ୍ତି କି ଫୁଲେଇକୁ ଛାଡିନାହାଁନ୍ତି ।

ଆଜିର ସାହିତ୍ୟକୁ କହିବାକୁ କ୍ଷୋଭ ଲାଗେ ଯେ – ମୁଖ୍ୟତଃ ଚରିତ୍ରହୀନତାର ସାହିତ୍ୟ । ଘଟଣା, ଚରିତ୍ର ଓ ପରିସ୍ଥିତିର ପରିଧିରେ ସାହିତ୍ୟ ସେଇ ଲୋହିତ କେନ୍ଦ୍ର, ଯାହା ବିଧାତା ପୁରୁଷର ନାଭିକେନ୍ଦ୍ର ଠାରୁ ସୁଦ୍ଧା କିଛିକମ୍ ନୁହେଁ । ଏହି ଲୋହିତ କେନ୍ଦ୍ରର କମ୍ପନ ସମାଜକୁ ଥରାଇ ଦିଏ, ସଂସ୍କୃତିକୁ ଜୀବ ନ୍ୟାସ ଦିଏ ଏବଂ ସମୟକୁ ରଖିଦିଏ ହାତମୁଠାରେ । ସେ ସାହିତ୍ୟ କିନ୍ତୁ ଆଜି କେଉଁଠି ? ସର୍ଜ୍ଜନା ନାମରେ ଆଜି ଅପର୍ଯ୍ୟାପ୍ତ ଆବର୍ଜ୍ଜନା । ଆଜିର ଜୀବନଧାରା ସାହିତ୍ୟ ପାଇଁ ଅବାନ୍ତର ହୋଇପଡିଲାଣି ।

ସକ୍ରେଟିସ୍ ଦିନ ଦି’ପହରେ ବତିଜାଳି ମଣିଷ ଖୋଜିଲାପରି ଆଜି ସାହିତ୍ୟକୁ ମଧ୍ୟ ଏ ଦାରୁଣ ଦୁଷ୍କାଳ ମଧ୍ୟରେ ପୁନଃ ଆବିଷ୍କାର କରିବାକୁ ପଡିବ, ସନ୍ଧାନ କରିବାକୁ ପଡିବ ଉପାଦେୟ ବିଷୟବସ୍ତୁ ସହ ଉପଯୁକ୍ତ ଚରିତ୍ର । ଲେଖକଟିଏ ପ୍ରଥମେ ମଣିଷଟିଏ ହେବା ନିହାତି ଜରୁରୀ । ଫକୀରମୋହନ ରାମଚନ୍ଦ୍ର ମଂଗରାଜ ପରି ଅମଣିଷକୁ ନିଜ ସାହିତ୍ୟର ସ୍ପର୍ଶ ଦେଇ ବିଶ୍ୱବିଦିତ କରାଇ ସାରିଛନ୍ତି । ଏହାର ମୂଳକାରଣ ହେଉଛି – ସାରିଆ-ଭଗିଆଭଳି ମଣିଷ ଉପରେ ଜୁଲମ ତାଙ୍କ ଆଖିରେ ଆଣିଥିଲା ଅସରନ୍ତି ବେଦନାର ଛାପ । ମଣିଷ ପ୍ରତି ଶୁଭେଚ୍ଛା ଓ ଅମଣିଷ ପ୍ରତି ପ୍ରତିବାଦ ପ୍ରତ୍ୟେକ ସତ୍ ସାହିତ୍ୟର ସ୍ୱଧର୍ମ ।

ମାଟିର ମହାକବି ଶାରଳା ଦାସଙ୍କ ଠାରୁ ଆରମ୍ଭ କରି ମଣିଷର ମୂର୍ତିକାର ଫକୀରମୋହନଙ୍କ ପର୍ଯ୍ୟନ୍ତ ଆମ ସାହିତ୍ୟରେ ବାଟିବାଟି କିଆରିକି ଅନାନ୍ତୁ, ଦେଖିବେ ଫୁଲଫସଲର ପ୍ରାଞ୍ଜଳ ପ୍ରାଚୁର୍ଯ୍ୟ । ଅଥଚ ଏକ ଦୀର୍ଘ ବ୍ୟବଧାନ ପରେ ଅଳ୍ପ କେତେକ ବ୍ୟତିକ୍ରମକୁ ବାଦ ଦେଲେ ଆମେ ଏବେ ଲକ୍ଷ୍ୟକରୁଛୁ ଯେ – ଓଡିଆ ସାହିତ୍ୟ ହରାଇ ବସିଛିତା’ର ମୂଳ ଚରିତ୍ର । ବୁଦ୍ଧି ପ୍ରକଟିତ ହେଉଛି, ମାତ୍ର ସେ ବୁଦ୍ଧିବିବେକ ବର୍ଜିତ ଓ ବିଚାର ବିହୀନ । କୁରୁକ୍ଷେତ୍ରକୁ ଯେତେବେଳେ ବ୍ୟାସ ବର୍ଣ୍ଣନାକଲେ, ସେତେବେଳେ ସେ ଯୁଦ୍ଧକ୍ଷେତ୍ରକୁ ଧର୍ମକ୍ଷେତ୍ରରେ ବିବର୍ତିତ କଲେ । ଆମସମୟର ବ୍ୟାସମାନେ କିନ୍ତୁ ସାହିତ୍ୟ ପରି ଏକ ଧର୍ମକ୍ଷେତ୍ରକୁ ଯୁଦ୍ଧକ୍ଷେତ୍ରରେ ପରିବର୍ତନ କରିସାରିଛନ୍ତି । ଏ ପ୍ରକାର ଓଲଟ ଢାଂଚା ଆମ ମାନସିକତାରୁ ମାନବତାବାଦକୁ ମୂଳପୋଛ କରିସାରିଛି କହିଲେ କିଛି ଅତୁ୍ୟକ୍ତି ହେବନାହିଁ ।

ସାହିତ୍ୟର ବିଷୟବସ୍ତୁ କ’ଣ ?ଯାହା ଲକ୍ଷ୍ୟ କରାଯାଉଛି – ଆଜି ବସ୍ତୁହିଁ ବିଷୟ ! ଅଥଚ ବିଶ୍ୱସାହିତ୍ୟର ଅମର ଅର୍ଘ୍ୟସବୁ ଭାବଭିତିକ । ସାହିତ୍ୟକୁ ନେଇ ଲେଖକଟିଏ କେବେହେଲେ ବାଣିଜ୍ୟ ବା ବ୍ୟବସାୟ କରେନା – ଲେଖାତା’ରବୃତି ନୁହେଁ, ପ୍ରବୃତି । ଏବେ କିନ୍ତୁ ଦେଖାଯାଉଛି – ଅଧିକାଂଶ ଲେଖକ ବଜାର ଆଗରେ ଆତ୍ମ ସମର୍ପଣ କରିସାରିଥିବା ଏକ ଏକ ଅସହାୟ ଅସ୍ତିତ୍ୱ । ଲେଖକର ଯାହା ଛଳଛଳ ଭାବ – ଆଜି ସାହିତ୍ୟରେ ତା’ର ଘୋର ଅଭାବ । ବହିଟିଏ ଲେଖିଲା ବେଳକୁ ତା’ର ମନେପଡୁଛି–ବଜାରର ତାଗିଦା ଓ ଚାହିଦା, ଅତଏବ ଦୁଃଖରସହ ଘୋଷଣା କରିବାକୁ ପଡୁଛି ଯେ – ବର୍ତମାନର ସାହିତ୍ୟ ବଜାରୀକରଣ ପ୍ରକ୍ରିୟାରେ ପ୍ରଚୁର ଭାବରେ ଉତ୍ପୀଡିତ ।

ବଜାରୀ ବିଷୟବସ୍ତୁ ଆଜି ସାହିତ୍ୟର ମୁଖ୍ୟଉପାଦାନ । ଘଟଣା ଅଛି – ଚରିତ୍ର ନାହିଁ – ମୂଲ୍ୟ ଅଛି – ମୂଲ୍ୟବୋଧ ନାସ୍ତି । ଆମ ଶୋଭାଯାତ୍ରା ମଫସଲରୁ ମହାନଗରୀକୁ ମୁହାଁଉଥିଲାବେଳେ ଆମ ସାହିତ୍ୟର ଦଶା ଏମିତି । ଆଜିର ଦ୍ରୁତ ଶିଳ୍ପାୟନ ସାହିତ୍ୟକୁ କରିସାରିଛି ସୁଖକର ସାମଗ୍ରୀ ମଧ୍ୟ । ସାହିତ୍ୟ କହିଲେ – ଆମେ କେବଳ ବୁଝୁଛୁ – ଗୁଡିଏ ବ୍ୟବହାରିକ ଓ ବୈଷୟିକ ତଥ୍ୟ ଉପରେ ପରିପୁଷ୍ଟ ଗଦାଗଦା ବହିର ପାହାଡ, ଯେଉଁଠି ସମାଜର ଚାପା କାନ୍ଦଣା ଶୁଭେନା – ଆଉ ଶୁଭେନା ଇତିହାସର ଆର୍ତନାଦ ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟକୁ ଆସିବା – ସାହିତ୍ୟ ଓ ସରକାର । ପୂର୍ବେ ସାମନ୍ତବାଦୀ ବ୍ୟବସ୍ଥାରେ ସୁଦ୍ଧା ସାହିତ୍ୟକୁ ଯେଉଁ ରାଜକୀୟ ପୃଷ୍ଠପୋଷକତା ମିଳୁଥିଲା – ତା’ରଶ୍ରେଷ୍ଠ ନମୁନା ସ୍ୱରୂପ ଆମେ ବିକ୍ରମାଦିତ୍ୟଙ୍କ ଅମଳରେ ମହାକବି କାଳିଦାସଙ୍କ କଥା ଉଲ୍ଲେଖ କରିପାରିବା । ଗୋଟିଏ ଶ୍ଳୋକପାଇଁ ଗୋଟିଏ ସୁନାମୋହର ଥିଲା ସେଦିନର ରାଜକୀୟ ପୃଷ୍ଠପୋଷକତାର ଅପୂର୍ବ ଇସ୍ତାହାର । ଆଜି କିନ୍ତୁ ଯିଏ ସାହିତ୍ୟ ଲେଖେ – ସେ ଯଦି ପ୍ରକୃତ ସାଧକ, ତା’ହେଲେତା’ର ସମଗ୍ର ଜୀବନ ଉତ୍କଟ ଦାରିଦ୍ର୍ୟର ଉଦ୍ଧ୍ୱର୍ଶ୍ୱାସ । ଏଭଳିକି – ଗଂଗାଧରଙ୍କ ପରି ସ୍ୱଭାବ କବିଙ୍କ ସ୍ୱର ମଧ୍ୟ ମନରୁ ଲିଭିନାହିଁ । ‘ଦରିଦ୍ରତା ପଙ୍କପୂର୍ଣ୍ଣ ମୋ ଜୀବନସର’ ତା’ଛଡାସାଧକ ସାହିତି୍ୟକଙ୍କର ଜୀବନ ସହିତ ଦାରିଦ୍ର୍ୟ କିପରି ଏକୀଭୂତ – ବିଦ୍ରୋହୀ କବି କାଜି ନଜରୁଲଇସଲାମଙ୍କର ଏ ଶାଣିତ ପଂକ୍ତି ମଧ୍ୟ ଏ କ୍ଷେତ୍ରରେ ସ୍ମରଣୀୟ । ‘ହେ ଦାରିଦ୍ର୍ୟ ତୁମେମୋତେ କରିଛ ମହାନ ।’

ବନ୍ଧୁଗଣ !ଗଂଗାଧରଙ୍କ ଠାରୁ ଆରମ୍ଭ କରି ନଜରୁଲଙ୍କ ପର୍ଯ୍ୟନ୍ତ ମହାନ ସାହିତି୍ୟକମାନେ ପରମ ଉଦାରତାରସହିତ ଆମମାନଙ୍କୁ ବିମଳ ଆନନ୍ଦ ଦେବାପାଇଁ ନିଜନିଜ ନିଷ୍ପେଷିତ ଜୀବନରେ ଚରମ ଦାରିଦ୍ର୍ୟକୁ ବରଣ କରିନେଲେ ବୋଲି ଆମେ କ’ଣ ସମସ୍ତ ପ୍ରକାର କର୍ତବ୍ୟ ବୋଧ ବିସ୍ମୃତ ହୋଇ ସାହିତି୍ୟକ ଶ୍ରେଣୀକୁ ଏକ ଚିରଦୁର୍ଗତ ଦଳିତ ଦରିଦ୍ର ଗୋଷ୍ଠୀରେ ସବୁଦିନ ପାଇଁ ଥଇଥାନ କରିରଖିଥିବା ?

ଏ କ୍ଷେତ୍ରରେ ସାହିତ୍ୟ ପ୍ରତି ସରକାରଙ୍କର ଭୂମିକା ଏକ ପଙ୍ଗୁର ଭୂମିକା । ସରକାରୀ ନିଷ୍କ୍ରିୟ ତାରଶିକାର ଆଜିର ସାହିତ୍ୟ । ଯେଉଁ ସରକାର ଏ ମାଟିର ପାତାଳରୁ ମଧ୍ୟ ଲକ୍ଷଲକ୍ଷ କୋଟି ଟଙ୍କା ଲୁଟିଚାଲିଛି – ସେଥିରୁ କାଣିଚାଏ ମଧ୍ୟ ସାହିତ୍ୟ ପାଇଁ ଖର୍ଚ୍ଚ କରିବାକୁ ନାରାଜ । କେନ୍ଦ୍ରରୁ ରାଜ୍ୟକୁ ମିଳୁଥିବା କୋଟିକୋଟି ଟଙ୍କାର ସହାୟତା ରାଶି ଖର୍ଚ୍ଚ ନ କରିପାରି ରାଜ୍ୟସରକାର କେନ୍ଦ୍ରକୁ ଫେରାଇ ଦେବାକୁ ବାଧ୍ୟ । ମାତ୍ର ସାହିତ୍ୟର ଶୋଷପାଇଁ ବୁନ୍ଦେ ଜଳଦାନ କରିବାରେ ମଧ୍ୟ ଏ ରାଜ୍ୟରେ କି ସରକାରୀ କାର୍ପଣ୍ୟ ! ପାଠାଗାରମାନଙ୍କ ପାଇଁ ପୁସ୍ତକ ମନୋନୟନ ସମୟରେ ପ୍ରକୃତ ଲେଖକ ସାଧକମାନଙ୍କର ସୃଷ୍ଟି ଉପେକ୍ଷିତ । ବହି କହିଲେ – ବର୍ତମାନ ଯାହାଲେଖା ଯାଉଛି – ସେଥିରୁ ଅଧିକାଂଶ ଭବିଷ୍ୟତର ଠୁଙ୍ଗା ।

ଅସଲ ସାହିତ୍ୟର ଅନୁକୂଳ ବାତାବରଣ ସୃଷ୍ଟିକରିବା ଦିଗରେତା’ହେଲେ ସରକାର ପଛାଉଛନ୍ତି କାହିଁକି ?ସମ୍ଭବତଃ ଅସଲ ସାହିତ୍ୟ ଯେଉଁ ସଜାଗତା ଓ ସଚେତନତା ସୃଷ୍ଟିକରିବାରେ ସମର୍ଥ, ସେଥିପ୍ରତି ସରକାର ଆତଙ୍କିତ । କାରଣ – ଅସଲ ସାହିତ୍ୟ – ଶିଶୁକୁ ଯୀଶୁଖ୍ରୀଷ୍ଟ କରେ ଏବଂ ତରୁଣକୁ କରେ ତୀବ୍ରତଲ୍ୱାର୍ । ସରକାର କ’ଣ ଠିକାଦାର କିମ୍ବା ଖଣିମାଲିକଙ୍କ ଅପେକ୍ଷା ଯୀଶୁଖ୍ରୀଷ୍ଟ ଆଉତଲୱାରମାନଙ୍କୁ ଖୋଲାମନରେ ଗ୍ରହଣକ ରିପାରିବ ! କୌଣସି ରାଷ୍ଟ୍ରର ଶାସନତନ୍ତ୍ର କିମ୍ବା କୌଣସି ରାଜ୍ୟର ସରକାର ବିପ୍ଳବକୁ ବରଦାସ୍ତ କରିପାରେନା । ଅସଲ ସାହିତ୍ୟ ପାଠକରେ ଏ ବିପ୍ଳବର ବୀଜମନ୍ତ୍ର । ସରକାରଙ୍କର ପ୍ରତି ବିପ୍ଳବୀ ଚରିତ୍ର ଅସଲ ସାହିତ୍ୟର ଶୁଭାରମ୍ଭ କ୍ଷେତ୍ରରେ ତେଣୁ ଘୋର ବାଧକ ହେବାକୁ ବାଧ୍ୟ । ମୁଁ ଦାବିକରୁଛି – ସାହିତ୍ୟକୁ ଏବେଠୁଁ ସରକାର ଶିଳ୍ପର ମାନ୍ୟତା ଦେବାକୁ ଘୋଷଣା କରନ୍ତୁ, ନହେଲେ ଅଦୂର ଭବିଷ୍ୟତରେ ଏପରି ଦୁଃସ୍ଥିତି ସୃଷ୍ଟିକରିବ ସାହିତ୍ୟର ସ୍ୱାସ୍ଥ୍ୟ ପ୍ରତି ଏକ ଘୋର ସଂକଟ ।

ଏବେ ଓଡିଆ ସାହିତ୍ୟର ସାଂପ୍ରତିକକ୍ଷେତ୍ରରେ ଭଦ୍ର ଓ ଭବ୍ୟ ଲେଖକ ମାନଙ୍କର ଭାଗ୍ୟ ବିଡମ୍ବିତ ଓ ବିପର୍ଯ୍ୟସ୍ତ । ବାହାରିଛନ୍ତି ବୂ୍ୟହ ରଚନାକାରୀ ଦଳେ ଗୃହଯୋଦ୍ଧା – ଯେଉଁମାନେ ନିଜଘରେ ନିଜେ ନିଆଁଲଗାଇ ସାହିତ୍ୟର ଶୀତଋତୁ କୁ ବେଶ୍ ଆରାମ ରେ ପୁଆଁଇ ଚାଲିଛନ୍ତି ଓ ପୁହାଇ ଚାଲିଛନ୍ତି । ସେମାନେ ସାହିତ୍ୟକୁ ନେଇ ବିବାଦୀୟ ବ୍ୟାପାର ଗୁଡିକୁ ବିସ୍ତାରିତ କରିଚାଲିଛନ୍ତିଏବଂ ସଜ୍ଜନ ଲେଖକ ଲେଖିକାମାନଙ୍କୁ ଲାଂଛିତ କରି ନାରକୀୟ ଆନନ୍ଦ ଲାଭକରୁଛନ୍ତି । ଗୋଟିଏ ବହି ଯଦି ପୁରସ୍କାର ପାଇଲା, ତେବେ ପୁରସ୍କୃତ ଲେଖକ / ଲେଖିକା ଏବେ ପୁଲକିତ ହେବେ କଣ ଓଲଟି ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି । କାରଣ ଏ ପୁରସ୍କାର ତାଙ୍କୁ ତିରସ୍କାର ଆଡେ ମୁହାଁଇ ନେଇପାରେ, ବିତର୍କର ଭଉଁରିରେ ସେମାନେ ହୋଇପାରନ୍ତି ନିର୍ଘାତ ନୟାନ୍ତ ! ମୁଁ ଘୋର ନିନ୍ଦାକରୁଛି ପରଶ୍ରୀକାତର ନିନ୍ଦୁକ ବିତର୍କ ସ୍ରଷ୍ଟାବର୍ଗଙ୍କୁ – ଯେଉଁମାନେ ସାଧନାରତ ଲେଖକ/ଲେଖିକାମାନଙ୍କୁ ଅଭିନନ୍ଦନ ଦେବା ବଦଳରେ ଉପହାର ଦେଉଛନ୍ତି ଅପନିନ୍ଦା ଓ ଅପଖ୍ୟାତି । ଦୁଃଖର ବିଷୟ ଯେ ଏ ନିନ୍ଦୁକମାନେ ପାଠକ ନୁହନ୍ତି, ଏମାନେ ଲେଖକ ଶ୍ରେଣୀ ମଧ୍ୟରେ ଛପିରହିଥିବା କିଛି ଛଦ୍ମବେଶୀ ବିଭୀଷଣ – ଗୃହଶତ୍ରୁ ! ମିଡିଆ ଠୁ ଟିଭିଚ୍ୟାନେଲ ଯାଏଁ ସବୁଠି ଏମାନେ ସକ୍ରିୟ – ବିତର୍କର ବିଷଚକ୍ର ଦ୍ୱାରା ଏମାନେ ଅସୁସ୍ଥ କରିଚାଲିଛନ୍ତି ଆମସାହିତ୍ୟକୁ । ଏମାନଙ୍କୁ ପ୍ରୋତ୍ସାହନ ନେଇ ଆମେ କ’ଣ ସାହିତ୍ୟ ପ୍ରତି ପ୍ରବଂଚନା କରୁନାହୁଁ ?ବର୍ତମାନ ଏ କଥା ପ୍ରକୃତରେ ବିଚାରିବାର ବେଳ ।

ଲେଖକମାନେ ମଂଚ ହେଉକି ପଂଚତାରକା ହୋଟେଲର ବର୍ଣ୍ଣାଢ୍ୟ ପରିସରହେଉ – ସବୁ ପ୍ରକାର ମୋହ ଛାଡି ଗୌତମବୁଦ୍ଧଙ୍କ ପରି ଅଶ୍ୱତ୍ଥ ବୃକ୍ଷମୂଳେ ଅନ୍ତତଃ ଧ୍ୟାନସ୍ଥ ନ ହେଲେ ନାହିଁ – ରାସ୍ତାକଡର ବରଗଛ ତଳେଏକାଠି ହୁଅନ୍ତୁ । ସେଇ ରାସ୍ତାରୁ ଆରମ୍ଭ ହେଉ ସାହିତ୍ୟର ସେମିନାର, ସାହିତି୍ୟକଙ୍କର ଶୁଭ ଶୋଭାଯାତ୍ରା ।
-୦-
ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩
(ବିଦ୍ର: ଏହା ସ୍ତମ୍ଭକାରଙ୍କ ନିଜସ୍ୱ )

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *