Tuesday , May 30 2023
Breaking News
Home / ବିଶେଷ / ପୂର୍ବତନ ଜିଲାପାଳ ସମର୍ଥ ବର୍ମାଙ୍କ ସାହାଯ୍ୟ କେବେ ଭୁଲିପାରିବିନି : ନିଟ ପାଇଥିବା ଛାତ୍ର ଅମୃତ

ପୂର୍ବତନ ଜିଲାପାଳ ସମର୍ଥ ବର୍ମାଙ୍କ ସାହାଯ୍ୟ କେବେ ଭୁଲିପାରିବିନି : ନିଟ ପାଇଥିବା ଛାତ୍ର ଅମୃତ

କେନ୍ଦ୍ରାପଡ଼ା,୦୫/୧୧/୨୦୨୧(ଓଡ଼ିଶା ସମାଚାର)- ଆଇ.ଏ.ଏସ. ଅଫିସର ତଥା କେନ୍ଦ୍ରାପଡାର ପୂର୍ବତନ ଜିଲ୍ଲାପାଳ ଓ ବର୍ତମାନର ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସାହାଯ୍ୟ ଓ ସହଯୋଗ ମୁଁ କେବେ ଭୁଲି ପାରିବି ନାହିଁ । ସେ ସହାୟତାର ହାତ ବଢାଇନଥିଲେ ମୋର ଡାକ୍ତରୀ ପାଠ ପଢିବାର ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଇଥାନ୍ତା । ତାଙ୍କରି ସହଯୋଗ ପାଇ ମୁଁ ଭୁବନେଶ୍ୱରରେ ମେଡିକାଲ କୋଚିଂ ନେଲି ଓ ଆଜି ଡାକ୍ତରୀ ପାଠପଢିବାର ସୁଯୋଗ ପାଇଛି ବୋଲି କହିଛନ୍ତି ନିକଟରେ ମେଡିକାଲ ପାଠ୍ୟକ୍ରମ ପାଇଁ ନିଟ୍ ପ୍ରବେଷିକା ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ରାଜଗଡ ପଂଚାୟତର ଗୟାସପୁର ଗ୍ରାମର ପିତା ଅମ୍ବୁଜ କୁମାର ରାଉତ ଓ ମା ସୌଦାମିନୀ ରାଉତଙ୍କ ପୁଅ ଅମୃତ ମୋହନ ରାଉତ । ତୁଳସୀ ଦୁଇପତ୍ରରୁ ବାସିବା ଭଳି ଅମୃତ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଥିଲେ । କିନ୍ତୁ ତାଙ୍କ ବାପାଙ୍କ ଆର୍ଥିକ ଅବସ୍ଥା ସ୍ୱଛଳ ନଥିଲା । ଜଣେ ସାଧାରଣ ଶିକ୍ଷା ସହାୟକ ଭାବେ ମାସିକ ମାତ୍ର ୭ହଜାର ୨ଶହ ଟଙ୍କା ଦରମା ପାଉଥିବା ତାଙ୍କ ବାପାଙ୍କ ପକ୍ଷେ ପରିବାର ପ୍ରତିପୋଷଣ କରିବା ଅତ୍ୟନ୍ତ କଷ୍ଟକର ଥିଲା । ପୁଅ ଅମୃତ ପିଲାଟି ଦିନରୁ ସ୍ୱପ୍ନ ଦେଖିଥିଲା ଡାକ୍ତର ହେବା ପାଇଁ । ହେଲେ ପୁଅକୁ ପାଠ ପଢାଇବା ପାଇଁ ବାପାଙ୍କ ଆର୍ଥିକ ସମ୍ବଳ ନଥିଲା । ତେଣୁ ସେ ପୁଅ ପାଇଁ ସବୁବେଳେ ଚିନ୍ତିତ ଥିଲେ । ହେଲେ ପୁଅ ନିଜର ବାଗ୍ମିତା ପ୍ରତିପାଦନ କରିବାରେ ପଛଘୁଂଚା ଦେଇନଥିଲା । କେନ୍ଦ୍ରାପଡା ସେଂଟ ଯୋଶେଫ ସ୍କୁଲରେ ୯୭.୩୩ ପ୍ରତିଶତ ମାର୍କ ରଖି ମାଟ୍ରିକ ପରୀକ୍ଷାରେ ଉତିର୍ଣ୍ଣ ହୋଇଥିଲା । ଏହାପରେ ଭୁବନେଶ୍ୱର ୟଙ୍ଗ ଫନିକ ପବ୍ଲିକ ସ୍କୁଲରେ +୨ ଅଧ୍ୟୟନ କଲା । ସେଥିରେ ୯୫.୨୨ପ୍ରତିଶତ ନମ୍ବର ରଖି ନିଜ ବାଗ୍ମିତାର ପରିଚୟ ଦେଇଥିଲା । ଏହାପରେ ଡାକ୍ତରୀ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିଥିଲା । ହେଲେ ଅର୍ଥ ଏକ ମୁଖ୍ୟ ପ୍ରତିବନ୍ଧକ ହୋଇ ଛିଡା ହୋଇଥିଲା । କୌଣସି ସୁତ୍ରରୁ ଅମୃତଙ୍କ ବାଗ୍ମିତା ସମ୍ପର୍କରେ ଖବର ପାଇଥିଲେ ତତକାଳୀନ କେନ୍ଦ୍ରାପଡା ଜିଲ୍ଲାପାଳ ଆଇ.ଏ.ଏସ. ସମର୍ଥ ବର୍ମା । ଅମୃତଙ୍କ ଡାକ୍ତରୀ ପାଠ୍ୟକ୍ରମ କୋଚିଂ ପାଇଁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ ଶ୍ରୀ ବର୍ମା । ଜିଲ୍ଲାପାଳଙ୍କ ଠାରୁ ପ୍ରତିଶୃତି ପାଇବା ପରେ ଅମୃତଙ୍କ ମୁହଁରେ ହସ ଫୁଟିଥିଲା । ଅମୃତ ଭୁବନେଶ୍ୱରର ଆଲେନ କ୍ୟାରିଅର ଇନଷ୍ଟିଟୁ୍ୟଟରେ ଡାକ୍ତରି ପାଠ୍ୟକ୍ରମର କୋଚିଂ ନେବାର ସମସ୍ତ ଖର୍ଚ୍ଚ ନିଜ ଦରମାରୁ ବହନ କରିଥିଲେ ପୂର୍ବତନ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା । ଫଳରେ ଅମୃତ ଏହି ସଫଳତା ହାସଲ କରିବାରେ ସକ୍ଷମ ହୋଇଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହ ପୂର୍ବତନ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ନିକଟରେ ସେ ଚିର କୃତଜ୍ଞ ବୋଲି ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ଅମୃତ । ଓଡ଼ିଶା ସମାଚାର

Leave a Reply

Your email address will not be published.