ଢେଙ୍କାନାଳ, ୦୪/୧୧/୨୦୨୧(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବାରଦା ଗାଁରେ ବାଣ ଫୁଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ବାରଦା ଗ୍ରାମର ମହେଶ୍ବର ମହାରଣା । ୨ ଗୁରୁତର ଆହତ ହେଉଛନ୍ତି ସେହି ଗ୍ରାମର ବୀରେନ ନାୟକ ଏବଂ ପ୍ରସନ୍ନ ବ୍ରହ୍ମ । ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ବାରଦା ଗ୍ରାମ ସ୍କୁଲ ପଡ଼ିଆରେ ଏହି ବିସ୍ପୋରଣ ଘଟିଥିବାରୁ କୌଣସି ଘରଦ୍ୱାର କିଛି କ୍ଷୟ କ୍ଷତି ହୋଇନଥିବା ସୂଚନା ମିଳିଛି ।
ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି ।ଏହି ଅଂଚଳରେ ଜଙ୍ଗଲୀ ବାରହା ମାନଙ୍କ ଉପଦ୍ରବ କରିଥିବାରୁ ଉକ୍ତ ଯୁବକମାନେ ବାର ହା ଦାଉରୁ ଫସଲ ସୁରକ୍ଷା ନେଇ ଫୁଟାଇବାକୁ ଏହି ବାଣ ନେଇ ଯାଉଥିବା ବେଳେ ଅସାବଧାନତା ବଶତଃ ବିସ୍ପୋରଣ ଘଟିଥିବା ସନ୍ଦେହ କରାଯାଇଛି । ତେବେ ଦୀପାବଳି ଅବସରରେ ବାଣ ଫୁଟାଇବା ଉପରେ କଡା କଟକଣା ରହିଥିବାବେଳେ କିପରି ଓ କେଉଁ ପରିସ୍ଥିତିରେ ଏହି ବିସ୍ପୋରଣ ଘଟିଲା ସେ ନେଇ ସଦର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର