କେନ୍ଦ୍ରାପଡ଼ା,୦୪/୧୧/୨୦୨୧(ଓଡ଼ିଶା ସମାଚାର)- ଡାକ୍ତରୀ ଶିକ୍ଷାରେ ନାମଲେଖା ନିମନ୍ତେ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ୨୦୨୧ ରେ ଓଡ଼ିଶାରେ ପ୍ରଥମ ଦୁଇଟି ସ୍ଥାନରେ ରହି ଟପ୍ପର ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ସନ୍ତାନ । ମୋଟ ୭୨୦ ମାର୍କ ରୁ ୭୦୫ ମାର୍କ ଉଭୟ ରଖିଛନ୍ତି ।
ସର୍ବଭାରତୀୟ ସ୍ତରରେ ମାର୍ଶାଘାଇ ବ୍ଲକ କରିଲୋପାଟଣା ଗାଁର ପୁଅ ନେକ୍ତା ନିୟତେନ୍ଦ୍ର ସ୍ବସ୍ତିସ୍ରାବଣ ମିଶ୍ର ୭୫ ର୍ୟାଙ୍କ ସହ ଓଡ଼ିଶାରେ ପ୍ରଥମ ହୋଇଛନ୍ତି । ସେହିଭଳି ଆଳି ବ୍ଲକ ଅରେହୀକଣା ଗାଁର ଝିଅ ଗୀତି ଗାୟତ୍ରୀ ପଣ୍ଡା ୧୦୦ ର୍ୟାଙ୍କ ସହ ଓଡିଶାରେ ଦ୍ଵିତୀୟ ହୋଇଛନ୍ତି । ଉଭୟ ଏଏମସରେ ଏମବିବିଏସ ପାଠ ପଢିବା ପାଇଁ ଇଚ୍ଛା ରଖିଛନ୍ତି ।
ଆଜି ସକାଳେ ଖଦି ବୋର୍ଡ଼ର ପୂର୍ବତନ ସଭାପତି ତେଜେଶ୍ୱର ପରିଡ଼ା ଉଭୟଙ୍କ ବାସଭବନକୁ ଯାଇ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ । ଆଗାମୀ ଦିନରେ ଭଲ ଡାକ୍ତର ହୋଇ ଓଡ଼ିଶାର ସେବା କରିବା ସହ ବିଶେଷ କରି ନିଜର ମାତୃଭୂମି କେନ୍ଦ୍ରାପଡ଼ା ଜିଲ୍ଲାର ଜନସାଧାରଣଙ୍କର ସେବାରେ ନିଜକୁ ସାମିଲ କରିବା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ଗ୍ରାମାଞ୍ଚଳରେ ଗରିବ ଅସହାୟ ରୋଗୀ ମାନଙ୍କର ଚିକିତ୍ସା ପାଇଁ ଭବିଷ୍ୟତରେ ଆଗେଇ ଆସିବା ପାଇଁ ଉଭୟଙ୍କୁ ଅନୁରୋଧ କରିଥିଲେ । ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲା ଉଭୟଙ୍କର ସଫଳତା ପାଇଁ ଗର୍ବିତ । ଉଭୟଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମହାପ୍ରଭୁ ବଳଦେବଜୀଉଙ୍କ ପାଖରେ ଶ୍ରୀ ପରିଡ଼ା ପ୍ରାର୍ଥନା କରିଛନ୍ତି ।
ଏହି ସମ୍ବର୍ଦ୍ଧନାରେ ଶ୍ରୀ ପରିଡ଼ା ଙ୍କ ସହ କେନ୍ଦ୍ରାପଡ଼ା ଜିଲ୍ଲାର ଯୁବ ସମାଜସେବୀ ସୁବ୍ରତ କୁମାର ଜେନା, ତନ୍ମୟ କୁମାର ଭୂୟାଁ, କୃପାସିନ୍ଧୁ ପ୍ରଧାନ ଓ ରତିକାନ୍ତ ମହାନ୍ତି ସାମିଲ ହୋଇଥିଲେ ।
ନେକ୍ତା ଙ୍କର ମାତା ପିତା ଶ୍ରୀମତୀ ସୁମିତ୍ରା ମିଶ୍ର ଓ ଡ଼କ୍ଟର ନିରଞ୍ଜନ ମିଶ୍ର ଉପସ୍ଥିତ ଥିଲେ । ସେହିଭଳି ଗୀତି ଙ୍କର ମାତା ପିତା ଶ୍ରୀମତୀ ସାଗରିକା ପଣ୍ଡା, ଶ୍ରୀଯୁକ୍ତ ଗୋଲକ ବିହାରୀ ପଣ୍ଡା ଓ ତାଙ୍କର ବଡ଼ ଭାଇ ଶଶାଙ୍କ ଶେଖର ପଣ୍ଡା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
