Friday , December 3 2021
Breaking News
Home / ବିଶେଷ / “କୂଳ ବେଉସା ଛାଡି ହେଉନି, କି ପେଟ ପୋଷି ହେଉନି”

“କୂଳ ବେଉସା ଛାଡି ହେଉନି, କି ପେଟ ପୋଷି ହେଉନି”

ଦୀପାବଳି ଯୋଗାଇ ପାରୁନି ବର୍ଷକ ଆହାର,ଦୁର୍ଦ୍ଧିନରେ କୁମ୍ଭକାର

ଭୁବନ ୦୪/୧୧/୨୦୨୧(ଓଡ଼ିଶା ସମାଚାର)-ଆଧୁନିକତାର ଚାକଚକ୍ୟରେ ମାଟି ତିଆରି ସାମଗ୍ରୀ ହଜିଯିବାକୁ ବସିଲାଣି । ପ୍ଲାଷ୍ଟିକ ,ଫାଇବର ,ଷ୍ଟିଲ ସାଙ୍ଗକୁ ରେଡିମେଡ୍,ମେସିନ ମେଡ୍ ସାମଗ୍ରୀ ର ବଜାର ପ୍ରବେଶ ପରେ ମାଟିରେ ଗଢା ଦୀପ, କୁଂପା, ମାଠିଆ, ସୁରେଇ, କଳସ,ହାଣ୍ଡି,ଆଟିକା,ପଲମ,ସରା ଓ ମାଟି ଘୋଡା,କଣ୍ଢେଇ ଇତ୍ୟାତି ର ଚାହିଦା ଧିରେଧିରେ କମିଗଲାଣି । ଏମିତି ହେଲେ ଆଉ କିଛିବର୍ଷ ପରେ ମାଟିଗଢା ଜିନିଷ ଆଦୌ ଦେଖିବାକୁ ମିଳିବ ନାହିଁ । ଏହା କେବଳ ସ୍ମୃତି ହୋଇ ରହିଯିବବୋଲି ଧାରଣା ସୃଷ୍ଟି ହେଲାଣି । ଢେଙ୍କାନାଳ ଜିଲ୍ଲାର ଐତିହାସିକ ଭୁବନ ଗ୍ରାମ ,ଯେଉଁଠି ଦିନେ ଶତାଧିକ କୁମ୍ଭକାର ପରିବାର ନିଜର କୌଳିକ ବୃତିକୁ ଧରି ବିଭିନ୍ନ ହାଟ ବଜାରରେ ମାଟି ଗଢା ସାମଗ୍ରୀ ବିକ୍ରିକରି ବେଶ୍ ଆରାମରେ ଚଳୁଥିଲେ ଆଜି ତାହା ବୁଡିବାକୁ ବସିଛି । ଭୁବନ ଏନ.ଏ.ସି ଅନ୍ତର୍ଗତ ୫ ନମ୍ବର ଓ ୯ ନମ୍ବର ୱାର୍ଡ କୁମ୍ଭାର ସାହିରେ ପୂର୍ବରୁ ୨୪ ଟି କୁମ୍ଭକାର ପରିବାର ମାଟିରେ ବିଭିନ୍ନ ସାମଗ୍ରୀ ତିଆରି କରି ଲୋକଙ୍କ ଚାହିଦା ପୂରଣ କରିବାସହ ନିଜେ ସ୍ୱଛନ୍ଦରେ ପରିବାର ପ୍ରତିପୋଷଣ କରୁଥିଲେ । ପୂଜା ପାର୍ବଣରେ କଳସ,ମାଟିଘୋଡା,ଦୀପ, ବ୍ୟବହାର ହେଉଥିବାବେଳେ ଦଶାହ କ୍ରିୟାକର୍ମରେ ହାଣ୍ଡି,ଆଟିକା,ପଲମ, ଦରକାର ହୁଏ । ଏବେ ଘରେଘରେ ଫ୍ରିଜ ର ଆଦର ଯୋଗୁ ଖରାଦିନେ ଆଉ ପୂର୍ବଭଳି ମାଠିଆ ବିକ୍ରି ହେଉନାହିଁ । କେବଳ ସିଜିନ କୁଛାଡି ଦେଲେ ଅନ୍ୟ ଦିନ ମାନଙ୍କରେ ମୂଲ ମଜୁରୀ କରି ପରିବାର ଚଳାଉଛୁ ,କୂଳବେଉସା ଛାଡି ହେଉନି, କି ପେଟ ପୋଷି ହେଉନି । କରୋନା ପାଇଁ ସରକାର ବିବାହ,ବ୍ରତଘର ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଉତ୍ସବ, ମେଳା, ମହୋତ୍ସବ,ଯାନି ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଥିବା ଯୋଗୁ ଗତବର୍ଷ ଆମ ବେପାର ସଂପୂର୍ଣ୍ଣ ଘାଟା ହୋଇଗଲା ବୋଲି କୈଳାସ ଚନ୍ଦ୍ର ସାହୁ(୬୫) କହିଛନ୍ତି । ଯଦିଓ ଏହି କାର୍ଯ୍ୟ ଘରେ କରାଯାଏ ତଥାପି ଅଠାଳିଆ ଚିକିଟା ମାଟି ବହୁ ଦୂରରୁ ଆଣିବାକୁ ପଡିଥାଏ । ତାହା ପୁଣି ୧୦/୨୦ ଫୁଟ ଗାତକରି ତଳୁ ମାଟି ଉଠାଇବାକୁ ପଡିଥାଏ । ମାଟିକୁ ଆଣି ତାକୁ ଚକଟି ସୁକ୍ଷ୍ମଭାବରେ ମାଟିର ଜିନିଷ ତିଆରି କରାଯାଇଥାଏ । ଓଦା କଂଚା ଜିନିଷକୁ ଖରାରେ ଶୁଖାଯାଇ ତାକୁ ପୁହାଣରେ ପୋଡା ଯାଇଥାଏ । ମାତ୍ର ବେପାର ନଥିବାରୁ ପୂର୍ବଭଳି ଆଉ ମାଟି ଜିନିଷ ତିଆରି ହେଉନାହିିଁ ବୋଲି ନକୁଳ ସାହୁ ଓ ପଦ୍ମନାଭ ସାହୁ ପ୍ରକାଶ କରିଛନ୍ତି । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ବହୁ ଯୋଜନା କରିଥିବାବେଳେ କୁମ୍ଭକାର ଶିଳ୍ପ ପ୍ରତି ସରକାର ଙ୍କ ର କୌଣସି ନୀତି କିମ୍ବା ଯୋଜନା ନାହିଁ । ବିନା ସରକାରୀ ପ୍ରୋତ୍ସାହନ ଓ ସାହାଯ୍ୟ,ସହଯୋଗରେ କୌଳିକ ବୃତିକୁ କିପରି ଆମେ ଚଳାଇବୁ ବୋଲି ଅନାମ ସାହୁ (୩୫) ମତ ଦିଅନ୍ତି । ପୂର୍ବରୁ କେବଳ ଦୀପାବଳି ସିଜିନ ଆମ୍ଭଙ୍କୁ ବର୍ଷକର ଆହାର ଯୋଗାଉଥିବାବେଳେ ଏବେ ତାହା ସ୍ୱପ୍ନ । ଦୀପାବଳି ବାଦ୍ ଅନ୍ୟ ଦିନ ମାନଙ୍କରେ କାମଦାମ କରି ସେ ତାଙ୍କ ପରିବାର ଚଳାଉଛନ୍ତି ବୋଲି ଅନାମ କହିଛନ୍ତି । କଥାରେ ଅଛି ହାଣ୍ଡି ଭାଙ୍ଗିଲେ ଖପରା ତେଣୁ କାମ କଲାବେଳେ ଏବଂ କାମ ପରେ ଏମିତି ବହୁତ ଜିନିଷ ଭାଙ୍ଗିଯାଏ । ସେଥିପାଇଁ ଆମେ ବହୁତ କ୍ଷତିସହୁ । ପରିଶ୍ରମ ଅନୁସାରେ ପାରିଶ୍ରମିକ ପାଉନାହୁଁ, ସେଥିପାଇଁ ବର୍ଷକ ଖାଇବା ଯୋଗାଡ କରିପାରୁ ନାହୁଁ ।ଏମିତିରେ ଛୁଆଙ୍କୁ ମଣିଷ କରିବୁ କେମିତି?ଲୋକଙ୍କ ଅର୍ଡର ଅନୁଯାୟୀ କାମ କରୁଛୁ ,ନହେଲେ ଅନ୍ୟ ଦିନ ମାନଙ୍କରେ ହାତବାନ୍ଧି ବସୁଛୁ ବୋଲି ପ୍ରମିଳା ସାହୁ(୫୫) ଓ ଆଲୁରି ସାହୁ (୫୩) କହିଛନ୍ତି । ଛାତ୍ରୀ ସତ୍ୟଭା ମାସାହୁ (୨୦) ସିଜିନ ସମୟରେ ବାପାମାଙ୍କୁ କାମରେ ସାହାଯ୍ୟ କରୁଛନ୍ତି ବୋଲି ମତ ଦିଅନ୍ତି । ଅନୁରୂପ ଭାବେ ମାଟି ତିଆରି କଣ୍ଢେଇ ଖେଳ ଖେଳିବା ବୟସରେ ଦୀପାବଳି ପାଇଁ ଦୀପ ତିଆରିରେ ବ୍ୟସ୍ତ ଥିବା ଉମାରାଣୀ ସାହୁ (୧୧)ତାଙ୍କୁ ଏହି କାମ କରିବାକୁ ଖୁବ ଖୁସି ଲାଗେ କିନ୍ତୁ ତାଙ୍କ ପରିବାର ଧିରେଧିରେ ଏହି କାମରୁ ନିବୃତ ହେଲେଣି । ତେଣୁ ମନଦୁଃଖ ହେଉଛି ବୋଲି କୁହନ୍ତି । ୨୪ ପରିବାର ଙ୍କ ଯାଗାରେ ଏବେ ମାତ୍ର ୩ ଟି ପରିବାର ନିଜର କୌଳିକ ବୃତିକୁ ବିନା ସରକାରୀ ସାହାଯ୍ୟ,ସହଯୋଗ ଓ ପ୍ରୋତ୍ସାହନ ରେ ଆଉ କେତେ ଦିନ ବଂଚାଇ ରଖିପାରିବେ?ଏନଡିଏ ସରକାର ଲୋକାଲ ଫର ଭୋକାଲ କେବଳ ସ୍ଲୋଗାନ ପାଲଟିଛି,ବାସ୍ତବରେ କିଛି ପ୍ରୋତ୍ସାହନ ନାହିଁ । ହଜିବାକୁ ବସିଥିବା ଏହି କୌଳିକ ବୃତିକୁ ପ୍ରୋତ୍ସାହନ ଦେଇ ପୁନରୁଦ୍ଧାର କରିବା କଣ ସରକାରଙ୍କ ଦାୟିତ୍ୱ ଓ କର୍ତବ୍ୟ ନୁହେଁ?ବୋଲି ବୁଦ୍ଧିଜୀବୀ ମହଲ ପ୍ରଶ୍ନ କରୁଛନ୍ତି । ଓଡ଼ିଶା ସମାଚାର

About admin

Check Also

ଟେରାକୋଟା କାରିଗରଙ୍କୁ ଜ୍ୟୋତି ଲେଡିଜ୍ କ୍ଲବ୍ ପକ୍ଷରୁ ସହାୟତା

ପାରାଦୀପ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଇଫକୋ ଟାଉନସିପସ୍ଥିତ ଜ୍ୟୋତି ମହିଳା ସମିତି ପକ୍ଷରୁ ରାହାମା ନିକଟସ୍ଥ ନବାପାଟଣାର ଟେରାକୋଟା କାରିଗରମାନଙ୍କୁ ସହାୟତା …

Leave a Reply

Your email address will not be published. Required fields are marked *