ଭୁବନ,୦୩/୧୧/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ପଂଚାୟତର ଦଧିସିଙ୍ଗା ଗ୍ରାମଟି ଏକ ଦୀପ ସଦୃଶ ଓ ଏହା ଅପହଂଚ ଇଲାକା ଭାବେ ସାରା ଜିଲ୍ଲାରେ ପରିଚିତ । ସ୍ୱାଧିନତାର ଦୀର୍ଘ ୭୫ ବର୍ଷ ବିତିଯିବା ସତ୍ୱେ ନେତା କିମ୍ବା ପ୍ରଶାସନ ଏଠାରେ ପହଁଚି ପାରୁନଥିଲା ବେଳେ ଢେଙ୍କାନାଳ ସାଂସଦ ମହେଶ ସାହୁ ଗତ ବର୍ଷ ଏହି ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଥିଲେ । ଗ୍ରାମବାସୀ ବହୁ ସମସ୍ୟା ଭିତରେ ରହୁଥିବା ଖବର ପାଇ ତହସିଲଦାର ପ୍ରଭାସ କୁମାର ବେହୁରା ,ବାଲିବୋ ସରପଂଚ ସନ୍ତୋଷ ଖୁଣି୍ଟଆ, ରାଜସ୍ୱ ନିରୀକ୍ଷକ ପ୍ରଣତି ଭୋଇ,ସୁପରଭାଇଜର ମିନତୀ ବାଘସିଂହ,ଏଏନଏମ ବିଳାସିନୀ ମିଶ୍ର,ଅଙ୍ଗନୱାଡି କର୍ମୀ ଶ୍ରୀମତୀ ଦେହୁରି,ନିର୍ବାହୀ ଅଧିକାରୀ କିରଣବାଳା ତରାଇ ପ୍ରମୁଖ ଙ୍କୁ ସଙ୍ଗରେ ନେଇ ନାଳ ପାଣିରେ ପଶି ଗ୍ରାମରେ ପହଁଚିଲୋକଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ । ରାସନକାର୍ଡ ,ବିଧବା,ବାର୍ଦ୍ଧକ୍ୟ ଭତା ଖୁବଶୀଘ୍ର ମିଳିଯିବ ବୋଲି ପ୍ରତିଶୃତି ଦେଇଥିବା ବେଳେ ଗ୍ରାମକୁ ସଂଯୋଗରେ ବାଧା ସୃଷ୍ଟି କରୁଥିବା ନାଳ ଉପରେ ବିଜୁ ସେତୁ କରିବା ପାଇଁ ସାଂସଦ ମହେଶ ସାହୁ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ କଥା ହୋଇଛନ୍ତି । ଖୁବ ଶୀଘ୍ର ଟେଣ୍ଡର ହୋଇ ପୋଲ ଓ ସବୁ ଦିନିଆ ରାସ୍ତା ତିଆରି ହେବ ବୋଲି କହିଥିଲେ । ଓଡ଼ିଶା ସମାଚାର