ଭୁବନେଶ୍ୱର,୦୨/୧୧/୨୦୨୧(ଓଡ଼ିଶା ସମାଚାର)- କୌଶଲ୍ୟାଗଙ୍ଗସ୍ଥିତ ଆଇସିଏଆର୍-କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ସଂସ୍ଥା ଠାରେ ସତର୍କତା ସଚେତନତା ସପ୍ତାହ ଗତ ଅକ୍ଟୋବର ୨୬ ରୁ ଆରମ୍ଭ ହୋଇ ନଭେମ୍ବର ୧ ତାରିଖ ଦିନ ଉଦଯାପିତ ହୋଇଯାଇଛି ।“୭୫ ବର୍ଷର ସ୍ୱାଧୀନ ଭାରତ : ସାଧୁତା ସହ ଆତ୍ମ ବିଶ୍ୱାସ”ଶିର୍ଷକ ବିଷୟବସ୍ତୁ ଉପରେ ଆଧାରିତ ଏହି ସତର୍କତା ସପ୍ତାହର ପ୍ରାରମ୍ଭରେ ‘ନାଗରିକ ମାନଙ୍କ ପାଇଁ ସଚୋଟତା’ ଏବଂ ‘ସଂସ୍ଥାନ ପାଇଁ ସାଧୁତା’ର ଶପଥ ସମସ୍ତ କର୍ମଚାରୀମାନେ ନେଇଥିଲେ । ଏହି କାର୍ଯ୍ୟକ୍ରମ ପଶ୍ଚିମବଙ୍ଗର ରାହାରା, ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ା, କର୍ଣ୍ଣାଟକର ବେଙ୍ଗାଲୁର, ପଂଜାବର ଭତିଣ୍ଡା ଠାରେ ଥିବା ସିଫାର ଆଂଚଳିକ କାର୍ଯ୍ୟାଳୟରେ ମଧ୍ୟ ଭର୍ଚୁଆଲ ମୋଡ୍ ରେ ଅନୁଷ୍ଠିତ ହୋଇଥିଲା ।ଜନସାଧାରଣଙ୍କ ସେବା କ୍ଷେତ୍ରରେ କୌଣସି ସଂସ୍ଥାର ସ୍ୱଚ୍ଛ ପ୍ରତିଛବି ପାଇଁ ସତର୍କତା ଓ ସାଧୁତାର ଭୂମିକା ଉପରେ ସିଫାର ନିର୍ଦ୍ଧେଶକ ଡଃ ସରୋଜ କୁମାର ସ୍ୱାଇଁ, ମୁଖ୍ୟ ପ୍ରଶାସନିକ ଅଧିକାରୀ ଶ୍ରୀବି. କେ. ସିହ୍ନା, ଦୁର୍ନିତୀ ନିବାରଣ ଅଧିକାରୀ ଡଃ ମୃଣାଳ ସାମନ୍ତ ଗୁରୁତ୍ୱାରୋପ କରିଥିଲେ ।କେନ୍ଦ୍ରୀୟ ଭିଜିଲାନ୍ସ କମିଶନରଙ୍କ ଗାଇଡଲାଇନ ଅନୁପାଳନ ପୂର୍ବକ ସିଫା ତରଫରୁ ବିିଭିନ୍ନ ବ୍ୟାନର୍ ଓ ପୋଷ୍ଟର ସର୍ବସାଧାରଣ ସ୍ଥାନ ମାନଙ୍କରେ ପ୍ରଦର୍ଶନ କରାଯାଇଥିଲା ।ଏହାର ଉଦଯାପନୀ ସମାରୋହରେ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ‘ସତର୍କତା ପ୍ରତିଷେଧକ ଓ ସାଧାରଣ ଜୀବନରେ ସାଧୁତା’ଶୀର୍ଷକ ଏକ ବକ୍ତବ୍ୟରେ ଦୁର୍ନିତୀ ନିବାରଣ ପାଇଁ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ । ଏଥିନିମନ୍ତେ ଆୟୋଜିତ ପ୍ରବନ୍ଧ ଓ ତର୍କ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।ଭିଜିଲାନ୍ସ ଅଫିସର ଡଃ ମୃଣାଳ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର