ଭୁବନେଶ୍ୱର,୦୨/୧୧/୨୦୨୧(ଓଡ଼ିଶା ସମାଚାର)-ଦିନକୁ ଦିନ ବଢ଼ୁଥିବା ମହିଳା ହିଂସାକୁ ବିଲୋପ କରିବାକୁ ହେଲେ ଏହାର କାରଣ ଓ ମୂଳ କାରଣ ବାବଦରେ ଉଭୟ ପୁରୁଷ ଓ ମହିଳାଙ୍କୁ ସଚେତନ କରାଇବା ସହିତ ଗୋଷ୍ଠୀ ସ୍ତରରେ ପୀଡ଼ିତାଙ୍କ ପାଇଁ ଏକ ଦୃଢ଼ ସହାୟତା ପ୍ରଣାଳୀର ଆବଶ୍ୟକତା ରହିଛି ବୋଲି ମଙ୍ଗଳବାର ଏଠାରେ ଆୟୋଜିତ ଆଲୋଚନାଚକ୍ରରେ ଯୋଗଦେଇ ଅତିଥିମାନେ ସୂଚାଇଛନ୍ତି ।
ସିୱାଇଏସଡି ଏବଂ ରମାଦେବୀ ବିଶ୍ୱବିଦ୍ୟାଳୟ ଜେଣ୍ଡର ଷ୍ଟଡିଜ ପକ୍ଷରୁ ରାଜ୍ୟର କୋରାପୁଟ, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ କୋଭିଡ ୧୯ ସମୟରେ ଅଚାନକ ବଢ଼ି ଯାଇଥିବା ଲିଙ୍ଗୀୟ ହିଂସାକୁ ଗୋଷ୍ଠୀ ସହାୟତା ପ୍ରଣାଳୀ ଓ ସଚେତନତା ଜରିଆରେ ଦୂର କରିବା ପାଇଁ ଯେଉଁ ତ୍ୱରିତ ପ୍ରଭାବ ପ୍ରକଳ୍ପ (କୁଇକ ଇମ୍ପାକ୍ଟ ପ୍ରୋଜେକ୍ଟ) ଆରମ୍ଭ କରାଯାଇଥିଲା, ତାହାର ଶିକ୍ଷା ଓ ଅନୁଭବ ଉପସ୍ଥାପନା ସିୱାଇଏସଡି ପ୍ରେକ୍ଷାଳୟରେ ଆୟୋଜିତ ହୋଇଯାଇଛି । ସଂଗଠନ ପକ୍ଷରୁ ମହିଳାଙ୍କ ଉପରେ ବଢ଼ୁଥିବା ବିଭିନ୍ନ ହିଂସା ଓ ପ୍ରକଳ୍ପାଂଚଳରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପରାମର୍ଶମାନ ଏଥିରେ ଉପସ୍ଥାପିତ ହୋଇଥିଲା । ମହିଳା ହିଂସାର ବିଲୋପ ପାଇଁ ରହିଥିବା ବ୍ୟବସ୍ଥା ଗୁଡ଼ିକୁ କ୍ରିୟାଶୀଳ ଓ ଫଳପ୍ରଦ କରାଇବା ପାଇଁ ଗୋଷ୍ଠୀ ସ୍ତରରେ ଏଥିପ୍ରତି କିଭଳି ଉତରଦାୟିତ୍ୱ ବଢ଼ିପାରିବ ସେ ଦିଗରେ ଅନେକ ପଦକ୍ଷେପ ନିଆଯିବାର ଆବଶ୍ୟକତା ଦର୍ଶାଯାଇଥିଲା ।
ଏହି ପୃଷ୍ଠଭୂମିରେ ମୟୁରଭଞ୍ଜ, କେନ୍ଦୁଝର ଓ କୋରାପୁଟ ଭଳି ତିନୋଟି ଆଦିବାସୀ ଜିଲ୍ଲାରେ ମହିଳା ହିଂସାର ସ୍ଥିତି ଜାଣିବା ଓ ପୀଡ଼ିତାଙ୍କୁ ଲୋକଙ୍କ ସହାୟତା ନିଶ୍ଚିତତା ପାଇଁ ରମାଦେବୀ ବିଶ୍ୱବିଦ୍ୟାଳୟ ଜେଣ୍ଡର ଷ୍ଟଡିଜ ଓ ସିୱାଇଏସଡିର ମିଳିତ ପ୍ରୟାସରେ ବିଶେଷ ପ୍ରଭାବିତ ତିନୋଟି ଆଦିବାସୀ ବହୁଳ ଜିଲ୍ଲାରେ ୩୮୨ ସ୍ଥାନୀୟ କୋଭିଡ ଯୋଦ୍ଧାଙ୍କୁ ଚିହ୍ନଟ କରି ଲିଙ୍ଗୀୟ ସଚେତନତା ସମ୍ପର୍କିତ ତାଲିମ ପ୍ରଦାନ କରାଯାଇଥିଲା । ଶିକ୍ଷା ଓ ଅନୁଭବ ଉପସ୍ଥାପନା ଆଲୋଚନାଚକ୍ରରେ ଯୋଗଦେଇ ଅତିଥିମାନେ ତୃଣମୂଳ ସ୍ତରରେ ଯେଉଁସବୁ ସ୍ୱୟଂ ସହାୟକ ଦଳ, ଯୁବକ ସଂଘ, ମହିଳା ସଂଘ ଗୁଡ଼ିକ କାର୍ଯ୍ୟରତ ଅଛନ୍ତି ସେମାନଙ୍କୁ ମହିଳାମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ଓ ଘରୋଇ ହିଂସା ବାବଦରେ ସଚେତନ କରାଯିବା ଆବଶ୍ୟକତା ଥିବା ପରାମର୍ଶ ଦେଇଥିଲେ । ସେହିପରି ମହିଳାମାନଙ୍କୁ ନେଇ ରହିଥିବା ସାମାଜିକ ଦୃଷ୍ଟିଭଙ୍ଗୀ, ବ୍ୟବହାର ଓ ଇକୋ ସିଷ୍ଟମରେ ପରିବର୍ତନ ହେବା ଆବଶ୍ୟକ ବୋଲି ଏଥିରେ ଗୁରୁତ୍ୱାରୋପ କରାଯାଇଥିଲା । ବିଭିନ୍ନ ଗାଁରେ ମହିଳାମାନଙ୍କର ସମସ୍ୟା ଓ ଆବଶ୍ୟକତାକୁ ବୁଝିବା ପାଇଁ ଗବେଷଣା ହେବା ସହିତ ସେ ଅନୁସାରେ ନୀତି ନିର୍ଦ୍ଧାରଣର ମଧ୍ୟ ଆବଶ୍ୟକତା ରହିଛି । ଆର୍ଥିକ ସଶକ୍ତିକରଣ କାର୍ଯ୍ୟକ୍ରମ ଗୁଡ଼ିକରେ ମହିଳା ହିଂସା ସମ୍ପର୍କିତ ସଚେତନତା ପ୍ରସଙ୍ଗ ଯୋଡ଼ାଯିବା ସହିତ ମହିଳା ହିଂସାର ବିଲୋପ ପାଇଁ ରହିଥିବା ସମସ୍ତ କାର୍ଯ୍ୟକ୍ରମ ଗୁଡ଼ିକ ପାଇଁ ଆବଶ୍ୟକୀୟ ବଜେଟର ପ୍ରାବଧାନ ରହିବା ଉଚିତ ବୋଲି ଅତିଥିମାନେ ପରାମର୍ଶ ଦେଇଥିଲେ ।
ୱାନଷ୍ଟପ ସେଂଟର, ହେଲପ ଲାଇନ ନମ୍ବର, ମହିଳା ଅପରାଧ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଥିବା ସରକାରୀ ଯୋଜନା ଗୁଡ଼ିକ ବାବଦରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକତା ରହିଛି । ଏ ଦିଗରେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ତାଲିମ ଓ ସଚେତନ କରାଯିବାର ଆବଶ୍ୟକତା ରହିଛି । ବାଲ୍ୟବିବାହ ପ୍ରକ୍ରିୟାକୁ ରୋକିବା ପାଇଁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି । ପୀଡ଼ିତାମାନଙ୍କୁ ମନସ୍ତାତ୍ୱିକ ପରାମର୍ଶ ଦେବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ସୂଚାଇଥିଲେ ।
ଏହି କାର୍ଯ୍ୟକ୍ରମରେ ସିୱାଇଏସଡି କାର୍ଯ୍ୟକ୍ରମ ସଂଯୋଜକ ବସନ୍ତ କୁମାର ନାୟକ, ଉପାଲି ମହାନ୍ତି ପ୍ରୋଜେକ୍ଟର ଲକ୍ଷ୍ୟ ଓ ଆଭିମୁଖ୍ୟ ତଥା ଅନୁଭବ ଉପସ୍ଥାପନା କରିଥିଲେ । ସଂଗଠନର ମାର୍ଗଦର୍ଶକ ଜଗଦାନନ୍ଦଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଅପରାଜିତା ଚୌଧୁରୀ, ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷ ଡକ୍ଟର ମିନତୀ ବେହେରା ଯୋଗଦେଇଥିବା ବେଳେ ବୈଷୟିକ ଅଧିବେଶନରେ ୟୁଏନଡିପି ପକ୍ଷରୁ ଅଳକା ନାରଙ୍ଗ ଭର୍ଚୁଆଲ ସମ୍ବୋଧିତ କରିଥିଲେ ଓ ସମାଜ ବିଜ୍ଞାନୀ ମୌସୁମୀ କୁଣ୍ଡୁ, ବିଶାଖା ପଞ୍ଜ, ସରୋଜିନୀ ବ୍ରହ୍ମା, ଜ୍ୟୋତିର୍ମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ । କୋରାପୁଟ, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କାର୍ଯ୍ୟରତ କର୍ମୀ ଏହି ପ୍ରକଳ୍ପରୁ ମିଳିଥିବା ଶିକ୍ଷା ଓ ଅନୁଭବ ଉପସ୍ଥାପନା କରିଥିଲେ । ଓଡ଼ିଶା ସମାଚାର