Saturday , June 3 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ପାରାଦୀପ ତୈଳ ବିଶୋଧନାଗାରର ବକେୟା ପାଉଣା ପାଇଁ ଠିକାଦାରଙ୍କ କଳା ପତାକା ପ୍ରଦର୍ଶନ

ପାରାଦୀପ ତୈଳ ବିଶୋଧନାଗାରର ବକେୟା ପାଉଣା ପାଇଁ ଠିକାଦାରଙ୍କ କଳା ପତାକା ପ୍ରଦର୍ଶନ

ପାରାଦୀପ,୦୨/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ତୈଳ ବିଶୋଧନାଗାର ପ୍ରତିଷ୍ଟା ପର ଠାରୁ ସବୁବେଳେ ବିବାଦ ଘେରରେ ରହିଆସିଛି । କେତେବେଳେ ଜମିହରା ବିସ୍ଥାପିତଙ୍କ ଆନ୍ଦୋଳନ ତ କେତେବେଳେ ବକେୟା ପାଉଣା ପାଇବା ପାଇଁ ଆନ୍ଦୋଳନ । କେତେବେଳେ ପ୍ରଦୂଷଣକୁ ନେଇ ଆନ୍ଦୋଳନ ତ କେତେବେଳେ ସ୍ଥାନୀୟ ନିଯୁକ୍ତ ନେଇ ଆନ୍ଦୋଳନ । ଏତେ ସବୁ ବିବାଦ ମଧ୍ୟରେ ପାରାଦୀପ ତୈଳ ବିଶୋଧନାଗାର ପକ୍ଷରୁ ସତର୍କତା ସଚେତନତା ପକ୍ଷ ପାଳନ ହେବା କାହା ସ୍ୱାର୍ଥରେ ବୋଲି ବକେୟା ପାଉଣା ପାଇଁ ଆନ୍ଦୋଳନ କରୁଥିବା ଶ୍ରୀଲୋକନାଥ ଠିକାଦାର ମହାସଂଘର ସଭାପତି ଧିରେନ୍ଦ୍ର କୁମାର ସାମଲ ପ୍ରଶ୍ନ କରିଛନ୍ତି ।  ପୂର୍ବରୁ ପାରାଦୀପ ତୈଳ ବିଶୋଧନାଗାରରେ ଠିକା କାମ ନେଇଥିବା କେ.ଏସ୍.ଏସ୍. ଅଧିନରେ କାମ କରିଥିଲେ ବହୁ ଠିକାଦାର । ଠିକାଦାରମାନେ ନିର୍ଦ୍ଧାରିତ ସମୟରେ କାମ ସମ୍ପୂର୍ଣ୍ଣ କରିଥିଲେ । କାମ ସାରିବା ପରେ ସଂପୃକ୍ତ ଠିକା ସଂସ୍ଥା ହଠାତ୍ କେଉଁ ଆଡେ ଉଭାନ ହୋଇଗଲା । ଠିକାଦାରମାନେ ବାରମ୍ବାର ବିଶୋଧନାଗାର ଅଫିସ୍କୁ ଦୌଡି ଦୌଡି ନୟାନ୍ତ ହେଲେ ସେମାନଙ୍କ ଟଙ୍କା ମିଳିଲା ନାହିଁ । ବାଧ୍ୟ ହୋଇ ଠିକାଦାରମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଲେ, ଏହି ଧାରଣାକୁ ଅଗଣତାନ୍ତ୍ରିକ କହିଥିଲେ ବିଶୋଧନାଗାର କର୍ତୃପକ୍ଷ । ଏହି ଘଟଣାକୁ ଗୁରୁତ୍ୱର ସହ ନେବାକୁ ମଧ୍ୟ ଶ୍ରୀଲୋକନାଥ ଠିକାଦାର ମହାସଂଘ ମଧ୍ୟ ଦାବି କରିଥିଲା । ଏହା ପରେ ଏବେ ଚାଇନା କୁନଲୁନ୍ କନଷ୍ଟ୍ରକସନ୍ ଆଣ୍ଡ ଇଂଜିନିୟରିଙ୍ଗ କମ୍ପାନୀ (ସିକେସିଇ) କୁ ନେଇ ଆରମ୍ଭ ହୋଇଛି ଧାରଣା, ବିକ୍ଷୋଭ ଓ କଳାପତାକା ପ୍ରଦର୍ଶନ । ପାରାଦୀପ ତୈଳ ବିଶୋଧନାଗାରର ପଲିପ୍ରପଲିନ୍ ୟୁନିଟ୍ ର ରଥଚକ୍ର ୟୁନିଟ୍ ର ନିର୍ମାଣ କାର୍ଯ୍ୟର ଠିକା କାମ ସିକେସିଇ ନେଇଥିଲା । ଏହି କାମ ସରିବା ପରେ ସିକେସିଇ ଫେରାର । ଠିକାଦାରଙ୍କ କୋଟି କୋଟି ଟଙ୍କା ନ ଦେଇ ସିକେସିଇ ଫେରାର ହୋଇଯିବା ପରେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଠିକାଦାରମାନେ । ତୈଳ ବିଶୋଧନାଗାରର କର୍ତୃପକ୍ଷ ଏ ଦିଗରେ ହସ୍ତକ୍ଷେପ କରୁନାହାନ୍ତି । ମୁଖ୍ୟ ସଂସ୍ଥା ଭାବେ ଏ ଦାୟିତ୍ୱ ନେବା ତୈଳ ବିଶୋଧନାଗାରର କର୍ତୃପକ୍ଷଙ୍କ ନୈତିକ ଦାୟିତ୍ୱ । ହେଲେ ସେ ଏହା ନକରି ଘଟଣାକୁ ହାଲକା ଭାବେ ନେବା ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରିଥିବା ଠିକାଦାରମାନେ ଏବେ କରିବେ କଣ ? ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।  ତୈଳ ବିଶୋଧନାଗାର କର୍ତୃପକ୍ଷ ଅଭିଯୋଗ ପାଇବା ପରେ ଏ ଦିଗରେ ପଦକ୍ଷେପ ନେବା କଥା ହେଲେ ସେ ଏହା ନକରି ଚୁପ୍ ହୋଇ ବସିଛନ୍ତି । ଯାହା ଫଳରେ ପୁଣି ଠିକାଦାରଙ୍କ ଆନ୍ଦୋଳନ ଆରମ୍ଭ ହୋଇଛି । ଆନ୍ଦୋଳନ ପରେ ଏହି ଠିକାଦାରମାନେ କଳା ପତାକା ପ୍ରଦର୍ଶନ କରିବାକୁ ବି ପଛେଇ ନାହାନ୍ତି । ନିଜର ବକେୟା ପାଉଣା ପାଇଁ ଯେତେ ନେହୁରା ହେଲେ ବି ଫଳ କିଛି ମିଳୁନାହିଁ । ଏଭଳି ସ୍ଥଳେ ବିଶୋଧନାଗାର ପକ୍ଷରୁ ସତର୍କତା ସଚେତନା ପକ୍ଷ ପାଳନ କେବଳ ଯେ ଧର୍ମ କୁ ଆଖି ଠାର ନୁହେଁତ ଆଉ କଣ ବୋଲି ଶ୍ରୀ ସାମଲ କହିଛନ୍ତି । ତୈଳ ବିଶୋଧନାଗାର କର୍ତୃପକ୍ଷ ନିକଟସ୍ଥ ଏକ ଗ୍ରାମରେ ଏକ ସଭା କରି ଜନସାଧାରଣଙ୍କୁ ସତର୍କତା ସଚେତନତାର ଶପଥ ପାଠ କରାଇବା କାହା ସ୍ୱାର୍ଥରେ, ନିଜ ଅଧିନରେ କାମ କରୁଥିବା ଠିକା ସଂସ୍ଥା ଉପରେ ନିଜର କର୍ତୃତ୍ୱ ନଥିବା ବେଳେ ଗ୍ରାମବାସୀଙ୍କୁ ତଥା ନିକଟସ୍ଥ ଲୋକମାନଙ୍କ ଆକ୍ରୋଶରୁ ବର୍ତିବା ପାଇଁ ଏହା ତୈଳ ବିଶୋଧନାଗାରର ଏକ ଚାଲ ନୁହେଁତ ?ବୋଲି ଶ୍ରୀ ସାମଲ ପ୍ରଶ୍ନ କରିଛନ୍ତି । ତୈଳ ବିଶୋଧନାଗାର କର୍ତୃପକ୍ଷ ଯଦି ଆଗାମୀ ଦିନରେ ଏଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ସଂଘ ଗଣତାନ୍ତ୍ରିକ ପଦ୍ଧତିରେ ରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାଇ ଦେଇଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.