Tuesday , December 7 2021
Home / ଶିକ୍ଷା / ଓଡିଶା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ପାରିତୋଷିକ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

ଓଡିଶା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ପାରିତୋଷିକ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

କେନ୍ଦ୍ରାପଡ଼ା,୦୨/୧୧/୨୦୨୧(ଓଡ଼ିଶା ସମାଚାର)- ଓଡିଶା କନିଷ୍ଠ ଶିକ୍ଷକ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ କନିଷ୍ଠ ଶିକ୍ଷକମାନଙ୍କ ପାରିତୋଷିକ ବୃଦ୍ଧି ଓ ସେମାନଙ୍କୁ ୨୦୧୩ ଚୁକ୍ତିଭିତିକ ନିୟମରେ ଅର୍ନ୍ତଭୁକ୍ତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ମଙ୍ଗଳବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସମାଜକୁ ସଠିକ ମାର୍ଗଦର୍ଶନ ଦେବା ନିମନ୍ତେ ସେମାନେ ଶିକ୍ଷକତା ବୃତିକୁ ଗୁରୁଦାୟୀତ୍ୱ ରୂପେ ଗ୍ରହଣ କରିଥିବା ବେଳେ ବ୍ୟକ୍ତିବିଶେଷ ଓ ସରକାରୀ କଳ ଦ୍ୱାରା ସେମାନେ ନିର୍ଯ୍ୟାତିତ ଓ ଅବହେଳିତ ହୋଇଆସୁଛନ୍ତି । ସମଗ୍ର ଶିକ୍ଷା ଅଧିନରେ ପ୍ରଥମରୁ +୨ ଶ୍ରେଣୀ ପର୍ଯ୍ୟନ୍ତ ଅର୍ନ୍ତଭୁକ୍ତ ହୋଇଥିବା ବେଳେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବର୍ଗ ସର୍ବଦା ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ପାଉଥିବା ବେଳେ ପ୍ରାଥମିକ ବର୍ଗର କନିଷ୍ଠ ଶିକ୍ଷକମାନଙ୍କୁ ପରିତ୍ୟକ୍ତ ଅବସ୍ଥାରେ ଛାଡିଦିଆଯାଉଛି । ଶ୍ରମ ମନ୍ତ୍ରଣାଳୟର ସୁପାରିଶ ଅନୁଯାଇ ଜଣେ ଅଣକୁଶଳୀ ଶ୍ରମିକଙ୍କ ଠାରୁ ମଧ୍ୟ କମ ପାରିଶ୍ରମିକ ଅର୍ଥାତ ମାସକୁ ୬ହଜାର ୫୧୨ଟଙ୍କା କନିଷ୍ଠ ଶିକ୍ଷକ ଜଣଙ୍କ ପାଉଛନ୍ତି । ବଜାର ଦରଦାମ ବୃଦ୍ଧି ପାଉଥିବା ବେଳେ ଏହି ବର୍ଗ ଅତିକୁଶଳୀ ହୋଇ ମଧ୍ୟ ଦୈନିକ ୨୧୭ଟଙ୍କା ପାରିଶ୍ରମିକରେ ପରିବାର ପ୍ରତିପୋଷଣ କରିବା ଅସମ୍ଭବ ହୋଇପଡିଛି । କ୍ୟାବିନେଟ ବୈଠକର ନିଷ୍ପତିି ଅନୁଯାଇ ଚୁକ୍ତିଭିତିକ କର୍ମଚାରୀ ମାନଙ୍କ ପାଇଁ ଚୁକ୍ତିଭିତିକ ନିଯୁକ୍ତି ଉଛେଦ ସହ ଓଡିଶା ବର୍ଗ-ଗ (ଚୁକ୍ତିନାମା ନିୟମ ୨୦୧୩) ର ସଂଶୋଧନ କରାଯାଇ ବିଭିନ୍ନ ସ୍ତରର କର୍ମଚାରୀଙ୍କ ଦରମା ବୃଦ୍ଧି ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳୁଥିବା ବେଳେ କନିଷ୍ଠ ଶିକ୍ଷକମାନଙ୍କୁ ଚୁକ୍ତିଭିତିକ ବୋଲି କୁହାଯାଉଥିବା ବେଳେ ସମସ୍ତ ସୁବିଧା ସୁଯୋଗରୁ ସେମାନେ ବାଦ ପଡିଥିବା ଅଭିଯୋଗ କରିଛନ୍ତି । ଏଣୁ କନିଷ୍ଠ ଶିକ୍ଷକମାନଙ୍କୁ  ଓଡିଶା ବର୍ଗ -ଗ(ଚୁକ୍ତିନାମା ନିୟମ ୨୦୧୩)ରେ ସାମିଲ କରାଯାଇ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ସହିତ ସେମାନଙ୍କୁ ସର୍ବନିମ୍ନ ମାସିକ ୧୬ହଜାର ଟଙ୍କା ଦରମା ଗତ ୨୦୧୬ମସିହା ଠାରୁ ପ୍ରଦାନ କରାଯିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଦାବି ପୁରଣ ନହେଲେ କନିଷ୍ଠ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଦାବିପତ୍ର ପ୍ରଦାନ ସମୟରେ ସଂଘ ପକ୍ଷରୁ ଉମେଶ ଚନ୍ଦ୍ର ସାହୁ, ଅମର ଜତି, ରୁଦ୍ର ନାରାୟଣ ସେଠୀ, ବିକ୍ରମ କେଶରୀ ସାହୁ, ଶିବ ପ୍ରସାଦ ବେହେରା, ହରିପ୍ରୀୟା ରାଉତ, ରାଜଲକ୍ଷ୍ମୀ ବେହେରା, ସ୍ମିତାରେଖା ଦାସ, ଶ୍ରୀତିପ୍ରୀୟା ଜେନା, ଶୁଭସ୍ମିତା ମିଶ୍ର, ପୂଜାରାଣୀ ବେଉରା, ତସନିମ ପରୱିନ, ସାଇ ଶୁଭସ୍ମିତା ରଥ, ହରପ୍ରୀୟା ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବାତ୍ୟା ପାଇଁ ଶନିବାର ୧୯ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର, ୦୩/୧୨/୨୦୨୧(ଓଡ଼ିଶା ସମାଚାର)-ଶନିବାର ଠାରୁ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, …

Leave a Reply

Your email address will not be published. Required fields are marked *