କଟକ,୦୨/୧୧/୨୦୨୧(ଓଡ଼ିଶା ସମାଚାର)- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଚାଲିଛି । ପୁରୀ ଠାରେ ଥିବା ତାଙ୍କ ସରକାରୀ କ୍ବାର୍ଟର , ନିମାପଡ଼ା ଠାରେ ଥିବା ସରକାରୀ କ୍ୱାର୍ଟର ,କଟକ ସିଡିଏରେ ଥିବା ବାସଭବନ ଓ କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ଧାନମଣ୍ଡଳ ଠାରେ ଥିବା ତାଙ୍କ ପୈତୃକ ଘରେ ଏକ ସେଙ୍ଗ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ଦିନ ପ୍ରାୟ ୫ଟା ସମୟରେ ପୁରୀ ଜିଲ୍ଲାର ନିମାପଡ଼ା ତହସିଲଦାର ତଥା ଏବଂ ଇନ୍-ଚାର୍ଜ ସବ୍-ରେଜିଷ୍ଟ୍ରାର୍ ରାମଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଆରମ୍ଭ ହୋଇଛି। ପୁରୀର ସରକାରୀ ବାସଭବନରେ ଭିଜିଲାନ୍ସ ଦ୍ୱାରା ତାଙ୍କୁ ଅଟକାଯାଇଥିଲା। ତାଙ୍କଠାରୁ ନଗଦ ୪ ଲକ୍ଷ ୬୫ ହଜାର ଟଙ୍କା ଜବତ କରାଯାଇଥିଲା । ସେ ଏହି ଟଙ୍କାର କୌଣସି ସନ୍ତୋଷଜନକ ହିସାବ କରିପାରିନଥିଲେ। ସେହିପରି ନିମାପଡ଼ାଠାରେ ତାଙ୍କ ସରକାରୀ କ୍ୱାର୍ଟର ରେ ତଦନ୍ତ ବେଳେ ନଗଦ ୫୦ ହଜାର ଟଙ୍କା ମିଳିଥିଲା।
ସେହିପରି କଟକର ସିଡିଏ ସେକ୍ଟର-୧୧ଠାରେ ଥିବା ତାଙ୍କ ବାସଭବନ, କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଧାନମଣ୍ଡଳ ରେ ଥିବା ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଜଣେ ଅତିରିକ୍ତ ଏସପି, ସାତ ଜଣ ଡିଏସପି, ଦୁଇଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ଦ୍ୱାରା ତଦନ୍ତ ଚାଲିଥିବା ଖବର ମିଳିଛି। ତଦନ୍ତ ଜାରି ରହିଛି । ଓଡ଼ିଶା ସମାଚାର