କେନ୍ଦ୍ରାପଡ଼ା,୦୧/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ୧୪ ଜଣ ସ୍ନାତକ ଅଙ୍ଗନୱାଡି ସୁପରଭାଇଜର ଅଛନ୍ତି । ସେମାନେ ୧୦ବର୍ଷରୁ ଅଧିକ ସମୟ ଏହି ପଦରେ କାର୍ଯ୍ୟ କରିଥିବା ସତ୍ୱେ ସେମାନଙ୍କୁ ନିୟମିତ କରାଯାଉନାହିଁ । କିନ୍ତୁ ମାଟ୍ରିକ ଶିକ୍ଷାଗତ ଯୋଗ୍ୟତା ଥିବା ଅଙ୍ଗନୱାଡି କର୍ମୀମାନଙ୍କୁ ୫ବର୍ଷ କାମ କରିବା ପରେ ସୁପରଭାଇଜର ପଦକୁ ପଦୋନ୍ନତି ଦିଆଯିବା ସହିତ ସ୍ଥାୟୀ କରାଯାଇଛି । ଏହାର ପ୍ରତିବାଦରେ ୧୦ ବର୍ଷ କାର୍ଯ୍ୟ କରିଥିବା ସ୍ନାତକ ଯୋଗ୍ୟତାଧାରୀ ଅଙ୍ଗନୱାଡି ସୁପରଭାଜରମାନଙ୍କୁ ସ୍ଥାୟୀ କରିବା ପାଇଁ ସ୍ନାତକ ଡିଗ୍ରୀଧାରୀ ଅଙ୍ଗନୱାଡି ସୁପରଭାଇଜରମାନେ ଆଜି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ରାଜନଗର ବ୍ଲକରୁ ସନ୍ଧ୍ୟାରାଣୀ ବେହେରା, ଡେରାବିଶ ବ୍ଲକରୁ ମନୋରମା ଓଝା, ପଟ୍ଟାମୁଣ୍ଡାଇ ବ୍ଲକରୁ ସବିତା ସାମଲ, ରାଜକନିକା ବ୍ଲକରୁ ବୈଜୟନ୍ତୀ ଦାସ ଏବଂ ଜିଲା ସଦରମହକୁମା ରହି ବିଭିନ୍ନ ବ୍ଲକରେ କାର୍ଯ୍ୟ କରୁଥିବା ଅନ୍ନପୁର୍ଣ୍ଣା ଶତପଥୀ, ରାଧିକା ସୂତାର ପ୍ରମୁଖଙ୍କ ନେତୃତ୍ୱରେ ନିୟମିତ ହୋଇନଥିବା ସୁପରଭାଇଜରମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବାରେ ନେତୃତ୍ୱ ନେଇଥିଲେ । ଓଡ଼ିଶା ସମାଚାର