ସମ୍ବଲପୁର /ଭୁବନେଶ୍ୱର,୦୧/୧୧/୨୦୨୧(ଓଡ଼ିଶା ସମାଚାର)- ଆସନ୍ତା କାଲି ମଙ୍ଗଳବାର ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଜିଲ୍ଲା ଗସ୍ତରେ ଯିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସରକାରୀ ଭାବେ ସୂଚୀ ଜାରି ହୋଇଛି । ୨ ତାରିଖରେ ମୁଖ୍ୟମନ୍ତ୍ରୀ କୁଚିଣ୍ଡାସ୍ଥିତ ମୁକୁନ୍ଦି ପଡିଆରେ ଅବତରଣ କରିବେ । ସେଠାରେ ବିଏସ୍କେୱାଇ ସ୍ମାର୍ଟ ହେଲ୍ଥ କାର୍ଡ ବଂଟନର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଏହି ଅବସରରେ ଜିଲ୍ଲାର ପ୍ରାୟ ୭ ଶହ କୋଟି ଟଙ୍କାର ପ୍ରାୟ ଦେଢ ଶହ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ତେବେ, ଏଥିରେ ମୁଖ୍ୟତଃ ବହୁ ପ୍ରତୀକ୍ଷିତ କୁଦଗୁଣ୍ଡେରପୁର ସେତୁ ସହିତ ଗୋଶାଳା ସୈନିକ ସ୍କୁଲ କୋଠାର ଲୋକାର୍ପଣ ଭଳି ଅନେକ ବଡ ବଡ ପ୍ରକଳ୍ପ ସାମିଲ ରହିଛି ।
ଆସନ୍ତା କାଲି ମଙ୍ଗଳବାର ୨ ତାରିଖ ସକାଳ ୯ଟା ୪୫ ମିନିଟ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ବାହାରି ୯ଟା ୫୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ସେଠାରୁ ସ୍ୱତନ୍ତ୍ର ଏୟାରକ୍ରାଫ୍ଟରେ ଆସି ୧୦ଟା ୩୫ ମିନିଟ୍ରେ ଜମାଦାରପାଲି ଏୟାରଷ୍ଟ୍ରିପ ରେ ଅବତରଣ କରିବେ । ସେଠାରୁ ଏକ ସ୍ୱତନ୍ତ୍ର ହେଲିକପଟର ଯୋଗେ କୁଚିଣ୍ଡା ଯାଇ ମୁକୁନ୍ଦି ପଡିଆରେ ଅବତରଣ କରିବେ । ସେଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ଥ କାର୍ଡ ବଂଟନ କରିବେ । ଏହା ସହିତ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଏହି ଅବସରରେ ଡିଜିଟାଲ୍ ମାଧ୍ୟମରେ ପ୍ରାୟ ୭ ଶହ କୋଟିରୁ ଉଦ୍ଧ୍ୱର୍୍ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ସମାଚାର